
କେନ୍ଦ୍ରାପଡା ଜିଲ୍ଲାର ଅନ୍ୟ ଏକ ପ୍ରସିଦ୍ଧ ଇନ୍ଦୁପୁର ଦୁର୍ଗାପୂଜା ମେଲଣ ଓ ଭାସାଣୀ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଲଣ ଓ ଭସାଣୀ ଉତ୍ସବରେ ଇନ୍ଦୁପୁର ଓ ଧୂମାତ ଗ୍ରାମପଞ୍ଚାୟତର ୧୪ଟି ମେଢ ଅଂଶ ଗ୍ରହଣ କରିଥିଲେ । ପରମ୍ପରା ଅନୁଯାୟୀ ଇନ୍ଦୁପୁର ହବେଳୀ ଗ୍ରାମର ଥାନପତି ମେଢକୁ ପୂର୍ବାହ୍ନ ୧୧ଟା ହଜାର ହଜାର ଶ୍ରଦ୍ଧାଳୁ କାନ୍ଧରେ ବୋହି ମେଲଣ ପଡିଆରେ ଅପରାହ୍ନ ୧ଟାରେ ଉପବିଷ୍ଟ କରାଇଥିଲେ । ପରେପରେ ସମସ୍ତ ମେଢ ଶୋଭାଯାତ୍ରାରେ ମେଲଣ ପଡିଆକୁ ଆସିଥିଲେ । ରାତି ୧୨ଟା ପରେ ଇନ୍ଦୁପୁର ବିରୁପା ନଦୀ ଘାଟରେ ଏବଂ ପଟ୍ଟାମୁଣ୍ଡାଇ କେନାଲରେ ବିସର୍ଜନ କରାଯାଇଥିଲା । ମେଲଣ ପୂର୍ବରୁ ବିଧାୟକ ଶଶୀ ଭୂଷଣ ବେହେରା ଅପରାହ୍ନ ୧ଟାରେ ଇନ୍ଦୁପୁର ମେଲଣ ପଡିଆରେ ପହାଞ୍ଚିଥିଲେ । ଏହି ମେଲଣ ପଡିଆ ଅପରିସ୍କାର ଦେଖି ଏହାକୁ ପ୍ରଥମେ ସଫେଇ କରିବା ପାଇଁ ବିଜେଡି କର୍ମିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ ହାତରେ ଝାଡୁ ଧରି ସଫେଇ କରିଥିଲେ । ତାଙ୍କ ସହିତ ଥିବା ଇନ୍ଦୁପୁର ସରପଞ୍ଚ ପ୍ରଦୀପ ରଞ୍ଜନ ସୁତାର, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ସମିତି ସଭ୍ୟ ପ୍ରତିନିଧି ବାବୁରାମ ମଲ୍ଲିକ, ବିଜନ ମଲ୍ଲିକ, ବିଜୟ ସାହାଣୀ, ବତାସୀ ବେହେରା, ରାମନାରାୟଣ ସିଂ, ବିଶ୍ୱଜିତ ରାଜ, ଏଣ୍ଡୁ ଏବଂ ୨୦ରୁ ଅଧିକ କର୍ମୀ ସଫେଇ କାର୍ଯ୍ୟରେ ସାମିଲ ହୋଇ ମେଲଣ ପଡିଆ ସଫେଇ କରିଥିଲେ । ନିକିରାଇ ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋର୍ତିମୟୀ ସେଠୀଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ଫୋର୍ସ ଭଷାଣୀକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିଥିଲେ ।

