
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳବାସୀଙ୍କୁ ସୁବିଧା ମୂଲ୍ୟରେ ହସ୍ତତନ୍ତ ବସ୍ତ୍ରାଳୟରେ ଧୋତି, ଶାଢ଼ି, ଶାର୍ଟ କପଡ଼ା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍ଷ୍ଟାଣ୍ଡ ନିକଟରେ ବୟନିକା ବିକ୍ରୟ କେନ୍ଦ୍ର ୨୦୧୯ ମାର୍ଚ୍ଚ ୬ରେ ଉଦ୍ଘାଟିତ ହୋଇଥିଲା । ତତ୍କାଳୀନ କେନ୍ଦ୍ରାପଡ଼ା ଜିଲାପାଳ ଦାଶରଥି ଶତପଥୀ , ଉପଜିଲାପାଳ ସଞ୍ଜୟ ମିଶ୍ର ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପଦ ସ୍ୱାଇଁ, ବୟନିକା ପରିଚାଳନା ନିର୍ଦ୍ଦେଶକ ବିକାଶ କୁମାର ମହାପାତ୍ର, ପ୍ରାକ୍ତନ ପୌରାଧ୍ୟକ୍ଷା ବୈଜୟନ୍ତିବାଳା ଲେଙ୍କା, ପ୍ରାକ୍ତନ ଉପାଧ୍ୟକ୍ଷ ସୁମନ୍ତ ପାତ୍ର, କାଉନ୍ସିଲର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ମାତ୍ର ବୟନିକା ବିକ୍ରୟ କେନ୍ଦ୍ରଟି ଯେଉଁ ଗୃହରେ ଖୋଲିଥିଲା ତାହାକୁ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଭଡ଼ା ସୂତ୍ରରେ ଦିଆଯାଇଥିଲା । ଯଦି ଭଡ଼ାସୂତ୍ରରେ ଗୃହଟି ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିଲା ତେବେ କ’ଣ ପାଇଁ ସେଠାରେ ବୟନିକା ବିକ୍ରୟ କେନ୍ଦ୍ର ଖୋଲିବାକୁ ପୌର ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଉଦ୍ଘାଟନ ସଭାରେ ଯୋଗଦେଇ ଏହାକୁ ଖୋଲି ଥିଲେ । ବୟନିକା କେନ୍ଦ୍ର ଖୋଲିଲା ପରେ ପଟ୍ଟାମୁଣ୍ଡାଇ ପୌରାଂଚଳ ସମେତ ଗ୍ରାମାଂଚଳ ଗ୍ରାହକମାନେ ପ୍ରତିଦିନ ହସ୍ତତନ୍ତ ସାମଗ୍ରୀ କିଣୁଥିଲେ । ମାତ୍ର ୨୦୧୮ ସେପ୍େଟମ୍ବରରେ ପୌର ପରିଷଦ କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ କର୍ମଚାରୀମାନେ ଉକ୍ତ ଗୃହକୁ ଜଣେ ବ୍ୟକ୍ତିଙ୍କୁ ଭଡ଼ା ସୂତ୍ରରେ ଦେଇ ଦେଇଥିଲେ । ଫଳରେ ବୟନିକା ବିକ୍ରୟ କେନ୍ଦ୍ରଟି ଖୋଲିବାର କିଛିଦିନ ପରେ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା । ଏ ନେଇ ଭଡ଼ାରେ ନେଇଥିବା ବ୍ୟକ୍ତିଙ୍କଠାରୁ ଗୃହକୁ ଫେରାଇ ଆଣି ପୁଣି ବୟନିକା ବିକ୍ରୟ କେନ୍ଦ୍ର ଖୋଲିବା ପାଇଁ ବୃଦ୍ଧିଜୀବୀ, ସାମାଜିକ କର୍ମୀ ଓ ଜନସାଧାରଣଙ୍କ ମଧ୍ୟରେ ଦାବି ଯୋର ଧରିଛି ।

ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ସହ ଚୁକ୍ତି କରି ୨୦୧୯ ମାର୍ଚ୍ଚ ୬ରେ ବୟନିକା କେନ୍ଦ୍ର ଉଦ୍ଘାଟନ ହୋଇଥିଲା । ମାତ୍ର ୨୦୧୮ ଡିସେମ୍ବର ୨୦ରେ ବ୍ୟାକ୍ ଡେଟ୍ରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମରେ ଚୁକ୍ତିପତ୍ର ହେଲା କିପରି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରପକ୍ଷେ ପୌର ପରିଷଦ ବୋର୍ଡ କାର୍ଯ୍ୟ ଶେଷ ହୋଇଯିବା ୩ ବର୍ଷ ପରେ ୨୦୨୨ ମାର୍ଚ୍ଚରେ ନୂତନ ବୋର୍ଡ ଗଠନ ହେଲା । କିନ୍ତୁ ପୌରପରିଷଦ ପକ୍ଷରୁ ଗତ ୩ ବର୍ଷ ମଧ୍ୟରେ ଏଭଳି ଅନେକ ବେଆଇନ କାର୍ଯ୍ୟ ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି । ଏଥିପ୍ରତି ଉଚ୍ଚ କର୍ତୃପକ୍ଷ, ସ୍ଥାନୀୟ ବିଧାୟକ, ପୌରାଧ୍ୟକ୍ଷ, ନଗର ଉନ୍ନୟନ ମନ୍ତ୍ରୀ ଦୃଷ୍ଟି ଦେବା ସଙ୍ଗେସଙ୍ଗେ ଦୁର୍ନୀତି କରିଥିବା ବ୍ୟକ୍ତିବିଶେଷଙ୍କ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ, ଉପସଭାପତି ଅବିନାଶ ଲେଙ୍କା, ଆଲୋକ ଧଳ, କାଉନସିଲର ମଳୟ ଓଝା, ସମ୍ରାଟ ଜେନା ପ୍ରମୁଖ ଦାବି କରିଛନ୍ତି । ଏ ସମ୍ପର୍କରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କୁ ପଚାରିବାରେ ଏ ବିଷୟରେ ଅଜ୍ଞ ଅଛି ,ବୟନିକା କ’ଣ ପାଇଁ କେନ୍ଦ୍ର ବନ୍ଦ କଲା କାଗଜ ପତ୍ର ଯାଂଚ ପରେ ଜଣାପଡିବ ।










