ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା, ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ଏହି ମେଳାର ଅନୁଷ୍ଠିତ ହେବ । ଏହା ସହିତ ମିଶି କରି ‘କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଓ ବିକ୍ରୟ ମେଳା’ର ମଧ୍ୟ ଆୟୋଜନ ହେବ । ଏଥିରେ ୧୭୦ରୁ ଉର୍ଦ୍ଧ୍ୱ ଷ୍ଟଲ୍ ପଡିବାର ଯୋଜନା ରହିଛି । କୃଷି ବିଭାଗ ପକ୍ଷରୁ ମୋଟ୍ ୪୦ଟି ଷ୍ଟଲ୍ କରାଯିବାର ଯୋଜନା ରହିଥିବା ବେଳେ ଓର୍‌ମାସ ପକ୍ଷରୁ ୧୩୦ଟି ଷ୍ଟଲ କରାଯିବ । ସମସ୍ତ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠି ନିଜର ସ୍ୱ-ଉତ୍ପାଦିତ ଦ୍ରବ୍ୟ ଆଣିବାକୁ ଯୋଜନା ରହିଥିବା ବେଳେ ରାଜ୍ୟ ବାହାରୁ ୧୦ରୁ ଅଧିକ ଦଳ ପ୍ରତିନିଧିତ୍ୱ କରିବେ । ଏହା ସହ ଜିଲ୍ଲାର ମିଶନ ଶକ୍ତି, କୃଷି ବିଭାଗ, ମତ୍ସ୍ୟ ବିଭାଗ, ନାବାର୍ଡ଼, ପଶୁ ସମ୍ପଦ ବିଭାଗ, ସମାଜ ମଙ୍ଗଳ, ସ୍ୱାସ୍ଥ୍ୟ, ସମଗ୍ର ଶିକ୍ଷା, ହସ୍ତଶିଳ୍ପ, ଉଦ୍ୟାନ କୃଷି ଆଦି ବିଭିନ୍ନ ବିଭାଗ ଏଥିରେ ଅଂଶଗ୍ରହଣ କରିବେ । ପ୍ରତ୍ୟେହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସ୍ଥାନୀୟ କଳାକାରଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରର ସ୍ୱନାମଧନ୍ୟ କଳାକାରମାନେ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଦର୍ଶକମାନଙ୍କୁ ବିମୋହିତ କରିବେ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠିକୁ ଜୀବିକା ମିଳିବା ସହ ଅର୍ଥନୈତିକ ସମୃଦ୍ଧି ଘଟିବ ବୋଲି ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିିତ୍ସା ଅଧିକାରୀ ଡା. ଦୀପ୍ତି ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଅରବିନ୍ଦ ଦାସ, ନାବାର୍ଡ଼ର ଡିଜିଏମ୍ ଅଶୋକ କୁମାର ଆଚାର୍ଯ୍ୟ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଏଡିଭିଓ(ପ୍ରାଣୀ ମଙ୍ଗଳ) ଡା. ପ୍ରଭଞ୍ଜନ ରଞ୍ଜନ କବି, ଓମ୍‌ଫେଡ୍‌ର ମ୍ୟାନେଜର୍ ଲଳିତ୍ କୁମାର ବିଷୋଇ, ଅତିରିକ୍ତ ଜିଲ୍ଲା ମୃତିକା ସଂରକ୍ଷଣ ଅଧିକାରୀ ଅଶୋକ କୁମାର ସାମଲ, ଏଡିଏଚ୍ ଦେବଦାସ ଦତ, ଉପଖଣ୍ଡ ପ୍ରାଣୀ ଚିକିିତ୍ସା ଅଧିକାରୀ ଡା. ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସାହୁ, ସହକାରୀ ଯନ୍ତ୍ରୀ ରମଣ ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଓର୍‌ମାସ୍‌ର ପଦାଧିକାରୀ ଓ କର୍ମକର୍ତା ପ୍ରମୂଖ ଉପସ୍ଥିତ ଥିଲେ । ପ୍ରାରମ୍ଭିକ ସୂଚନା ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓର୍‌ମାସ୍‌ର ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନୀରୋଦ କୁମାର ଜେନା ।

 


Discover more from

Subscribe now to keep reading and get access to the full archive.

Continue reading