
କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ତିନିମୁହାଣୀସ୍ଥିତ ଆଇଆଇଏଫ୍ଏଲ୍ ଘରୋଇ ବ୍ୟାଙ୍କରେ ସହକାରୀ ମ୍ୟାନେଜର ଜ୍ଞାନଜ୍ୟୋତି ମହାପାତ୍ର ଟାଉନ ଥାନାରେ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ ତିନିବର୍ଷ ହେବ କେନ୍ଦ୍ରାପଡା ସହରର ଜଇପୁରା ଗ୍ରାମର ସେକ୍ ମିନୋଜୁଦ୍ଦିନ୍ ବ୍ୟାଙ୍କକୁ ବିଭିନ୍ନ ସମୟରେ ଯାଇ ସହକାରୀ ମ୍ୟାନେଜରଙ୍କୁ ଧମକ ଦିଏ ଯେ ସେ ହେଉଛି ଜଣେ ଡନ୍ । ତାକୁ ଦାଦାବଟି ଦେବାକୁ ସବୁବେଳେ ତାଗିଦ୍ କରେ । ଭୟରେ ମ୍ୟାନେଜର କାହାକୁ କିଛି ନ କହି ଚୁପ୍ ହୋଇ ରହନ୍ତି । ଗତ ଗୁରୁବାର ଦିନ ସକାଳ ୧୦ଟାରେ ବ୍ୟାଙ୍କ ଭିତରକୁ ପଶିଯାଇ ବ୍ୟାଙ୍କ ପରିଚାଳକ ପ୍ରକୋଷ୍ଠକୁ ଯାଇ ପରିଚାଳକଙ୍କୁ ଚାପୁଡା ମାରି ଧମକ ଦେଇଥିଲା ଓ ଖରାପ ଭାଷାରେ ଗାଳିଗୁଲଜ କରିଥିଲା । ଏହାକୁ ଦେଖି ବ୍ୟାଙ୍କ କର୍ମଚାରୀମାନେ ତାକୁ ସେଠାରୁ ବାହାର କରିଦେଇଥିଲେ । ଅସାମାଜିକ ଯୁବକ ପରିଚାଳକଙ୍କୁ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା ବୋଲି ଟାଉନ ଥାନାରେ ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । ଆହୁରି ଅଭିଯୋଗ ଜରିଛନ୍ତି ଯେ ପୂର୍ବରୁ ବଳପୂର୍ବକ ଏଟିଏମ୍ କାର୍ଡ ଓ ସିକ୍ରେଟ୍ ନମ୍ବର ନେଇ ୭ହଜାର ଟଙ୍କା ଉଠାଇ ନେଇଥିଲା । ଟାଉନ ଥାନା ଅଧିକାରୀ ଦିଲ୍ଲୀପ ସାହୁ ଏକ ମାମଲା ରୁଜୁ କରି ସେକ୍ ମିନୋଜୁଦ୍ଦିନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।











