ଲୋକଙ୍କ ହାତ ପାହାନ୍ତାରେ ଉଚ୍ଚ ଗୁଣବତା ସମ୍ପନ୍ନ ଏବଂ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ପଟ୍ଟାମୁଣ୍ଡାଇ ପୌରାଂଚଳ ୧୩ ନମ୍ବର ୱାର୍ଡ ସ୍ଥିତ ପୋଖରିଆପଡା ଠାରେ ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉଦଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକ, ଏଡିଏମ ଡା. ସଚିଦାନନ୍ଦ ମିଶ,୍ର ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସା ଅଧିକାରୀ ନିରାକାର ପରିଡା, ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ୧୩ ନଂ କାଉନସିଲର ଲାସ୍ୟମୟୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭାବସ୍ଥା ଓ ପ୍ରସବ ସମୟରେ ଯତ୍ନ, ନବଜାତ ଶିଶୁ ସ୍ୱାସ୍ଥ୍ୟ ସେବା, କର୍ଣ୍ଣ, ନାସା, ଗଳା, ଚକ୍ଷୁ ରୋଗ ସମ୍ବନ୍ଧୀୟ ସେବାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଏଠାରେ ସର୍ବସାଧାରଣଙ୍କ ପାଇଁ କ୍ଲିନିକାଲ୍ ଯତ୍ନ, ପ୍ରାଥମିକ ଚିକିତ୍ସା, ଔଷଧ, ନିଦାନ ଏବଂ ଜରୁରୀକାଳୀନ ସେବା ଇତ୍ୟାଦି ବିନାମୂଲ୍ୟରେ ଉକ୍ତ ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଉପଲବ୍ଧ କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଏକୀକରଣ ଏବଂ କାର୍ଯ୍ୟକ୍ଷମତା ବୃଦ୍ଧି ସହିତ ସ୍ୱାସ୍ଥ୍ୟ ପ୍ରଣାଳୀର ମଜବୁତକରଣରେ ଏହା ଯୋଗଦାନ କରିବାର ଲକ୍ଷ୍ୟ ରହିଛି । ତତ ସହିତ ଯୋଗ, ବ୍ୟାୟାମ ଇତ୍ୟାଦି ସ୍ୱାସ୍ଥ୍ୟ ପ୍ରୋତ୍ସାହନ କାର୍ଯ୍ୟକଳାପ କରାଯିବା ପାଇଁ ବ୍ୟବସ୍ଥା ରହିବ । ଏହି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଦୈନନ୍ଦିନ ପରିଚାଳନା, ଉପଭୋକ୍ତା ସନ୍ତୋଷ ଏବଂ ସ୍ଥାୟୀ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି ଓ ହିତାଧିକାରୀଙ୍କୁ ନେଇ “ଜନ ଆରୋଗ୍ୟ ସମିତି’ ଗଠନ କରାଯାଇ ଏହି କେନ୍ଦ୍ରର ମାଲିକାନା ଓ ପରିଚାଳନା ଦାୟିତ୍ୱ ଦିଆଯିବ ।
ଏହି କାର୍ଯ୍ୟକ୍ରମକୁ ଡିପିଏମ ଗିତାଞଳି ଦାସ, ଏପିଏମ ଦିପକ ନାୟକ, ସ୍ୱସ୍ଥ୍ୟ ପରିଦର୍ଶକ ନୃସିଂହ ଦାସ, ଜୁନିଅର ହସ୍ପିଟାଲ ମ୍ୟାନେଜର ଚିତରଞନ ଚାନ୍ଦଙ୍କ ପ୍ରତ୍ଯକ୍ଷ ତତ୍ୱବଧାନରେ ହୋଇଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି, ସାଧାରଣ ଜନତା ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତଥିଲେ ।