ଅଙ୍ଗନୱାଡିକେନ୍ଦ୍ରରେ ଅନିୟମିତତାକୁନେଇ ଅନଶନ , ଉପଜିଲ୍ଲାପାଳଙ୍କହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ



ପଟ୍ଟାମୁଣ୍ଡାଇ ବ୍ଲକ ସମନ୍ୱିତ ମହିଳା ଓ ଶିଶୁବିକାଶ ଯୋଜନାରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଇ ଦିଆଯାଉଥିବା ସରକାରୀ ଅନୁଦାନ ଓ ସାମଗ୍ରୀ ଗୁଡିକର ବ୍ୟାପକ ବାଟମାରଣା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । । ସବୁଜାଣି ବିଭାଗୀୟ ଅଧିକାରୀ ମାନେ ଚୁପ ରହିବା ଘଟଣା ପ୍ରତିବାଦରେ ମଙ୍ଗଳବାର ବିଲିକଣା ପଂଚାୟତ ତେରୋହୀ ଦଳିତ ସାହିର ମହିଳା ପୁରୁଷ ମାନେ ପଟ୍ଟାମୁଣ୍ଡାଇ ବ୍ଲକ ସିଡିପିଓ କାର୍ଯ୍ୟାଳୟ ପରିସରରେ ଅନଶନ ଧାରଣା ଦେଇଥିଲେ । ଅପରାହ୍ନ ସାଢେ ଦୁଇ ଟା ବେଳେ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଘଟଣାର ସମାଧାନ ହୋଇଛି ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ବ୍ଲକ ଅଧିନ ବିଲିକଣା ପଂଚାୟତ ତେରୋହୀରେ ଥିବା ଅଙ୍ଗନୱାଡି କେନ୍ଦ୍ର ସହିତ ତେରୋହୀ ଦଳିତ ସାହି ସାମିଲ ଅଛି । ତେବେ ଏହି କେନ୍ଦ୍ରକୁ ଆସୁଥିବା ସାମଗ୍ରୀ ଓ ସରକାରୀ ଅନୁଦାନ ବ୍ୟାପକ ଭାବେ ବାଟମାରଣା ହେଉଥିବା ବେଳେ ହିତାଧିକାରୀ ଏହାର ସୁଫଳ ପାଇପାରୁ ନ ଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ଏହି କେନ୍ଦ୍ରରେ ପିଲାମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉ ଥିବା ବେଳେ ଅଣ୍ଡା, ଛତୁଆ ଓ ଗର୍ଭବତୀ ମହିଳାମାନଙ୍କୁ ଛତୁଆ ଏବଂ ଅନ୍ୟାନ୍ୟ ସୁଷମ ଖାଦ୍ୟ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି । ଏପରିକି ଅଙ୍ଗନୱାଡି କର୍ମୀ ସୁଭାସିନୀ ରାଉତ ଉଚ୍ଚ ବର୍ଗର ହୋଇ ଥିବାରୁ ଦଳିତ ପିଲା ମାନଙ୍କୁ ଜାତିଆଣ ଆକ୍ଷେପ କରିବା ସହିତ ଭେଦ ଭାବ ସୃଷ୍ଟି କରି ପାଠ ପଢାଉ ନ ଥିବାରୁ ଛୋଟପିଲାଙ୍କ ପ୍ରାଥମିକ ଶିକ୍ଷାରେ ଏହା ଅନ୍ତରାୟ ସୃଷ୍ଟିକରୁଛି ବୋଲି ସେମାନେ ଅଭିଯୋଗ ଉଠାଇଛନ୍ତି । ପୁନଶ୍ଚ ଅଙ୍ଗନ ୱାଡି କମିଟି ନ ଡାକି ଅଙ୍ଗନୱାଡି କର୍ମୀ ମନମୁଖି କାର୍ଯ୍ୟ କରିବା, ଗାଁ କଲ୍ୟାଣ ସମିତି ଅନୁଦାନ କାର୍ଯ୍ୟରେ ନ ଲଗାଇବା ଆଦି ଅଭିଯୋଗ କରାଯାଇଛି । ତେବେ ଏ ସଂପର୍କରେ ପଟ୍ଟାମୁଣ୍ଡାଇ ସିଡିପିଓ ଓ ଅଙ୍ଗନୱାଡି ସୁପରଭାଇଜରଙ୍କୁ ଅବଗତ କରାଗଲେ ମଧ୍ୟ କୈାଣସି ଫଳ ନ ହେବାରୁ ତେରୋହୀ ଦଳିତ ସାହି ପକ୍ଷରୁ ଏଥି ନେଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ ଘଟଣାକୁୁ ତଦନ୍ତ କରା ନ ଯିବାରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ ତେରୋହୀ ଦଳିତ ସାହିର ଲୋକମାନେ ୱାଡ ସଭ୍ୟ ବିଜୟ ମଳିକଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନଶନରେ ବସିଥିଲେ । ଦିନ ୧ ଟା ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଳକୁ କୌଣସି ଅଫିସର ନ ଆସିବାରୁ ଉତ୍ୟେଜନା ସୃଷ୍ଟି ହୋଇଥିଲା । ଘଟଣା ସଂପର୍କରେ ଖବରପାଇ କେନ୍ଦ୍ରାପଡା ଉପଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନ ନିର୍ଦ୍ଦେଶରେ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ,ଆଇ ଆଇ ସି ରଂଜିତ ମହାନ୍ତି, ସିଡିପିଓ ମନୋରମା ସ୍ୱାଇଁ , ସରପଞ୍ଚ ଲଷ୍ମୀପ୍ରିୟା ଷଢଙ୍ଗୀ ଓ ଯୁବନେତା ଶଶୀଭୁଷଣ ଷଢଙ୍ଗୀ ଆନ୍ଦୋଳନ ସ୍ଥଳରେ ପହଚିଂ ଅନଶନ କାରୀ ତେରୋହୀ ଦଳିତ ସାହି ଲୋକମାନଙ୍କ ସହିତ ଆଲୋଚନା କରି ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ତେରୋହୀ ଅଙ୍ଗନୱାଡି କେନ୍ଦ୍ରକୁ ଦୁଇଭାଗରେ ବିଭକ୍ତ କରି ଅନ୍ୟ ଏକ ମିନି ଅଙ୍ଗନୱାଡି କେନ୍ଦ୍ର ଖୋଲାଯିବା ନେଇ ପ୍ରତିଶୃତି ଦେବା ପରେ ଅପରାହ୍ନରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।


Next Post

ମୋ ସେବା କେନ୍ଦ୍ର, କେନ୍ଦ୍ରାପଡା ଜିଲ୍ଲାରେ ସଫଳ ହୋଇ ପାରିଛି ନେଇ ଆଲୋଚନା

Wed Dec 6 , 2023
ରାଜ୍ୟର ୩୦ଟି ଜିଲ୍ଲାରେ ଜନସାଧାରଣଙ୍କ ନିକଟରେ ଇନଟରନେଟ୍ ସେବା ପହଁଚାଇବା ପାଇଁ ସହଜ ଓ ସରଳ ଭାବରେ ରାଜ୍ୟ ସରକାରଙ୍କ ୫ଟି ଅଧିନରେ ମୋ ସେବା କେନ୍ଦ୍ର ପ୍ରତ୍ୟେକ ପଂଚାୟତରେ ଖୋଲିବା ପ୍ରୟାସ ଏବେ କେନ୍ଦ୍ରାପଡା ଜିଲ୍ଲାରେ ସଫଳ ହୋଇ ପାରିଛି । ସହଜ ସଂସ୍ଥା ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଜିଲ୍ଲାର ୯ଟି ବ୍ଲକରେ ଥିବା ୨୪୯ ପଂଚାୟତ, କେନ୍ଦ୍ରାପଡା ମୁନିସିପାଲିଟିର ୨୧ଟି ଓ୍ୟାର୍ଡ ଓ ପଟ୍ଟାମୁଣ୍ଡାଇ […]

You May Like