
ରାଜ୍ୟ ସରକାରଙ୍କ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ ଓ ଭୋଟର ସଚେତନତା କାର୍ଯ୍ୟକ୍ରମ ବଡ଼ପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଅଧ୍ୟକ୍ଷ ପ୍ରଫେସର ଶ୍ରୀକାନ୍ତ ଦାସଙ୍କ ପୌରହିତ୍ୟ ଓ ପ୍ରାଧ୍ୟାପକ ଅମରେନ୍ଦ୍ର ପତିଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ. ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମସ୍ତ ପ୍ରାଚୁର୍ଯ୍ୟରେ ଭରପୁର ଓଡିଶାର ଯୁବଶକ୍ତି ପ୍ରକୃତ ଶକ୍ତି ହୋଇଥିବାରୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ନୂଆ ଓଡିଶା ଗଠନ ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ସମାଜସେବା ନୋଡାଲ ଅଫିସର ପ୍ରାଧ୍ୟାପକ ମନ୍ମଥ ପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ନୂତନ ସଶକ୍ତ ଓଡିଶା ଗଠନର ଭିତିିଭୂମିକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବ ଶକ୍ତିଙ୍କ ଅନ୍ତର୍ନିହିତ ବିକାଶ ପାଇଁ ଯୁବ ଓଡିଶା ନବୀନ ଓଡିଶା ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପ ବୋଲି ମତପ୍ରକାଶ କରି ଏହାକୁ ସଫଳ କରିବାକୁ ଅନୁରୋଧ କରିଥିଲେ । ଏହି ଉତ୍ସବରେ ସାଂସ୍କୃତିକ କମିଟି ନୋଡାଲ ଅଫିସର ପ୍ରାଧ୍ୟାପକ ସନ୍ତୋଷ ଜେନା, କ୍ରୀଡା କମିଟିର ନୋଡାଲ ଅଫିସର ପ୍ରାଧ୍ୟାପକ ଇମଦାଦ ଅଲ୍ଲୀ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଯୁବଶକ୍ତିର ପ୍ରତିଭା ବିକାଶ କ୍ଷେତ୍ରରେ ରହିଥିବା ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାଧ୍ୟାପକ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବଳଭଦ୍ରପୁର ସରପଂଚ ପ୍ରିୟବ୍ରତ ଓଝା, ବଡ଼ମୋହନପୁର ସରପଂଚ ପ୍ରତିନିଧି ରାମ ଚନ୍ଦ୍ର ରାଉତ ଓ ସାନଜରିଆ ସମବାୟ ସମିତି ସଭାପତି ନିକୁଞ୍ଜ ଦାଶ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଥିରେ ସଂସ୍କୃତି, କ୍ରୀଡା, ସାମାଜିକ ସେବା ଦାୟିତ୍ୱରେ ଥିବା ପ୍ରାଧ୍ୟାପକ /ଅଧ୍ୟାପକମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଇ ଅବସରରେ ପାରମ୍ପରିକ ନୃତ୍ୟ ଫ୍ୟାସନ ସୋ ସମେତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । କ୍ରୀଡା ପ୍ରଶିକ୍ଷକ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ ।











