
କେନ୍ଦ୍ରାପଡା ପଞ୍ଚୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା କର୍ମଶାଳା ଶୁକ୍ରବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚୟନ କରାଯାଇଥିବା ୫୫୦ଟି ଗ୍ରାମରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ପ୍ରସ୍ତୁତ କରାଯିବ ସେଥିନେଇ ଅତିରିକ୍ତ ଜିଲ୍ଲାପାଳ ସବିଶେଷ ଆଲୋଚନା କରିଥିଲେ । ଉକ୍ତ ଯୋଜନା ପ୍ରସ୍ତୁତ କରିବା ସମୟରେ ଜନ ପ୍ରତିନିଧି, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଜି.ଆର.ଏସ, ୱାଡ ମେମ୍ବର, ଏସଏଚଜି ମାନଙ୍କ ଗୁରୁତ୍ୱ ବିଷୟରେ ଚୁମବକୀୟ ଅଭିଭାଷଣ ସେ ପ୍ରଦାନ କରିଥିଲେ ।

କେନ୍ଦ୍ରାପଡା ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ପ୍ରପୀଡିତ ଜିଲ୍ଲା । ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ରାଜ୍ୟସ୍ତରରେ ଆମର ସୁନାମ ଅଛି ବୋଲି ସେ ପ୍ରକାଶ କରିଥିଲେ । ଆମ ଜିଲ୍ଲାରେ ନିଆଯାଉଥିବା ପଦକ୍ଷେପ ଗୁଡିକୁ ରାଜ୍ୟ ସରକାର ଅନ୍ୟ ଜିଲ୍ଲାରେ କାର୍ଯ୍ୟକାରୀ କରିବା ପାଇଁ ଖସଡା ପ୍ରସୂତ କରିଥାନ୍ତି । ବିପର୍ଯ୍ୟୟ ପରିଚାଳନା ପାଇଁ ତୃଣମୂଳ ସ୍ତରରେ ସମସ୍ତଙ୍କର ସହଯୋଗ ଓ ସହଭାଗୀତାର ଗୁରୁତ୍ୱ ରହିଛି ବୋଲି ସେ ପ୍ରକାଶ କରିଥିଲେ । ଜରୁରୀ କାଳୀନ ବିଭାଗର ସହକାରୀ ଜିଲ୍ଲାପାଳ ଜୟନ୍ତ କୁମାର ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏହି କର୍ମଶାଳର ଆଭିମୁଖ୍ୟ ବିଷୟରେ ବର୍ଣନା କରିବାକୁ ଯାଇ କହିଥିଲେ ଯେ ଉକ୍ତ ଜିଲ୍ଲାସ୍ତରୀୟ କର୍ମଶାଳା ପରେ ବ୍ଲକ ସ୍ତରୀୟ କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବ । ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ବାତ୍ୟା ଆଶ୍ରୟସ୍ଥଳୀ ଥିବା ଗ୍ରାମ ଗୁଡିକରେ କରାଯିବ ନାହିଁ ବୋଲି ସେ ସୂଚନା ଦେଇଥିଲେ । ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ ଓ ଯୋଜନା ଆସନ୍ତା ୨୦୨୪ ମସିହା ଏପ୍ରିଲ ମାସ ସୁଦ୍ଧା ସମାପ୍ତ କରିବା ପାଇଁ କର୍ମଶାଳାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ଦ୍ୱାରା ଅନୁମୋଦିତ ଯୋଜନା ଗୁଡିକୁ ବ୍ଲକ ଓ ଜିଲ୍ଲା ସ୍ତରରେ ଅନୁମୋଦନ ପରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ । ବ୍ଲକ ସ୍ତରରେ ବିଡିଓମାନେ ପ୍ରତିମାସରେ ଯୋଜନା ଗୁଡିକୁ ପର୍ଯ୍ୟାଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ସ୍ୱେଚ୍ଛାସେବୀ ସଂଗଠନ ମତ ଦେଇଥିଲେ । ଜରୁରୀକାଳୀନ ବିଭାଗର ଡିପିଓ ସନ୍ତୋଷ କୁମାର ବେହୁରା ପିପିଟି ମାଧ୍ୟମରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନାର ଅଭିମୁଖ୍ୟ ଓ କାର୍ଯ୍ୟକାରିତା ବିଷୟରେ ଉପସ୍ଥିତ ସଦସ୍ୟମାନଙ୍କୁ ବୁଝାଇବାସହ ସଦସ୍ୟମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଉକ୍ତ କର୍ମଶାଳାରେ ଡିଏସପି (ଡିଆଇବି) ଲକ୍ଷ୍ମୀ ନାରାୟଣ ତିୱାରୀ, କେନ୍ଦ୍ରାପଡା ବିଡିଓ ବନ୍ଦନା ଖଟୁଆ, ଗରଦପୁର ବିଡିଓ ପ୍ରଦ୍ୟୁମ୍ନ କୁମାର ନାୟକ, ଏଡିଏମଓ ଡା. ସଚ୍ଚିଦାନନ୍ଦ ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସତ୍ୟଭାମା ସେଠୀ, ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ସହକାରୀ ଅଗ୍ନିଶମ ଅଧିକାରୀ ନରେନ ମହାନ୍ତି, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଜରୁରୀକାଳୀନ ବିଭାଗର ସେକସନ ଅଫିସର ରଘୁନାଥ ଦାସ, ତୁଷାରାକାନ୍ତ ପଟ୍ଟନାୟକ ଓ ବିଜୟ କୁମାର ଘଡାଇ ପ୍ରମୁଖ କର୍ମଶାଳା ଆୟୋଜନରେ ସହାୟତା ପ୍ରଦାନ କରିଥିଲେ ।











