
କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳମାନଙ୍କର ଏକ ବୈଠକ ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଂଗ୍ରେସ, ସିପିଆଇ, ସିପିଏମ୍ ଓ ଆପ୍ ଦଳର ଜିଲ୍ଲାସ୍ତରୀୟ ନେତୃମଣ୍ଡଳୀ ଭାଗନେଇ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଜିଲ୍ଲାର ସମସ୍ତ ୫ଗୋଟି ବିଧାନସଭା କ୍ଷେତ୍ରରେ ମେଣ୍ଟ ତରଫରୁ ଜଣେ ଜଣେ ପ୍ରାର୍ଥୀ ଦେଇ ଏକାଠି ଲଢିବାକୁ ସର୍ବସମ୍ମତି ମତେ ପ୍ରସ୍ତାବ ଗୃହୀତ ହୋଇଛି । ଗଣେଶ୍ୱର ବେହେରା କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ ଉପସ୍ଥିତ ସମସ୍ତ ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳମାନଙ୍କୁ ସାଙ୍ଗରେ ଧରି ପରସ୍ପର ମଧ୍ୟରେ ସମନ୍ୱୟ ତଥା ସହଯୋଗ ରକ୍ଷାକରି ପ୍ରତ୍ୟେକ ରାଜନୈତିକ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ରଖିଥିଲେ । ଏତଦ୍ବ୍ୟତୀତ ନିମ୍ନମତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆସନ୍ତା ଡିସେମ୍ବର ୨୦ରେ ମେଣ୍ଟଦଳ ତରଫରୁ ଏକ ମିଳିତ କର୍ମଶାଳା ଆୟୋଜନ କରାଯାଇ ସ୍ଥାନୀୟ ତଥା ରାଜ୍ୟର ଜନସମସ୍ୟା ସଂକ୍ରାନ୍ତରେ ମେଣ୍ଟର ଆଭିମୁଖ୍ୟ ନିର୍ଦ୍ଧାରଣ କରାଯିବ । ଚଳିତ ମାସରେ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଆହୁତ କରାଯିବ । ପୂର୍ବତନ ବିଧାୟକ ଚିନ୍ମୟ ବେଉରା, ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ଦାସ ଆଜିର ବୈଠକରେ କଂଗ୍ରେସ ତରଫରୁ ନଗର ସଭାପତି ରାଜେଶ ମହାନ୍ତି, ଯୁବ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ପୂର୍ବତନ ପିସିସି ସମ୍ପାଦକ ମୁକ୍ତାର ଖାଁ, ସିପିଏମ୍ କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ଜଗଜୀବନ ଦାସ, ସିପିଆଇର ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ଜିଲ୍ଲା ସହସମ୍ପାଦକ ଆଦିକନ୍ଦ ରାଉଳ, ଆପ୍ ଦଳ ତରଫରୁ ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସ, ଜିଲ୍ଲା ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା, ଜିଲ୍ଲା ଯୁବ ସଭାପତି ସାହିଲ୍ ଫଏଜଲ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମଭାବାପନ୍ନ ରାଜନୈତିକ ସଂଗଠନ ଓ ବ୍ୟକ୍ତିବିଶେଷମାନଙ୍କୁ ସାମିଲ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ।











