ଆବର୍ଜନା ଗଦାରେ ନିଆଁ ଲଗାଇ ବାୟୁ ପ୍ରଦୁଷଣ


  •   ପଟ୍ଟାମୁଣ୍ଡାଇ ପୌରପରିଷଦ ସହର ସାରା କୁଢ କୁଢ ଆବର୍ଜନା     
  •   ନାମକୁ ମାତ୍ର ବର୍ଜ୍ୟବସ୍ତୁ ପରିଚାଳନା କମ୍ପୋଷ୍ଠ ସେଂଟର

ସହରର ସ୍ୱଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ୱାୟତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ । ଏ କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ପୌରପାଳିକା କେବଳ ଆପରାଧିକ ଅବହେଳା କରୁନାହିଁ, ବରଂ ଜାତିୟ ଗ୍ରୀନ ଟ୍ରୀବୃନାଲ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦକୁ ମଧ୍ୟ ବେଖାତିର କରୁଛି । ପଟ୍ଟାମୁଣ୍ଡାଇ ପୌରପରିଷଦ କର୍ମଚାରୀ ମାନେ ସହରର ବିଭିନ୍ନ ସ୍ଥାନରେରେ ଅଳିଆ ଆବର୍ଜନା ପକାଇବା ସହିତ ରାତିରେ ନିଆଁ ଲଗାଇ ଜଳାଇ ଦେଉଛନ୍ତି । ଫଳରେ ସେଠାରେ ବସବାସ କରୁଥିବା ଲେକେ ବାୟୁ ପ୍ରଦୂଷିଣର ଶିକାର ହେଉଛନ୍ତି । ପୌରପରିଷଦର ଏହି ଆଭିମୁଖ୍ୟ ପାଇଁ ସହରାଂଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସାମାଜିକ କର୍ମୀ ପ୍ରେମାନନ୍ଦ ପଣ୍ଡା କୁହନ୍ତି ପଟ୍ଟାମୁଣ୍ଡାଇ ପୌର ସଂସ୍ଥା ପକ୍ଷରୁ ବିଭିନ୍ନ ୱାର୍ଡରୁ ବାହାରୁଥିବା ଆବର୍ଜନା ସବୁକୁ ପଟ୍ଟାମୁଣ୍ଡାଇ କେନାଲ ବନ୍ଧର ବିଦ୍ୟୁତ୍ ଅଫିସ ନିକଟ ପୋଲ ପାଖ କେନାଲ କଡ଼ରେ ପକା ଯାଉଥିବାରୁ ସେଠାରେ ଗଦା ହୋଇ ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ସେହି ରାସ୍ତା ଦେଇ ଲୋକମାନେ ନାକରେ କପଡ଼ା ଦେଇ ଯା’ାଆସ କରୁଛନ୍ତି । ସଫେଇ ଦାୟିତ୍ୱରେ ଥିବା କର୍ମଚାରୀମାନେ ଡଷ୍ଟବିନ୍‌ରେ ପଡୁଥିବା ଅଳିଆ ସବୁ ଆଣି ରସ୍ତାକଡ଼ରେ ଫିଙ୍ଗି ଦେଉଛନ୍ତି । ୧୫ ଦିନ ମାସେ ପରେ ସେହି ଅଳିଆ ଆବର୍ଜନାରେ ନିଆଁ ଲଗାଇ ପୋଡି ଦେଉଛନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି ବୋଲି ସେ କହିଥିଲେ ।

ସେହିପରି ଅନନ୍ତ ଦାସ କୁହନ୍ତି ପଟ୍ଟାମୁଣ୍ଡାଇ ପୌରପରିଷଦର ପକ୍ଷରୁ କାନ୍ଥବାଡରେ ଅଳିଆକୁ ବାହାରେ ନିଆଁ ଲଗାଇ ଜାଳିବା ଆଇନ ଅନୁଯାୟୀ ନିଷିଦ୍ଧ ବୋଲି ଲେଖି ବିଜ୍ଞାପନ କରୁଛନ୍ତି । ହେଲେ ନିଜେ ପୌରକର୍ମଚାରୀମାନଙ୍କ ଦ୍ୱାରା କୁଢ଼କୁଢ଼ ଅଳିଆ ପୋଡ଼ାଯାଉଥିବା ମଙ୍ଗଳବାର ସଂନ୍ଧ୍ୟା ଇଲେକ୍ଟ୍ରି ଅଫିସ ପାଖ କେନାଲ କଡ ବାଇପାସ ରାସ୍ତାରେ ଦେଖିବାକୁ ମିଳିଛି । ଫଳରେ ଆବର୍ଜନାରୁ ବିସାକ୍ତ ଧୁଆଁ ବାହାରି ପରିବେଷ ପ୍ରତି ବିପଦ ସୃଷ୍ଟିି କରୁିିଛି । କାନ୍ଥବାଡରେ ସ୍ୱଚ୍ଛ ପରିମଳ ପାଇଁ ବିଭିନ୍ନ ନିୟମ ପାଳନ କରିବାକୁ ଅର୍ଥ ଖର୍ଚ୍ଚ କରି ବହୁ ସଚେତନତାର ବାର୍ତା ଲେଖାଯାଉଛି । ଉଲ୍ଲଂଘନକାରୀଙ୍କୁ ଜାତୀୟ ସବୁଜ ପ୍ରାଧିକରଣଙ୍କ ଦ୍ୱାରା ୫ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ଦର୍ଶାଯାଇଛି । ହେଲେ ଖୋଦ୍ ଉକ୍ତ ନିୟମକୁ ପାଳନ ନ କରି ପୌର ପରିଷଦ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।

ବୁଦ୍ଧିଜୀବୀ ପ୍ରବିର ନାୟକ କହିଛନ୍ତି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ୨୦ଟି ୱାର୍ଡକୁ ନେଇ ଗଠିତ । ଏହି ପୌରାଂଚଳରେ ବେସରକାରୀ ଭାବେ ଲୋକସଂଖ୍ୟା ପ୍ରାୟ ୪୫ ହଜାରରୁ ଉର୍ଦ୍ଧ୍ୱ ଛୁଇଁଲାଣି । ପ୍ରତ୍ୟହ ସହରରୁ ଅତି କମ୍‌ରେ ୫୦ ଟନ ଆବର୍ଜନା ବାହାରୁଛି । ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁସାରେ ପୌରାଂଚଳ ଆବର୍ଜନାର ପରିଚାଳନା ପାଇଁ ମାକ୍ରୋ କମ୍ପୋଷ୍ଠ କେନ୍ଦ୍ର ମାଟିଆ ଓ କଷଣଅଂଟାରେ ପ୍ରତିଷ୍ଠା କରିଛନ୍ତି । ମ୍ୟୁନିସିପାଲିଟି ସହରର ୨୦ଟି ଯାକ ୱାର୍ଡର ଆବର୍ଜନା ଉଠାଇବା ଦାୟିତ୍ୱ ଚନ୍ଦନ ସିକୁରିଟ ସର୍ଭିସ ନାମକ ଏକ ବେସରକାରୀ ସଂସ୍ଥାକୁ ଠିକା ଦେଇଛି । ସମ୍ପୃକ୍ତ ଠିକା ସଂସ୍ଥା ସହରର ଆବର୍ଜନା ଏଣେତେଣେ ଗଦା କରିବା ସହ ବଡ଼ ଅଂଶ ଇଲେକ୍ଟ୍ରି ଅଫିସ କେନାଲ ବନ୍ଧରେ ଜମା କରୁଛି । କିନ୍ତୁ କମ୍ପୋଷ୍ଠ କେନ୍ଦ୍ରଠାରେ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ନ କରି ରାତି ଅଧିଆ ସେଠାରେ ନିଆଁ ଲଗାଇ ଦେଉଛି ।

ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି ପରିମଳ ବ୍ୟବସ୍ଥା ପାଇଁ ନିୟୋଜିତ ଠିକାସଂସ୍ଥାକୁ ସରକାରୀ ଭାବେ ମାସକୁ ପ୍ରାୟ ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଦିଆଯାଉଛି । ଏହାବାଦ ରାସ୍ତାକଡ଼ରୁ ମଇଳା ନ ଉଠିବା, ଡ୍ରେନ୍ ସଫା ନ ହେବା ଯୋଗୁ ମଶାଙ୍କ ପ୍ରାଦୁର୍ଭାବ ଚରମସୀମାରେ ପହଂଚିଛି । ପୌର ପରିଷଦ ତରଫରୁ ନିୟୋଜିତ ସଂସ୍ଥା ଦ୍ୱାରା କୌଣସି ମଶାମରା ଔଷଧ ବ୍ୟବହାର ହେଉନାହିଁ । ପ୍ରାୟ ୬ ମାସ ହେବ ସହରର ଅଧିକାଂଶ ଡ୍ରେନ ସଫା ହୋଇନାହିଁ । ଡ୍ରେନରେ ଆବଶ୍ୟକ ମଶାତେଲ ସିଂଚନ କରାଯାଉନାହିଁ । ଏଥିପାଇଁ ଆସୁଥିବା ଅନୁଦାନକୁ ଠିକାସଂସ୍ଥା ଓ ପୌର କର୍ତୃପକ୍ଷ ମିଳିମିଶି ଚଳୁ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି ।ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କୁ ପଚାରିବାରେ ସେ କହିଛନ୍ତି, ଅଳିଆ ଗଦାରେ ନିଆଁ ଲଗାଇବା ଘଟଣା ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।


Next Post

ଆସନ୍ତା ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା

Wed Dec 13 , 2023
ଆସନ୍ତା ଫେବୃୟାରୀ ୨୦ ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଜଣାପଡିଛି । ପ୍ରକାଶ ପାଇଥିବା ସୂଚୀ ଅନୁଯାୟୀ ୨୦ରେ ଓଡ଼ିଆ, ୨୩ରେ ଇଂରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ।ଆଗାମୀ ଦଶମ ପରୀକ୍ଷାରେ ରାଜ୍ୟବ୍ୟାପୀ ୨୯୯୧ କେନ୍ଦ୍ରରେ ମୋଟ […]

KANIKA