
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ଘଟଣାକୁ ନେଇ ବହୁ ଶିକ୍ଷାବିତ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ଏହି ଘଟଣାରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମହାବିଦ୍ୟାଳୟର ଗଣିତ ବିଭାଗ ମୁଖ୍ୟ ପ୍ରଫେସର ଅଶୋକ କୁମାର ମିଶ୍ରଙ୍କୁ କଲେଜ ପରିସରରେ ଥିବା ବିଭାଗୀୟ କାର୍ଯ୍ୟାଳୟରେ କେତେକ ଅସାମାଜିକ ବ୍ୟକ୍ତି ପଶି କଲେଜ ଅଧ୍ୟକ୍ଷ ନିଯୁକ୍ତି ସଂକ୍ରାନ୍ତୀୟ ହାଇକୋର୍ଟରେ ବିଚାରାଧୀନ ଥିବା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିନେବାକୁ ଧମକ ଦେବା ସହିତ ଗାଳିଗୁଲଜ କରିଥିବା ସମ୍ପର୍କରେ ସେ ଭାରପ୍ରାପ୍ତ କଲେଜ ଅଧ୍ୟକ୍ଷ ଅଶୋକ କୁମାର ଦାସଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଅଦ୍ୟାବଧି କଲେଏଜ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ପ୍ରଫେସର ମିଶ୍ର କହିଛନ୍ତି । ଘଟଣା ଅନୁଯାୟୀ ଗତ ୯ତାରିଖ ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ପ୍ରଫେସର ମିଶ୍ର ମହାବିଦ୍ୟାଳୟ ପରିସରରେ ଥିବା ଗଣିତ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ହଠାତ୍ ୫/୭ଜଣ ଅସାମାଜିକ ବ୍ୟକ୍ତି ବିଭାଗ କାର୍ଯ୍ୟାଳୟ ଭିତରେ ପଶି ପ୍ରଫେସର ମିଶ୍ରଙ୍କୁ ବାହାରକୁ ଆସିବାକୁ ଡାକିଥିଲେ । ପ୍ରଫେସର ମିଶ୍ର ସେହି ସମୟରେ କ୍ଲାସ ନେବାକୁ ଶ୍ରେଣୀକକ୍ଷକୁ ଯିବାର ଥିବାରୁ ସେ କାର୍ଯ୍ୟାଳୟ ବାହାରକୁ ଯିବାକୁ ମନାକରିଦେଇଥିଲେ । ଏହାପରେ ସେହି ଅସାମାଜିକ ବ୍ୟକ୍ତ୍ରିମାନେ ପ୍ରଫେସର ମିଶ୍ରଙ୍କୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦାଏର କରିଥିବା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିନେବାକୁ ବିଭିନ୍ନ ପ୍ରକାର ଧମକଚମକ ଦେବା ସହିତ ଗାଳିଗୁଲଜ କରିଥିବା ପ୍ରଫେସର ମିଶ୍ର କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଦାସଙ୍କୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ଘଟଣାର ୮ଦିନ ପରେବି ପ୍ରଫେସର ମିଶ୍ରଙ୍କ ସେହି ଅଭିଯୋଗ ଉପରେ କଲେଜ ଅଧ୍ୟକ୍ଷ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଗଣିତ ବିଭାଗ ମୁଖ୍ୟ ପ୍ରଫେସର ମିଶ୍ର କହିଛନ୍ତି । ଏସମ୍ପର୍କରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଦାସଙ୍କ ମତାମତ ପଚରାଯିବାରେ ସେ କହିଥିଲେ ଯେ ମୁଁ ସେହି ଅଭିଯୋଗ ଉପରେ ଅନ୍ୟ ଅଧ୍ୟାପକମାନଙ୍କ ସହ ଆଲୋଚନା ଜାରି ରଖିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ପ୍ରଫେସର ବିନ୍ଦୁମିତ୍ର ବଳ, ପ୍ରାଧ୍ୟାପକ ଡଃ. ଗିରୀଶ ଚନ୍ଦ୍ର ପାତ୍ର, ପ୍ରାଧ୍ୟାପକ ତପନ କୁମାର ପତି ପ୍ରମୁଖ ବହୁ ଶିକ୍ଷାବିତ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ଘଟଣାରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।











