କେରଳରେ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା . କେନ୍ଦ୍ରାପଡାରେ ଚିନ୍ତା


  • ଟିଏମ୍‌ସି କେନ୍ଦ୍ରର ଜିନିଷ ସବୁ ଗାଏବ,
  • କେରଳ ଫେରନ୍ତା ପାଇଁ ଚିନ୍ତା


ପୁଣି କରୋନା ମହାମାରୀ ସଂକ୍ରମଣ ଫେରିଛି । କରୋନାର ସବ୍‌ଭ୍ୟାରିଏଂଟ ଜେଏନ୍ ୧ କର୍ନାଟକ ଓ କେରଳରେ ଠାବ ହେବା ପରେ ଭୟ ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ବୈଠକ ବସିବ । କୋଭିଡ୍ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏହାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଯେଉଁ ନୂଆ ଭାରିଏଂଟ କଥା କୁହାଯାଉଛି ତାହା ନ୍ୟାଚୁରାଲ । ଥଣ୍ଡା, ଜ୍ୱର କାଶ ହେଲେ ଟେଷ୍ଟ କରି ନିଅନ୍ତୁ । ଗହଳି ସ୍ତାନରୁ ନିଜକୁ ଦୂରାଇ ରଖନ୍ତୁ ବୋଲି କହିଥିଲେ । କେରଳରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି କେରଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାରୁ କେନ୍ଦ୍ରାପଡା ଜିଲ୍ଲାରେ ଭୟର ବାତାବରଣ ବଢିବାରେ ଲାଗିଛି ।
ବୁଦ୍ଧିଜିବୀ ପ୍ରବିର ନାୟକ କୁହନ୍ତି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ବ୍ଲକ ଅଂଚଳର ଲୋକମାନଙ୍କ ଉପସ୍ଥିତି କର୍ନାଟକ ଓ କେରଳରେ ଥିବାରୁ ଚିନ୍ତା ବଢିବାରେ ଲାଗିଛି । ଦୈନିକ କେରଳରୁ ବସ ଯୋଗେ ଲୋକେ ପଟ୍ଟାମୁଣ୍ଡାଇ ଅଂଚଳକୁ ଯିବା ଆସିବା କରୁଛନ୍ତି । କରୋନା ନୂଆ ଭାରିଆଂଟ ଯଦି ତା’ର କାୟା ବିସ୍ତାର କରେ ତାହାହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପକ୍ଷେ ମୁକାବିଲା କରିବା କଷ୍ଟସାଧ୍ୟ ହୋଇପଡିବ । କରୋନା କାଳରେ ପ୍ରତିଷ୍ଠା କରାଯାଇଥିବା ଟେମ୍ପରାରି ହେଲଥ ସେଂଟର(ଟିଏମସି) ସାମଗ୍ରୀ ଏବେ ଖତ ଖାଉଥିବା ବେଳେ ଅଧିକାଂଶ ମୂଲ୍ୟବାନ ସାମଗ୍ରୀ ଗାଏବ ହୋଇଯାଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି ମହାମାରୀ କୋଭିଡ୍ ମୁକାବିଲା ଲାଗି ପ୍ରତି ପଂଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି) ଖୋଲାଯାଇଥିଲା । ଖଟଠୁ ନେଇ ଗଦି, ବେଡସିଟ୍‌, ତକିଆ, ଫ୍ୟାନ୍‌, ଆକ୍ୱାଗାର୍ଡ, ବାଲ୍‌ଟି, ଟିଭି କିଣାଗଲା । ହେଲେ କୋଭିଡ୍ ପ୍ରକୋପ କମିବା ପରେ ଟିଏମ୍‌ସି ପାଇଁ ଯେଉଁ ସବୁ ଭିତିଭୂମି ସୃଷ୍ଟି କରାଯାଇଥିଲା, ସେଥିରୁ ଅଧାରୁ ଅଧିକ ଜିନିଷ ଏବେ ନାହିଁ । ବେଡସିଟ୍‌, ତକିଆ, ବାଲ୍‌ଟି, ମଗ ଇତ୍ୟାଦି ସମ୍ପୂର୍ଣ୍ଣ ଗାଏବ ହୋଇଯାଇଛି ବୋଲି ସାଧାରଣରେ ଅଭିଯୋଗ ହେଉଛି ।
ଆଇନଜବୀ ପ୍ରମୋଦ ସାହୁ, ସାମାଜିକ କର୍ମୀ କ୍ଷୀରୋଦ ମଲିକ, ମଳୟ ଦାସ କୁହଛନ୍ତି, ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୦ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଘୋଷଣା କଲେ । ୨୦୨୦ ମାର୍ଚ୍ଛ ୨୫ରୁ କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍‌ଡାଉନ ଘୋଷଣା କଲେ । କେନ୍ଦ୍ରାପଡ଼ା କରୋନା ସଂକ୍ରମଣ ପାଇଁ ଅତ୍ୟନ୍ତ ସମବେଦନଶୀଳ ଜିଲା ଭାବେ ଉଭା ହୋଇଥିଲା । କାରଣ ସମଗ୍ର ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଜିଲାର ପଟ୍ଟାମୁଣ୍ଡାଇ ଲୋକମାନଙ୍କ ଉପସ୍ଥିତି ଥିବାରୁ କରୋନା କ୍ଷେତ୍ରରେ ଏହା ସ୍ପର୍ଶକାତର ଅଂଚଳ ଭାବେ ସରକାରୀସ୍ତରରେ ଚିହ୍ନଟ କରାଗଲା । ସମଗ୍ର ଦେଶରେ ଲକ୍‌ଡାଉନ ଥିବାରୁ ବିଭିନ୍ନ ଦେଶ ଓ ରାଜ୍ୟରୁ ପ୍ରବାସୀମାନଙ୍କ ଗୃହ ଆଗମନ ହୋଇଥିଲା । ପ୍ରବାସୀମାନଙ୍କ ଆଗମନରେ ସଂକ୍ରମିତ ବଢିବାକୁ ଲକ୍ଷ୍ୟ କରି ପ୍ରଶାସନିକ ତତ୍ପରତା ବଢ଼ିବା ସହ ସରକାରଙ୍କ ନିଷ୍ପତିକ୍ରମେ ଜିଲାର ପ୍ରତ୍ୟେକ ପଂଚାୟତ ଓ ପୌରାଂଚଳରେ ଏକାଧିକ ଟିଏମ୍‌ସି ଖୋଲାଯାଇଥିଲା । ଲକ୍ଷାଧିକ ଟଙ୍କା ବ୍ୟୟରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ ପ୍ରସ୍ତୁତ କରିବା ପାଇଁ ରଙ୍ଗ ଦେବାଠାରୁ ଆରମ୍ଭ କରି ଖଟିଆ, ଗଦି, ବେଡ୍‌ସିଟ୍‌, ତକିଆ, ବାଲଟି, ମଗ, ଆକ୍ୱାଗାର୍ଡ, ସାନିଟାଇଜର ପ୍ରଭୃତି ସବୁକିଛି ଆକ୍ରାନ୍ତମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ଠୁଳ କରାଗଲା । ପ୍ରବାସୀ ଓ ଆକ୍ରାନ୍ତମାନଙ୍କ ରହିବା, ଖାଇବାର ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ମାତ୍ର କରୋନା ଟ୍ରେଣ୍ଡ ଖସିବା ପରେ ଏବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ କିଣା ଯାଇଥିବା ସମସ୍ତ ଆସବାବପତ୍ର ଅଲୋଡ଼ା ହୋଇପଡ଼ିଛି ।
ମିଳିଥିବା ତଥ୍ୟ ମୁତାବକ, କରୋନା ସମୟରେ ଜିଲାର ଅନ୍ୟ ବ୍ଲକ ତୁଳନାରେ ପଟ୍ଟାମୁଣ୍ଡାଇ ବ୍ଲକକୁ ସର୍ବାଧିକ ୮,୪୭୯ ଜଣ ପ୍ରବାସୀ ଆସି ରହିଥିଲେ । ବ୍ଲକରେ ପ୍ରବାସୀମାନଙ୍କୁ ଦୃଷ୍ଟିରେ ରଖି ୧୬୬ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା । ସେଥିପାଇଁ ୬,୪୭୨ଟି ଖଟିଆ କିଣା ଯାଇଥିଲା । ଏସବୁ ଟିଏମ୍‌ସି ସ୍କୁଲ, କଲେଜ, ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ହୋଇଥିଲେ । ମାତ୍ର କରୋନା ଟ୍ରେଣ୍ଡ ଖସିବା ପରେ ସମସ୍ତ ସାମଗ୍ରୀ ଯେମିତି ଅଦରକାରୀ ହୋଇପଡ଼ିଛି । ପୁଣି ଥରେ କେରଳରେ କରୋନା ବ୍ୟାପିବା ଓ କେରଳରୁ ଫେରୁଥିବା ପ୍ରବାସୀମାନଙ୍କୁ ପ୍ରଶାସନ କିପରି ମୁକାବିଲା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଟିଏମ୍‌ସି ଗୁଡିକୁ ପୁନର୍ବାର ପ୍ରସ୍ତୁତ କରା ନ ଗଲେ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଏବେଠୁ ଚର୍ଚ୍ଚା ହେଲାଣି । ତେଣୁ ଜିଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଉ ବୋଲି ସାଧାରଣରେ ଦାବି ହୋଇଛି । ଏ ବାବଦରେ ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି କୁହିଛନ୍ତି ଯେଉଁ ମାନେ କେରଳରୁ ବସ୍ ଯୋଗେ ଆସୁଛନ୍ତି ସେମାନଙ୍କର ମାଣ୍ଡାଟୋରି ଟେଷ୍ଟ କରାଯାଉ ବୋଲି ଆସନ୍ତାକାଲି ବୁଧବାର ଜିଲ୍ଲା ମେଡିକାଲ ଅଫିସର,ଓ ଜିଲ୍ଲାପାଳଙ୍କୁ ଚିଠି କରିବି ।


Next Post

ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ

Tue Dec 19 , 2023
ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ପୌରାଧ୍ୟକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୌରାଂଚଳ ବିକାଶ ପାଇଁ ରାଜ୍ୟସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ସହ ସମସ୍ତ ମୌଳିକ ସମସ୍ୟା ସମାଧାନ କରି ପୌରାଂଚଳ ବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ସମସ୍ତ ଅସମ୍ପୂର୍ଣ୍ଣ ପ୍ରକଳ୍ପ ନିର୍ଧାରିତ ସମୟରେ […]

KANIKA