ଷଷ୍ଠ ଜିଲ୍ଲା ପରିଷଦର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ


କେନ୍ଦ୍ରାପଡ଼ା, ୨୨/୧୨: ଷଷ୍ଠ ଜିଲ୍ଲା ପରିଷଦର ଚତୁର୍ଥ ସାଧାରଣ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ପ୍ରମୂଖ ଉପସ୍ଥିତ ଥିଲେ । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଆଗାମୀ ନିର୍ବାଚନ ନିମନ୍ତେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ରହିଯାଇଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକର କିପରି ତୁରନ୍ତ ସମାପ୍ତି ହୋଇପାରିବ ସେଥିନିମନ୍ତେ ସେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ପରିଷଦର ତୃତୀୟ ସାଧାରଣ ବୈଠକର ବିବରଣୀ ଦୃଢ଼ୀକରଣର ଅନୁମୋଦନ ପରେ ଆଲୋଚନା ଆରମ୍ଭ ହୋଇଥିଲା । ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗ୍ରାମ୍ୟ ଉନ୍ନୟନ ବିଭାଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ ଘର ଯୋଜନା, ମେଗା ପାନୀୟ ଜଳ ପ୍ରକଳ୍ପ, ପରିମଳ ବ୍ୟବସ୍ଥା, ଡ୍ରେନେଜ୍‌, ଜଳସେଚନ, ରାସ୍ତା ଓ କୋଠାବାଡ଼ି ବିଭାଗ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଆସନ୍ତା ଗ୍ରୀଷ୍ମ ଋତୁ ପୂର୍ବରୁ ଜଳକ୍ଲିଷ୍ଟ ଅଂଚଳରେ ପାନୀୟ ଜଳର ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା । ଆବଶ୍ୟକୀୟ ଶିକ୍ଷକ ଓ ଡାକ୍ତର ନିଯୁକ୍ତି ଉପରେ ଜିଲ୍ଲା ପରିଷଦ ସଭ୍ୟମାନେ ଗୁରୁତ୍ୱାରୋପ କରିଥିବା ବେଳେ ଖୁବ୍ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଯଥାକ୍ରମେ କହିଥିଲେ । ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading