
କେନ୍ଦ୍ରାପଡ଼ା, ୧୨/୧୨: ଆର୍ସଲର୍ ମିତଲ୍ ନିପନ୍ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ୨୪ ଏମ୍.ଟି.ପି.ଏ ଇଂଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଂଟ୍-୧ ପ୍ରତିଷ୍ଠା ପାଇଁ ମହାକାଳପଡ଼ା ତହସିଲ୍ ଅନ୍ତର୍ଗତ ଖରିନାସୀ ଗ୍ରାମର ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ପ୍ରଭାବିତ ହେଉଥିବା ସାମାଜିକ ପ୍ରଭାବ ଆକଳନ ସର୍ଭେ ସମ୍ବନ୍ଧୀୟ ଜନଶୁଣାଣୀ ଆଜି ସକାଳ ୧୦ ଘଟିକା ସମୟରେ ଖରିନାସୀ ସରପଂଚ ବନିତା ରାଉତରାୟଙ୍କ ଅଧ୍ୟକ୍ଷତାରେ ଆନନ୍ଦ ଆଶ୍ରମ ବିଦ୍ୟା ନିକେତନ ବିଦ୍ୟାଳୟ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଜନଶୁଣାଣୀ ଶିବିରରେ ଜମି ହରାଉଥିବା ଚାଷୀମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରି ସେମାନଙ୍କ ଦାବିପତ୍ର ଓ ମତାମତ ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର । ଖରିନାସୀ ଗ୍ରାମବାସୀଙ୍କ ତରଫରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ପ୍ରତିଷ୍ଠା ପାଇଁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ କ୍ଷତିଗ୍ରସ୍ତ ହେବାକୁ ଥିବା ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ, ସେମାନଙ୍କ ପିଲାମାନଙ୍କୁ ଯୋଗ୍ୟତା ଭିତିରେ ସ୍ଥାୟୀ ନିଯୁକ୍ତି ଦେବାର ସୁଯୋଗ ସୃଷ୍ଟି କରିବାକୁ ଖରିନାସୀର ସରପଂଚ ନିବେଦନ ରଖିଥିଲେ । ଉପସ୍ଥିତ ଗ୍ରାମବାସୀଙ୍କୁ ଶିଳ୍ପ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ସେ ମଧ୍ୟ ଆହ୍ୱାନ ଦେଇଥିଲେ । ଉପସ୍ଥିତ ଗ୍ରାମବାସୀ ଓ ଚାଷୀମାନେ ନିଜ ନିଜର ମତାମତ ପ୍ରକାଶ କରି ଜିଲ୍ଲା ପ୍ରଶାସନ ଆଗରେ ଅନୁରୋଧ ରଖିଥିଲେ ଯେ, ସେମାନେ ଶିଳ୍ପ ପ୍ରତିଷ୍ଠାକୁ ସ୍ୱାଗତ କରୁଛନ୍ତି ମାତ୍ର ଜମି ହରାଇବା ବାବଦରେ ଉପଯୁକ୍ତ କ୍ଷତିପୂରଣ ଓ ପିଲାମାନଙ୍କୁ ଯୋଗ୍ୟତା ଭିତିରେ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ମିଳିବା ଦରକାର ।

ଏହି ଜନଶୁଣାଣୀରେ ଉପସ୍ଥିତ ଗ୍ରାମବାସୀ ଓ ଚାଷୀମାନଙ୍କର ସମସ୍ତ ମତାମତକୁ ଲିପିବଦ୍ଧ କରାଯାଇ ଫାଇନାଲ୍ ଏସ୍ଆଇଏ ରିପୋର୍ଟ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାପାତ୍ର ମତବ୍ୟକ୍ତ କରିଥିଲେ । ଜୀବନଜୀବିକା, ସାମାଜିକ, ଅର୍ଥନୈତିକ ତଥା ପରିବେଶ ଉପରେ ଶିଳ୍ପ ପ୍ରତିଷ୍ଠାର କି ପ୍ରଭାବ ରହିବ ତା ଉପରେ ଗତ ୬ ମାସ ଧରି ଏନ୍ସିଡିସି ଦ୍ୱାରା ସାମାଜିକ ପ୍ରଭାବ ଆକଳନ ସର୍ଭେ କରାଯାଇଥିଲା ବୋଲି ଇଡ୍କୋ ଅଧିକାରୀ ସମ୍ବିତ୍ ଗଡ଼ନାୟକ ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ରାଜ୍ୟ ସରକାର ଆଣିଥିବା ଜମି ଅଧିଗ୍ରହଣ ଓ କ୍ଷତିପୂରଣ ପ୍ରଦାନ ନିୟମ ଅନୁଯାୟୀ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଶିବାଶିଷ ପରିଡ଼ା ମତବ୍ୟକ୍ତ କରିଥିଲେ । ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସମସ୍ତ ଅତିଥି ସ୍ୱାଗତ କରିବା ସହ ଶିଳ୍ପ ପ୍ରତିଷ୍ଠା ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଅର୍ଥନୈତିକ, ସାମାଜିକ ବିକାଶ ସହ ମାନବ ସମ୍ବଳର ବିକାଶ ଘଟିବ ବୋଲି ମତ ବ୍ୟକ୍ତ କରିଥିଲେ । ଉକ୍ତ ଜନଶୁଣାଣୀରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଏସ୍ପି ମଡ଼୍କର୍ ସନ୍ଦୀପ୍ ସମ୍ପଦ୍, ରାଜନଗର ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଜମିଗ୍ରହଣ ଅଧିକାରୀ ଅଞ୍ଜଳୀ ତରାଇ, ମହାକାଳପଡ଼ା ବିଡିଓ ସାଗର ନନ୍ଦ, ମହାକାଳପଡ଼ା ପଂଚାୟତ ସମିତି ଅଧ୍ୟକ୍ଷା କଳ୍ପନା ରାଉତ, ୨୩-ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟ ମୃତ୍ୟୁଞ୍ଜୟ ମଣ୍ଡଳ, ମହାକାଳପଡ଼ା ପଂଚାୟତ ସମିତିର ଉପାଧ୍ୟକ୍ଷ ବିଜୟ ଶୁକ୍ଲା, ଖରିନାସୀ ପଂଚାୟତ ସମିତିସଭ୍ୟ ରୀତା ରକ୍ଷିତ୍, ଭୁବନେଶ୍ୱରର ଏନ୍ସିଡିଏସ୍ ପ୍ରତିନିଧି ଜୟଦେବ ଦଳାଇ, ଇଡ୍କୋର କର୍ମକର୍ତା, ଗ୍ରାମବାସୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମହାକାଳପଡ଼ା ତହସିଲ୍ଦାର ମାନସ ରଞ୍ଜନ ତ୍ରିପାଠୀ ।
















