ନିଲମ୍ବନ ପ୍ରତ୍ୟାହାର ପରେ ପ୍ରଶାନ୍ତଙ୍କ ଶକ୍ତି ପ୍ରଦର୍ଶନ



କେନ୍ଦ୍ରାପଡ଼ା, ୨୪ା୧୨ : କେନ୍ଦ୍ରାପଡା ସହରର ଟାଣୁଆ ନେତା ପ୍ରଶାନ୍ତ କୁମାର ସିଂହ(ଧୁଣ୍ଡୁଭାଇ)ଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପରେ ସେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ସିଂହ ଇଛାପୁରସ୍ଥିତ ବାରଙ୍ଗେଇ ଠାରେ ଏକ ବନ୍ଧୁମିଳନର ଆୟୋଜନ କରିଥିଲେ । ଯେଉଁ ବନ୍ଧୁମିଳନରେ ବିଜେଡିର  ନେତାକର୍ମୀ ଯୋଗ ଦେଇଥିଲେ ।  ଶ୍ରୀ ସିଂ ପୂର୍ବରୁ ଜନତାଦଳ କାଉନସିଲର ଭାବେ ନିଜ ୱାର୍ଡର ସବିଶେଷ ଉନ୍ନତି କରିଥିଲେ । ୨୦୨୨ ପୈାର ନିର୍ବାଚନରେ ସେ ତାଙ୍କ ପତ୍ନୀ ରଶ୍ମୀତା ସିଂହଙ୍କୁ ଠିଆ କରାଇଥିଲେ । ତାଙ୍କ ପତ୍ନୀ ବିଜେଡି ଟିକେଟ ପାଇବା ପାଇଁ ହକଦାର ହୋଇଥିଲେ ମଧ୍ୟ କେତେକ କୁଚକ୍ରୀ ଗୋଷ୍ଟି ତାଙ୍କ ଟିକେଟ କାଟି ଦେଇଥିଲେ । କିନ୍ତୁ ଧୁଣ୍ଡୁଭାଇଙ୍କ ଲୋକପ୍ରିୟତାକୁ କାଟି ପାରିନଥିଲେ କୁଚକ୍ରୀ ଗୋଷ୍ଟି । ଜଣେ ସଚ୍ଚୋଟ ନେତ୍ରୀ ଭାବରେ ତାଙ୍କ ପତ୍ନୀ ରଶ୍ମୀତା ସିଂହ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହୋଇଥିଲେ । ସେ ଦଳୀୟ ଟିକେଟ ନପାଇ ମଧ୍ୟ ସ୍ୱାଧୀନ ଭାବେ ଲଢୀ ନିଜର ରାଜନୈତିକ ଦବଦବା ପ୍ରମାଣିତ କରିଥିଲେ । ନିର୍ବାଚନ ପରେ ତାଙ୍କ ଲୋକପ୍ରିୟତା ଓ ରାଜନୈତିକ ସମିକରଣ ବିଜେଡି ନେତାମାନଙ୍କୁ ବେଶ ଆକୃଷ୍ଟ କରିଥିଲା । ଏପରିକି ତାଙ୍କ ଲୋକପ୍ରିୟତା ନବୀନ ଓଡିଶାର ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ପ୍ରଭାବିତ କରିଥିଲା । ତେଣୁ ଶ୍ରୀ ପାଣ୍ଡିଆନ ତାଙ୍କ କେନ୍ଦ୍ରାପଡା ଗସ୍ତ ପୂର୍ବରୁ ଶ୍ରୀ ସିଂହ ଓ ଶ୍ରୀମତୀ ସିଂହଙ୍କ ଉପରେ ଲଗାଯାଇଥିବା ନିଲମ୍ବନକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରାପଡାର ନେତାମାନଙ୍କୁ ନିର୍ଦେଶ ଦେଇଥିଲେ । ଶ୍ରୀ ପାଣ୍ଡିଆନଙ୍କ ନିର୍ଦେଶ ପାଇବା ପରେ କେନ୍ଦ୍ରାପଡାର ବରିଷ୍ଠ ନେତାମାନେ କାଳବିଳମ୍ବ ନକରି ତୁରନ୍ତ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଥିଲେ । ବନ୍ଧୁମିଳନରେ ଉପସ୍ଥିତ ବିଜେଡି ନେତା ଓ କର୍ମୀମାନେ ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ, ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । କାଉନସିଲର ଶ୍ରୀମତୀ ସିଂହ ଦଳୀୟ ନେତା ଓ କର୍ମୀମାନଙ୍କୁ ନବବର୍ଷର ଶୁଭେଛା ଜଣାଇବା ସହ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ । ଏହି ବୈଠକରେ କିଶୋର କୁମାର ସିଂ, ବଟକୃଷ୍ଣ ବେହେରା, ମନୋରଞ୍ଜନ ବେହେରା, ବିଶ୍ୱରଞ୍ଜନ ସିଂ, ତାପସ ପ୍ରସାଦ ସିଂ, ସୁନାକର ବାରିକ, ଦିଗନ୍ତ କୁମାର ସିଂ, ବିଶେଶ୍ୱର ବାରିକ, ସୁମିତି ଜିନ୍ଦଲ, ନଟବର ବେହେରା, ମାମୁନି ସିଂ, ପ୍ରିୟା ସିଂ ପ୍ରମୁଖ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading