ଶିକ୍ଷା ଓ କୃଷି ସଶକ୍ତ ହେଲେ ବିକଶିତ ରାଜ୍ୟ ଓ ରାଷ୍ଟ୍ର ଗଠନ ହୋଇପାରିବ :ରାଜ୍ୟପାଳ



ଶିକ୍ଷା ରାଜ୍ୟ ଓ ଦେଶ ବିକାଶର ଚାବିକାଠି ହୋଇଥିବାବେଳେ କୃଷି ଦେଶ ଓ ରାଜ୍ୟର ମେରୁଦଣ୍ଡ ହୋଇଥିବାରୁ ଶିକ୍ଷା ଓ କୃଷି ସଶକ୍ତ ହେଲେ ବିକଶିତ ରାଜ୍ୟ ଓ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ପଟ୍ଟାମୁଣ୍ଡାଇ ଗସ୍ତରେ ଆସି କଷଣଅଂଟା ପଂଚାୟତ ହାଇସ୍କୁଲ, ସରକାରୀ ପାଣି ପାଇପ ତାଲିମ କେନ୍ଦ୍ର ଓ ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ଆୟୋଜିତ ଛାତ୍ରୀଛାତ୍ର ଓ କୃଷକ ସମାବେଶକୁ ସମ୍ବୋଧିତ କରି ପ୍ରକାଶ କରିଛନ୍ତି ।


ରାଜ୍ୟପାଳ ମାନ୍ୟବର ରଘୁବର ଦାସ ପଟ୍ଟାମୁଣ୍ଡାଇ ଗସ୍ତରେ ଆସି ସର୍ବପ୍ରଥମେ କଷଣଅଂଟା ହାଇସ୍କୁଲ ଠାରେ ଆୟୋଜିତ ଛାତ୍ରୀଛାତ ସମାବେଶରେ ଯୋଗ ଦେଇ ବିକଶିତ ରାଜ୍ୟ ଓ ରାଷ୍ଟ୍ର ଗଠନ ପାଇଁ ସୁଦୃଢ ଶିକ୍ଷା ବ୍ୟବସ୍ଥା ଜରୁରୀ ବୋଲି ମତପ୍ରକାଶ କରିଥିଲେ । ଏଥି ସହିତ ଜୀବନରେ ଲକ୍ଷ୍ୟ ହାସଲ ପାଇଁ ଛାତ୍ରୀଛାତମାନେ କଠୋର ପରିଶ୍ରମ ଓ ଅଧ୍ୟବସାୟ ଜାରି ରଖିବା ସହିତ ସାହସର ସହ ସବୁ ପ୍ରତିକୂଳ ପରିସ୍ଥିତିକୁ ସାମନା କଲେ ସଫଳତା ପାଇପାରିବେ ବୋଲି ମତପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀ ସୁହାନି ନାୟକ ଓ ଗାର୍ଗୀ ଶର୍ମା ସମେତ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରଙ୍କ ସହିତ ରାଜ୍ୟପାଳ ମତବିନିମୟ କରିଥିଲେ । ପ୍ରାକ୍ତନ ପ୍ରଧାନଶିକ୍ଷକ ସଚିତ୍ର ବେହୁରା ମହାମହିମ ରାଜ୍ୟପାଳଙ୍କୁ ହାଇସ୍କୁଲ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । କଷଣଅଂଟା ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ସୁସ୍ମିତା ମହାପାତ୍ର ମହାମହିମ ରାଜ୍ୟପାଳଙ୍କୁ ସ୍କୁଲ ପକ୍ଷରୁ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ରାଜ୍ୟପାଳ ପଟ୍ଟାମୁଣ୍ଡାଇ ଚାହାପଡା ସ୍ଥିତ ଓଡିଶାର ଏକମାତ୍ର ପାଣି ପାଇପ କାରିଗରୀ ତାଲିମ ପ୍ରତିଷ୍ଠାନ ପରିଦର୍ଶନରେ ଯାଇ ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହିତ ଛାତ୍ରୀଛାତ୍ରଙ୍କ ସହ ବିଭିନ୍ନ ବିଷୟରେ ମତବିନିମୟ କରିଥିଲେ । ଅଧ୍ୟକ୍ଷ ସଂଜୀବ ରଣସିଂ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ । ଶେଷରେ ରାଜ୍ୟପାଳ ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ଠାରେ ଆୟୋଜିତ କୃଷକ, ମହିଳା ଓ ନାଗରିକ ସମାବେଶରେ ଯୋଗ ଦେଇ ସମାବେଶକୁ ସମ୍ବୋଧିତ କରି ରାଜ୍ୟପାଳ କହିଲେ ପ୍ରଧାନମନ୍ତୀ କିଷାନଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସିଚାଇ ଯୋଜନା ସମେତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଫାଇଦା ନେଇ କୃଷକ, ଶ୍ରମିକ, ମହିଳା ଓ ଗରିବଲୋକମାନେ ନିଜର ଜୀବନ ଧାରଣ ମାନ ଉନ୍ନତ କରିବା ସହିତ ସବୁ କ୍ଷେତ୍ରରେ ସଶକ୍ତ ହୋଇ ସ୍ୱଚ୍ଛ, ନିର୍ମଳ, ନିଶାମୁକ୍ତ ଓ ବିକଶିତ ରାଜ୍ୟ ଓ ରାଷ୍ଟ୍ର ଗଠନ କରିବାକୁ ପରାମର୍ଶ ଦେଇଥିଲେ । କୃଷି କ୍ଷେତ୍ରରେ ରାସାୟନିକ ସାର ବ୍ୟବହାର ନକରି ଗୋବର ଖତ ବ୍ୟବହାର କରି ଫସଲ କରିବା ସହିତ ଗୋବର ଗ୍ୟାସ ପ୍ଲାଂଟ ଜରିଆରେ ଅଂଚଳକୁ ଆଲୋକିତ କରିବାକୁ ଆହ୍ୱାନ ଦେଇଥିଲେ । ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ ପଟ୍ଟାମୁଣ୍ଡାଇରେ ଶୀତଳ ଭଣ୍ଡାର ପ୍ରତିଷ୍ଠା,ପଟ୍ଟାମୁଣ୍ଡାଇ ରାଜସ୍ୱ ସବଡିଭିଜନ ଘୋଷଣା ଆଦି ସମ୍ପର୍କରେ ମହାମହିମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଦାବୀପତ୍ର ପ୍ରଦାନ କରିଥିଲେ ।ପଟ୍ଟାମୁଣ୍ଡାଇ ପୌର ପରିଷଦ ମହିଳା ମହାସଂଘ ନେତ୍ରୀ ପୁଷ୍ପାଞ୍ଜଳୀ ପାତ୍ର, ଆଳି ବ୍ଲକ ମାଣିକପାଟଣା ଗ୍ରାମର ଜସ୍ମିନ ଦାସ, ବାଲିପାଟଣା ପଂଚାୟତର ଚାଷୀ ଅଜୟ ଜେନା,ଖଡ଼ିଅଂଟା ପଂଚାୟତର ଚାଷୀ ଅଜୟ ନାୟକ, ସନ୍ତୋଷ ବାରିକ, ସାନଜରିଆ ପଂଚାୟତର ସୁରେନ୍ଦ୍ର ପରିଡା, ବିଲିକଣା ପଂଚାୟତର ଚାଷୀ ଅଶୋକ ଦାସ ସମେତ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ରାଜକନିକା ବ୍ଲକ ସମେତ ପଟ୍ଟାମୁଣ୍ଡାଇ ପୌରାଂଚଳର ବହୁ ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ନାଗରିକ ମାନେ କୃଷି, ଜଳସେଚନ, କୁମ୍ଭୀର ଆତଙ୍କ, ଶୀତଳ ଭଣ୍ଡାର, କୃଷିଜାତ ଦ୍ରବ୍ୟ ବିକ୍ରି ପାଇଁ ଉପଯୁକ୍ତ ବଜାର ସୁବିଧା, ପଶୁ ସମ୍ପଦ ଓ ମତ୍ସ ଚାଷ ନେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟପାଳ ବିଭିନ୍ନବର୍ଗର ଲୋକମାନଙ୍କ ସହିତ ମତବିନିମୟ କରିଥିଲେ । ଶେଷରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ରାଜ୍ୟପାଳ ସୂଚନା ଦେଇଥିଲେ ।

ମହାମହିମ ରାଜ୍ୟପାଳଙ୍କ ସହିତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସପି ସନ୍ଦୀପ ମଦକର ସନ୍ଦିପ ସମ୍ପଦ, ଉପଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର ପଣ୍ଡା, ଡିଆଇପିଆରଓ ଆଲୋକ ମହାନ୍ତି, ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମା ସାଗର ପଣ୍ଡା, ତହସିଲଦାର ପଂଚାନନ ନାୟକ, ବିଡ଼ିଓ ଶୁଭ୍ରାଂଶୁ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ, ଆଦର୍ଶ ଥାନା ଆଇ ଆଇ ସି ରଂଜିତ ମହାନ୍ତି ଓ ଗ୍ରାମାଂଚଳ ଥାନା ଆଇ ଆଇ ସି ପଦ୍ମାଳୟା ପ୍ରଧାନ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ଓ ପୋଲିସ ବାହିନୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading