୫-ଟି ର ସ୍ଳୋଗାନକୁ ଧୂଆଁବାଣରେ ପରିଣତ କରିଛନ୍ତି ରାଜନଗର ବିଧାୟକ , ବିଧାୟକ ଧ୍ରୁବ ସାହୁଙ୍କ ଗିରଫ ଓ ବହିଷ୍କାର ଦାବିକଲା କଂଗ୍ରେସ


କେନ୍ଦ୍ରାପଡ଼ା ୧୦ା୧: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଓ ନିର୍ମଳ ଶାସନର ନାରା ସହ ୫-ଟି ଉପକ୍ରମରେ ସଶକ୍ତ ସମୃଦ୍ଧ ଓ ଦୁର୍ନୀତି ମୁକ୍ତ ଓଡିଶା ଗଠନ କରିବାର ସ୍ଳୋଗାନ ଦେଉଥିବା ବେଳେ ସେହି ଦଳର ରାଜନଗରରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ ଧ୍ରୁବ ସାହୁଙ୍କ ଟେଣ୍ଡର ଫିକ୍ସିଂରେ ସମ୍ପୃକ୍ତି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜନଗର ଅଞ୍ଚଳର ଜନସାଧାରଣ ହତବାକ ଏବଂ ଲଜ୍ଜିତ ହୋଇପଡିଛନ୍ତି । କାରଣ ରାଜନଗର ହେଉଛି ପ୍ରବାଦ ପୁରୁଷ ବିଜୁବାବୁଙ୍କ ରାଜନୈତିକ କର୍ମଭୂମୀ । ସେହି କର୍ମଭୂମୀରେ ପ୍ରତିନିଧିତ୍ୱ କରୁଥିବା ବିଧାୟକ ଧ୍ରୁବ ସାହୁଙ୍କ ଅତୀତରୁ ବିଜେଡି ଜିଲ୍ଲା ସଭାପତି ଠାରୁ ଆଜି ପର୍ଯ୍ୟନ୍ତ ସେ ବହୁ ଦୁର୍ନୀତି ଓ ଅବୈତିକ କାର୍ଯ୍ୟରେ ଲିପ୍ତ ହୋଇଛନ୍ତି । ମାର୍କଫେଡ ଧାନକିଣା, ଟେଣ୍ଡରରେ ଭାଗିଦାରୀ ହେବା, ଲାଇନ୍ ଡିପାର୍ଟମେଣ୍ଟର ପଦସ୍ଥ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରି ଅଞ୍ଚଳର ବିକାଶ ପାଇଁ ଆସୁଥିବା ଅର୍ଥକୁ ନିଜର ବ୍ୟକ୍ତିଗତ ଆର୍ଥିକ ଫାଇଦା ପାଇଁ ନିଜ ମନୋନିତ ଲୋକଙ୍କୁ ଠିକାଦାରୀ ଦେବା, ଭିତରକନିକା ଜାତୀୟ ଉଦ୍ୟାନର ମୁଖ୍ୟ ଫାଟକ ନିକଟରେ ସରକାରୀ ଜଙ୍ଗଲ ଜମିକୁ ଦଖଲ କରି ସୁରମ୍ୟ ଅଟ୍ଟାଳିକା ନିର୍ମାଣ କରି ସୈାଖିନ ହୋଟେଲ କରିଥିବା ବ୍ୟକ୍ତିଙ୍କୁ ସହାୟତା ଦେବା ସହିତ ହୋଟେଲରେ ଭାଗିଦାରୀ ରହିବା, ୫-ଟି ଉପକ୍ରମରେ ହେଉଥିବା ସମସ୍ତ ରୂପାନ୍ତରିକରଣ କାର୍ଯ୍ୟରେ ପିସି ନେବା, ରାଜନଗରବାସୀଙ୍କୁ ମଳିମୁଣ୍ଡିଆ ସମ୍ବୋଧିତ କରିବା ଭଳି ଅନେକ ଘଟଣା ତାଙ୍କ ବିରୋଧରେ ରହିଛି । ଏହିସବୁ ଅଭିଯୋଗ ଉପରେ ଆସନ୍ତା ୭ଦିନ ମଧ୍ୟରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କଂଗ୍ରେସ ଦଳ ରାଜାରାସ୍ତାକୁ ଓହ୍ଲାଇବ ବୋଲି ରାଜନଗର ବ୍ଲକ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଏକ ସ୍ମାରକପତ୍ର ଆଜି ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କୁ ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ ଦାସ, ରାଜନଗର ବ୍ଲକ ସଭାପତି ଦେବେନ୍ଦ୍ର ଜେନା, ପଟ୍ଟାମୁଣ୍ଡାଇ ନଗର ସଭାପତି ଅମୁଲ୍ୟ ପ୍ରଧାନ, ପିସିସି ସଭ୍ୟ ସନ୍ତୋଷ ମହାନ୍ତି, ଅବିନାଶ ଲେଙ୍କା, ବିରଞ୍ଚିନାରାୟଣ ଦାସ, ପିସିସି ସଭ୍ୟ ପ୍ରଦୀପ ପ୍ରଧାନ, ମାଗୁଣି ଚରଣ ଲେଙ୍କା, ଆଲୋକ ଧଳ, ସନାତନ ବିଶ୍ୱାଳ, ସମୀର ଜେନା, ଦେବାଶିଷ ମହାନ୍ତି, ଧିରେନ୍ଦ୍ର ବଳ, ସହଦେବ ସାହୁଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading