ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ କାର୍ଯ୍ୟାଳୟର ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ସଭାପତିତ୍ବରେ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସଭାରେ ଯୋଗଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରସ୍ତୁତି ବୈଠକର ଆଭିମୁଖ୍ୟ ସମ୍ଭନ୍ଧରେ ପ୍ରତିପାଦନ କରିଥିଲେ। ଏହା ପରେ ଏହି ଜାତୀୟ ଦିବସକୁ ଜିଲ୍ଲା ସ୍ତରରେ  ସୁନ୍ଦର ତଥା ଆକର୍ଷଣୀୟ ଭାବେ ବ୍ୟବସ୍ଥିତ ଢଙ୍ଗରେ ପାଳନ କରିବା ପାଇଁ ପ୍ରତ୍ୟେକଟି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା। ସାଧାରଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷ ୪.୩୦ ମିନିଟ୍ ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ପୌରାଂଚଳରେ ରାମଧୂନ୍ ପ୍ରଚାର କରାଯିବ । ସକାଳ ୭.୩୦ମିନିଟ୍ ସମୟରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ବାଣିଜ୍ୟାନୁଷ୍ଠାନ ଓ ନିଜସ୍ୱ ଗୃହମାନଙ୍କରେ ଜାତୀୟ ପତାକା ଉତୋଳନ କରି ସନ୍ଧ୍ୟା ପୂର୍ବରୁ ସମ୍ମାନର ସହ ପତାକା ଅବତରଣ କରାଯିବ । ସକାଳ ୮.୩୦ମିନିଟ୍ ସମୟରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ମୁଖ୍ୟଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ, ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ, ଅଭିଭାଷଣ ପ୍ରଦାନ କରାଯିବ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯିବ । ଏହି ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲା ଆରକ୍ଷୀ ବାହିନୀ ବ୍ୟାଣ୍ଡ୍ ପାର୍ଟି ପରିବେଷଣ କରିବେ ଜାତୀୟ ସଙ୍ଗୀତ । ପ୍ରତିଯୋଗିତାର ଶ୍ରେଷ୍ଠ ୩ଟି ଦଳ, ଦଳଗତ ଦେଶଭକ୍ତି ନୃତ୍ୟ ପରିବେଷଣ କରିବେ । ମୁଖ୍ୟ ଅତିଥି ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧିତ କରିବା ପରେ କଏଦୀମାନଙ୍କୁ ମିଷ୍ଟାନ୍ନ ବଂଟନ କରିବା ପାଇଁ ଯିବେ ଏବଂ ପରେପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ତେବାସୀ ରୋଗୀମାନଙ୍କୁ ଫଳ ବଂଟନ କରିବେ । ଜିଲ୍ଲା ଶିକ୍ଷାଧିକାରୀ ସ୍କୁଲ୍ କଲେଜ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ଦେଶଭକ୍ତି ସଙ୍ଗୀତ ଓ ଚିତ୍ରକଳା ପ୍ରତିଯୋଗିତା କରାଇବେ । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଇବା ପାଇଁ ସମଗ୍ର ଶିକ୍ଷାଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଜିଲ୍ଲାର ବିଭିନ୍ନ ବିଭାଗ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଓ ଜନକଲ୍ୟାଣକାରୀ ଯୋଜନାକୁ ପ୍ରଜ୍ଞାପନ ମେଢରେ ପ୍ରଦର୍ଶିତ କରାଇବେ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ ପ୍ୟାରେଡ୍‌ରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ଟ୍ରଫିର ପ୍ରାୟୋଜକ ହେଉଛନ୍ତି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ବରୋଦା, ୟୁନିଅନ୍ ବ୍ୟାଙ୍କ, କେନ୍ଦ୍ରାପଡ଼ା ଅର୍ବାନ୍ କୋ ଅପରେଟିଭ୍ ବ୍ୟାଙ୍କ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ବୈଠକରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ବୈଠକରେ ଆର୍‌ଟିଓ ଧୀରେନ୍ଦ୍ର କୁମାର ନାୟକ, ଡକ୍ଟର ପିକେ ପ୍ରହରାଜ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ରଂଜିତ ଦାସ, ପୂର୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଆଜାମୁଦ୍ଦିନ୍ ଖାନ୍‌, ଆର୍‌ଆଇ ପ୍ରସାନ୍ତ କୁମାର ରଣସିଂହ, ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ରମଣ କୁମାର ଦାଶ, ଅଗ୍ନିଶମ ବିଭାଗର ଶଶିଶେଖର ପଣ୍ଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରୁପାଲି ପ୍ରିୟଦର୍ଶନୀ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ କଲେଜ ଓ ସ୍କୁଲର ଶିକ୍ଷକ/ଶିକ୍ଷୟତ୍ରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୂଖ ଏହି ପ୍ରସ୍ତୁତି ବୈଠକରେ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ବରିଷ୍ଠ ରାଜସ୍ୱ ସହାୟକ ପ୍ରଦୀପ କୁମାର ଦାସ, ନିକ୍ଷେପକ ମଧୁସୂଦନ ମଲ୍ଲିକ, କନିଷ୍ଠ ରାଜସ୍ୱ ସହାୟକ ଜୟଶ୍ରୀ ସାହୁ, ତପନ କୁମାର ପରିଡ଼ା ଓ ରଞ୍ଜନ କୁମାର ବେହେରା ସହାୟତା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading