
ଭକ୍ତିର ମହକରେ ମହକିତ ହୋଇଛି କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ପଟ୍ଟାମୁଣ୍ଡାଇର ପୌରାଞ୍ଚଳ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ପଟ୍ଟାମୁଣ୍ଡାଇ ଅଞ୍ଚଳ ସମର୍ପି ଦେଉଛନ୍ତି ଅକ୍ଷତ (ଅରୁଆ ଚାଉଳ) ଓ ଗୁଆ । ଶ୍ରଦ୍ଧାର ସହ ‘ଅର୍ପଣ ରଥ’କୁ ସ୍ୱାଗତ କରିବା ପାଇଁ ଗାଁ ଦାଣ୍ଡକୁ ମୁରୁଜ ଓ ଚିତା ପକାଇ ସଜାଇ ରଖିଛନ୍ତି । ହରିବୋଲ, ହୁଳହୁଳି ସାଙ୍ଗକୁ ସଂକୀର୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନି, ଜୟ ଜଗନ୍ନାଥ ଶବ୍ଦରେ ସମଗ୍ର ଜିଲ୍ଲାରେ ସୃଷ୍ଟି ହୋଇଛି ଏକ ଭାବ ଭକ୍ତିର ପରିବେଶ ।
ରବିବାର ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଅର୍ପଣ ରଥ ୫,୬,୭,୮,୯ ନଂ ୱାର୍ଡ ଆଦି ବିଭିନ୍ନ ସାହି ପରିକ୍ରମା କରି ପ୍ରତି ପରିବାରର ଶ୍ରଦ୍ଧାଳୁ ଭକ୍ତମାନଙ୍କ ଠାରୁ ଅରୁଆ ଚାଉଳ, ଗୁଆ ସଂଗ୍ରହ କରିଛି । ଏହି କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା କାଉନସିଲର ପ୍ରଶାନ୍ତ ବାରିକ ସାମିଲ ହୋଇ ପ୍ରତି ପରିବାରର ଶ୍ରଦ୍ଧାଳୁ ଭକ୍ତଙ୍କ ଠାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ । ଲୋକମାନେ ଘର ସମ୍ମୁଖରେ କଳସ ବସାଇ ଶ୍ରୀଜଗନ୍ନାଥ ଅର୍ପଣ ରଥକୁ ସ୍ୱାଗତ କରିଥିଲେ ।ଏହି ମହାର୍ଘ୍ୟ କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ପୌର ପରିଷଦର ମାମିନି ପଣ୍ଡା, ତପସ୍ୱିନୀ ଦାଶ, ସରୋଜ ପଣ୍ଡା, ସତ୍ୟାନନ୍ଦ ସାହୁ, ହୃଷିକେଶ ନାଥ, ପ୍ରଫୁଲ୍ଲ ଦାଶ ପ୍ରମୁଖ ପରିଚାଳନା କରିଥିଲେ ।
ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ୍ର ନୀଳକଣ୍ଠପୁର, ଅଣ୍ଡରା, ଦିହୁଡ଼ିପୁର, ଦୋସିଆ, ଡିହାପଡ଼ା, ସାନଝରିଆ, ସଂସାରଫଳ ଗ୍ରାମ ପଂଚାୟତରେ ଆଜି ଗଡ଼ିଛି ‘ଅର୍ପଣ ରଥ ।’ ଅର୍ପଣ ରଥ ସହ ରାଜନଗରର ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଭ୍ରମଣ କରିଥିଲେ । ପ୍ରତି ପରିବାରର ଶ୍ରଦ୍ଧାଳୁ ଭକ୍ତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରିଥିଲେ । ଲୋକମାନେ ଘର ସମ୍ମୁଖରେ କଳସ ବସାଇ ଶ୍ରୀଜଗନ୍ନାଥ ଅର୍ପଣ ରଥକୁ ସ୍ୱାଗତ କରିଥିଲେ ।
ଆସନ୍ତା ୧୭ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଭବ୍ୟ ଓ ସଦୃଶ୍ୟ ପରିକ୍ରମା ପ୍ରକଳ୍ପ ଉଦଘାଟିତ ହେବାକୁ ଯାଉଛି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତମାନେ ସାମିଲ ହେବା ସହିତ ନିଜ ଭକ୍ତିର ନିଦର୍ଶନ ସ୍ୱରୂପ ପ୍ରଭୁଙ୍କୁ ଭେଟି ଦେବା ପାଇଁ ସାରା ଓଡିଶାର ପ୍ରତି ଘରୁ ଅରୁଆ ଚାଉଳ ଓ ଗୁଆ ପଠାଇବା ପାଇଁ ଭକ୍ତମାନେ ବ୍ୟଗ୍ରତା ଓ ଆଗ୍ରହ ପ୍ରକାଶ କରିଛନ୍ତି । ଏଥି ପାଇଁ ସାରା ଓଡିଶାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମା କରି ଭକ୍ତମାନଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ।










