
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ପଚାଂୟତ ନୂଆଗାଁ ଛକରେ ଘଙ୍କିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୁଆଗାଁର ହରିଶ୍ଚନ୍ଦ୍ର ପାଣ୍ଡବ(୫୨) କ୍ଷୀର ବିକ୍ରିକରି ସ୍କୁଟିରେ ଘରକୁ ଫେରୁଥିବା ବେଲେ ରାଜନଗର ଅଭିମୁଖେ ଦୃତ ଗତିରେ ଆସୁଥିବା ହାଇୱା ନଂ- ଓଡି-୦୪-ଟି- ୧୩୩୦ ସାଇକେଲରେ ଆସୁଥିବା ଦୁଇଜଣ ସ୍କୁଲ ପିଲାଙ୍କୁ ଧକ୍କା ଦେବାରୁ ସେମାନେ ରାସ୍ତା କଡରେ ପଡି ଆହତ ହୋଇଥିଲେ । ହାଇୱା ଚାଲକ ନିୟନ୍ତ୍ରଣ ହରାଇ ସ୍କୁଟି ଉପରେ ଚଢି ଯାଇଥିଲା । ସ୍କୁଟି ଚାଳକ ହରିଶ୍ଚନ୍ଦ୍ର ହାଇୱା ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲେ ।
ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ଦୀର୍ଘ ସମୟ ଧରି ରାଜନଗର-ତାଳଚୁଆ ମୁଖ୍ୟ ରାସ୍ତାରେ ଗମନାଗମନ ଠପ ହୋଇଯାଇଥିଲା । ଉଭୟ ପଟରେ ଶହଶହ ସଂଖ୍ୟାରେ ଗାଡି ଅଟକି ରହିଥିଲା । ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା, ତହସିଲଦାର ଅଜୟକୁମାର ମହାନ୍ତି, ରାଜନଗର ଆଇଆଇସି ଅଜୟକୁମାର ଜେନା, ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ଶସ୍ମିତା ସାହୁ ପହଂଚି ସରଂପଚ ଶୈଳେନ୍ଦ୍ର ମିଶ୍ର, ଯୁବନେତା ରାକେଶ ନାୟକଙ୍କ ସମେତ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ପୋଲିସ ହାଇୱାକୁ ଜବତ କରି ଡ୍ରାଇଭରକୁ ଥାନାକୁ ନେଇ ଅଟକ ରଖିଛି । ଶବକୁ ପୋଲିସ ଜବତ କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶବାଗାରରେ ରଖିଛି । ମଙ୍ଗଳବାର ଦିନ ବ୍ୟବଛେଦ ପାଇଁ ପଠାଯିବ ।











