ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ମାନିତ ହେଲେ ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡକ୍ଟର ରାମଚନ୍ଦ୍ର ବେହେରା


ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ମାନିତ ହେଲେ ବିଶେଷ ପ୍ରତିଭା । ଓଡ଼ିଆ ଭାଷା ପ୍ରତି ବିଶେଷ ଅବଦାନ ଓ ସମ୍ମାନ ଲାଭ କରି ଗର୍ବ ଆଣିଥିବା ବିଶେଷ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ଲୋକପ୍ରିୟ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡକ୍ଟର ରାମଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।  ଭାଷା ମହାକୁମ୍ଭର ଏହି ସମ୍ବର୍ଦ୍ଧନା ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ସାହିତ୍ୟର ଏହି ପ୍ରଥିତଯଶା ସ୍ରଷ୍ଟାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମୋମେଂଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ ।  ଏହି ଅବସରରେ ଶ୍ରୀ ବେହେରା କହିଛନ୍ତି, ଭାଷା ଗୋଟିଏ ଜାତିର ପ୍ରାଣର ସ୍ପନ୍ଦନ ।  ଏହାକୁ ସ୍ପନ୍ଦିତ କରି ରଖିବାର ଦାୟିତ୍ୱ ଆମ୍ଭମାନଙ୍କର ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ମାଟିର ଏହି ସାରସ୍ୱତ ସାଧକ ଗଳ୍ପ ସଂକଳନ ଓଁକାର ଧ୍ଵନି ପାଇଁ ୧୯୯୧ ମସିହାରେ ସାରଳା ପୁରସ୍କାର ପାଇଛନ୍ତି ।  ଅଭିନୟର ପରିଧି ଉପନ୍ୟାସ ପାଇଁ ୧୯୯୬ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କରିଥିଲେ । ୨୦୦୫ ମସିହାରେ କାଳଜୟୀ ଗଳ୍ପ ସଂକଳନ ଗୋପପୁର ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ବିଜୟୀ ହୋଇଛନ୍ତି ।  ସାମଗ୍ରିକ କୃତି ପାଇଁ ଓଡ଼ିଶାର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଏବଂ ଭାରତୀୟ ଭାଷା ପରିଷଦ ସମ୍ମାନ ପାଇଛନ୍ତି । North odisha University ତାଙ୍କ କୃତି ଓ କୀର୍ତ୍ତିକୁ ସ୍ୱୀକାର କରି ସମ୍ମାନ ସୂଚକ D. Lit ଉପାଧି ପ୍ରଦାନ କରିଥିଲେ ।   କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ତାଙ୍କ ସହ ଏସକର୍ଟ ଅଧିକାରୀ ଭାବେ ଗସ୍ତକରି ସମସ୍ତ ପ୍ରକାର ସହଯୋଗ କରିଥିଲେ ।


Next Post

ଓଲଟିଲା ବାଲି ବୋଝେଇ ହାଇୱା, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର

Mon Feb 5 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ-ଚଉଦକୁଲାଟ ଘେରିବନ୍ଧ ରାସ୍ତାର ଚଉଦକୁଲାଟ ପାଳ ସେତୁ ନିକଟରେ ଏକ ବାଲି ବୋଝେଇ ହାଇୱା ଟ୍ରକଟି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡିଛି । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତିଗଲେ ଡ୍ରାଇଭର ଓ ହେଲପର ।ସୂଚନାଯୋଗ୍ୟ ଯେ, ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀ ସହିରାତରୁ ପ୍ରତ୍ୟକ ଦିନ ଶହଶହ ଟ୍ରିପ ବାଲି ରାତିଦିନ ଚୋରା ଚାଲାଣ କରାଯାଉଥିବା ବେଳେ ପ୍ରଶାସନର ନିରବ ଦ୍ରଷ୍ଟା ସାଜିଛି […]

You May Like