ତହସିଲ୍ କାର୍ଯ୍ୟାଳୟ ପରିସରରେ ନାହିଁ ଶୌଚାଳୟ: ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ନ ଥିବାରୁ ଏଠାକୁ ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ନୂତନ ତହସିଲଦାରଙ୍କ ନିକଟରେ ଜଣାଇଛନ୍ତି ।ଏହି ତହସିଲ ଉପରେ ୩୧ ପଂଚାୟତର ୧୫୫ ଗ୍ରାମର ଜନସାଧାରଣ, ଛାତ୍ରୀଛାତ୍ର ଜମିଜମା କାଗଜପତ୍ର ଓ ସାର୍ଟିଫିକେଟ ପାଇଁ ନିର୍ଭରଶୀଳ ବୋଲି ଅନୁମାନ ନୁହେଁ ଅନ୍ୱେଷଣରୁ ଜଣାପଡିଛି ଯେ, ବହୁ ଦୂର ଦୁରାନ୍ତରୁ ଲୋକେ ବିଭିନ୍ନ କାର୍ଯ୍ୟରେ ଏଠାକୁ ଆସି ଦୀର୍ଘ ସମୟ ଅପେକ୍ଷା କରୁଥିବା ବେଳେ ଶୌଚାଳୟ ନ ଥିବାରୁ ଶୌଚ ହେବା ପାଇଁ ସେମାନେ ଗଳିକନ୍ଦି. ରାସ୍ତାକଡ଼କୁ ଯାଉଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ପଟ୍ଟାମୁଣ୍ଡାଇ ଧୋୟାଂଚଳର ନରେନ୍ଦ୍ର ଧଳ, ହିମାଂଶୁ ବିଶ୍ୱାଳ, କୈଳାସ ସେଠୀ, ସାମାଜିକକର୍ମୀ ପ୍ରବୀର ନାୟକ ପ୍ରମୁଖ ଅନ୍ୱେଷଣକୁ କହିଛନ୍ତି, ସଦରମହକୁମାଠାରୁ ଅଳପୁଆ, ଅଣ୍ଢରା, ତରଡିପାଳ, ପେଣ୍ଠପାଳ, ବଲୁରିଆ, ସିଂହଗାଁ, ଅମ୍ବୁତମଣୋହି, ଖଣନ୍ତା, ବିଲିକଣା ଆଦି ପଂଚାୟତ ୨୨ରୁ ୨୫ କିମି ଦୂରରେ ରହିଛି । ଏସବୁ ପଂଚାୟତରୁ ମଧ୍ୟ ପ୍ରତିଦିନ ଶତାଧିକ ଲୋକ ଆସୁଛନ୍ତି । ମାତ୍ର ପରିତାପର ବିଷୟ ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟଟିଏ ନ ଥିବାରୁ ସେମାନଙ୍କୁ ହଇରାଣ ହେବାକୁ ପଡୁଛି । ମାତ୍ର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପୌରପରିଷଦ ପକ୍ଷରୁ ଇକୋ ଟଏଲେଟ ନିର୍ମାଣ ହୋଇ ଦୀର୍ଘବର୍ଷ ହେଲା ଭାଙ୍ଗିରୁଜି ପରିତ୍ୟକ୍ତ ଅବସ୍ଥାରେ ରହିଛି । ସରକାର ସ୍ୱଚ୍ଛ ଭାରତ ଯୋଜନାରେ ଗ୍ରାମାଂଚଳରେ ପାଇଖାନା ନିର୍ମାଣକୁ ଗୁରୁତ୍ୱ ଦେଉଥିବାବେଳେ ଖୋଦ୍ ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ସୁବିଧା କରା ନ ଯିବା ଆଲୋଚ୍ୟର ବିଷୟ ହୋଇଛି ବୋଲି ଅନ୍ୱେଷଷଣରୁ ଜଣାପଡିଛି । ଶୌଚାଳୟ ନ ଥିବାରୁ ବିଶେଷ କରି ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଚେରି ପୋଖରୀକୁ ରାସ୍ତା ଯାଇଛି । ସେହି ରାସ୍ତା ପାଶ୍ୱର୍ରେ ଲୋକେ ପରିସ୍ରା କରୁଥିବାରୁ ଉକ୍ତ ଅଂଚଳ ଦୁର୍ଗନ୍ଧ ହେଉଛି । ଏପରି କି ଉକ୍ତ ରାସ୍ତା ଦେଇ ମହିଳାମାନେ ଯାତାୟାତ କରିବାକୁ ସଂକୋଚ ମନେକରୁଛନ୍ତି । ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ଦିଲ୍ଲିପ ନାଏକଙ୍କୁ ପଚାରିବାରୁ ଏହି ଅଳ୍ପଦିନ ହେବ ଏଠାରେ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଛି । ଏଠାରେ ପାନୀୟ ଜଳ ସୁବିଧା ନଥିବାରୁ ଏକ ନଳକୂପ ସାମ୍ମନାରେ କରାଯାଇଛି । ଦୁଇଟି ଶୌଚାଳୟ କରାଯାଉଛି । ପରବର୍ତି ସମୟରେ ପବ୍ଲିକଙ୍କ ପାଇଁ ଶୌଚାଳୟ କରାଯିବା ସହିତ ଯେଉଁ ସବୁ ଅସୁବିଧା ଅଛି ଧୀରେ ଧୀରେ ଦୂର କରାଯିବ ବୋଲି ସେ କହିଛନ୍ତି ।


Next Post

ଅଂଶୁମାନଙ୍କ ଇସ୍ତଫାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ; ସରଗରମ ହେଉଛି ରାଜନଗର ରାଜନୀତି !

Wed Feb 14 , 2024
ସାଧାରଣ ନିର୍ବାଚନ ୨୦୨୪ ତାରିଖ ପାଖେଇ ଆସୁଥିବା ବେଳେ କେନ୍ଦ୍ରପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ରାଜନୀତି ପାଣିପାଗ ମଧ୍ୟ ଧିରେଧିରେ ଗରମ ହେବାରେ ଲାଗିଲାଣି । ଦଳୀୟ କନ୍ଦଳ, ଦଳୀୟ ଅସନ୍ତୁଷ୍ଟ ଓ ଦଳ ବଦଳ ନୀତି ଜୋର ଧରିଥିବା ବେଳେ ଦଳରୁ ବରିଷ୍ଠ ନେତା ଇସ୍ତଫା ଦେବାର ଖବର ସାମ୍ନାକୁ ଆସିଲାଣି । ଶାସକ ଓ ବିରୋଧୀ ଦଳ ୨୦୨୪ ନିର୍ବାଚନ ପାଇଁ ସଜବାଜ ହେଉଥିବାବେଳେ ବିରୋଧୀ […]

KANIKA