ପଟ୍ଟାମୁଣ୍ଡାଇରେ ଆମ ହସ୍ପିଟାଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ଭିସି ଯୋଗେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପଟ୍ଟାମୁଣ୍ଡାଇରେ ଆମ ହସ୍ପିଟାଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ଭିସି ଯୋଗେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ଓଡିଶାର ୧୫ଟି ଜିଲ୍ଲାର ୭୩ଟି ଆମ ହସ୍ପିଟାଲ ରୂପାନ୍ତରିକରଣ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଠାରେ ଭିଡିଓ କନଫରେନ୍ସ ଯୋଗେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉତ୍ସବରେ ୫ଟି ଅଧ୍ୟକ୍ଷ ଭିକେ ପଣ୍ଡିଆନ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସବଡିବିଜନ ହସ୍ପିଟାଲରେ ଆମ ହସ୍ପିଟାଲ ରୂପାନ୍ତରିକରଣ କାର୍ଯ୍ୟକ୍ରମକୁ ମଧ୍ୟ ଭିଡିଓ କନଫରେନ୍ସ ଯୋଗେ ଉଦଘାଟନ କରିଛନ୍ତି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ସବଡିବିଜନ ହସ୍ପିଟାଲ ଠାରେ ଆୟୋଜିତ ମନୋଜ୍ଞ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜନସାଧାରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଆମ ହସ୍ପିଟାଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତପ୍ରକାଶ କରି ପଟ୍ଟାମୁଣ୍ଡାଇରେ ଆମ ହସ୍ପିଟାଲ ରୂପାନ୍ତରିକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାରୁ ବିଧାୟକ ସାହୁ ଅଂଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଉତ୍ସବରେ କେନ୍ଦ୍ରପଡ଼ା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର , ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ବିଡ଼ିଓ ଶୁଭ୍ରାଂଶୁ ଶେଖର ସାହୁ , ପଟ୍ଟାମୁଣ୍ଡାଇ ସବଡିବିଜନ ହସ୍ପିଟାଲ ଅଫିସର ଡା ନିରାକାର ପରିଡା, ରାଜନଗର ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା ରଶ୍ମୀରଞ୍ଜନ ମହାନ୍ତି, ରାଜନଗର ବ୍ଲକ ବିଜେଡ଼ି ସଭାପତି ନିରଞ୍ଜନ ରାଉତ, ପଟ୍ଟାମୁଣ୍ଡାଇ ନଗର ବିଜେଡ଼ି ସଭାପତି ଖଗେଶ୍ୱର ଲେଙ୍କା, କାଉନସିଲର ପ୍ରଶାନ୍ତ ବାରିକ, ରୋଗୀକଲ୍ୟାଣ ସମିତି ସଦସ୍ୟ ଶ୍ରୀକାନ୍ତ ରାଉତ ଓ ନିରାକାର ସାହୁ ପ୍ରମୁଖ ବହୁ ସରକାରୀ ପଦଧିକାରୀ , ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ନିର୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ଭାବଗ୍ରାହୀ କଳାନିକେତନର କଳକରମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ବିପିଏମ ପ୍ରଶାନ୍ତ କୁମାର ଜେନା, ପିଏଚଇଓ ନୃସିଂହ ଚରଣ ଦାଶ, ଚିତରଞ୍ଜନ ଚାନ୍ଦ, ସଞ୍ଜୟ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ ।