ସେତେବେଳେ ଶିକ୍ଷକଙ୍କୁ ଦେଖିଲେ ମନରେ ଶଙ୍କା କରୁଥିଲା ଛାତ୍ର , ଏବେ ଛାତ୍ରକୁ ଦେଖି ଶିକ୍ଷକ ଭୟଭିତ । ମଉଳି ଯାଉଛି ଶିକ୍ଷକ ଛାତ୍ରର ସମ୍ପର୍କ । ଅଳପୁଆ ହାଇସ୍କୁଲ ୧୯୭୭ ବ୍ୟାଚ ବନ୍ଧୁମିଳନ ଓ ଗୁରୁ ପୂଜନ ଉତ୍ସବ


ଦୁରେଇ ଦୁରେଇ ଯାଉଛି ଗୁରୁ ଶିଷ୍ୟର ସମ୍ପର୍କ । ସେଦିନ ପରି ଗୁରୁଙ୍କୁ ଭକ୍ତି କରୁନି ଛାତ୍ର ଆଉ ଛାତ୍ର ମଧ୍ୟ ଗୁରୁଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ହେବାରେ ଲାଗିଛି । କିନ୍ତୁ ଆପଣ ଜାଣି ବିଶ୍ମିତ ହେବେ କି ୪୬ ବର୍ଷ ଧରି ସ୍କୁଲ ଛାଡି ଥିବା ବୟବୃଦ୍ଧ ଛାତ୍ର ଛାତ୍ରୀ ମାନେ ଏବେ ସେମାନଙ୍କ ଚିରବନ୍ଦନୀୟ ଗୁରୁଙ୍କ ପାଦପୁଜା କରିଛନ୍ତି । ଏପରି ଏକ ଅଭୁଲା ମୁହୁର୍ତ୍ତ ଭାବାବେଗ ସୃଷ୍ଟି କରିଥିଲା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ନୋଡ଼ାଲ  ଉଚ୍ଚବିଦ୍ୟାଳୟର ଗୁରୁଶିଷ୍ୟଙ୍କ ମଧ୍ୟରେ ।

ସରକାରୀ ଚାକିରୀ ବାକିରୀରୁ ଅବସର ନେଲେଣି ଏମାନେ । କିଏ ଡାକ୍ତର ତ କିଏ ଇଞ୍ଜିନିୟର ଆଉ କିଏ ସରକାରଙ୍କର ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ମୁଣ୍ଡ ଓ ନିସରେ ପାଚିଲା ଚୁଟିକୁ ଦେଖିଲେ ବାରି ହେଉଛି ବୟସର ଅପରାହ୍ନ ଛୁଇଁବାକୁ ଯାଉଛି ଏମାନଙ୍କୁ । ସମସ୍ତେ ନାତି ନାତୁଣୀ ହେଖି ସାରିଲେଣି । କେହି କେହି ବାର୍ଦ୍ଧକ୍ୟ ହେତୁ ରୋଗଗ୍ରସ୍ତ ବି ହେଲେଣି । ତଥାପି ଏମାନେ ଛାତ୍ର । ୪୬ ବର୍ଷ ତଳେ ଯେଉଁ ସ୍କୁଲର ଡେକ୍ସ ଓ ବେଞ୍ଚରେ ବସି ଗୁରୁଙ୍କ ସମ୍ମୁଖରେ ପାଠ ପଢୁଥିଲେ ଆଜି ସେହି ବେଞ୍ଚରେ ବସିଛନ୍ତି ଏମାନେ । ସମ୍ମୁଖରେ ଗୁରୁ ଯେମିତି ଶ୍ରେଣୀରେ ପାଠ ପଢାଉଛନ୍ତି ।

୧୯୭୭ ମସିହାରେ ମାଟ୍ରିକ ପାସ୍ କରିଥିବା ସେଦିନର ଛାତ୍ରୀଛାତ୍ର ମାନେ ଆଜି ଗୁରୁଶିଷ୍ୟ ସମ୍ପର୍କର ରୋମନ୍ଥନ କରିଛନ୍ତି । ଅନେକ ଗୁରୁ ଓ ଛାତ୍ର ବି ମରିହଜି ଗଲେଣି । ତଥାପି ଏମାନଙ୍କ ନିକଟରେ ଅତୁଟ ରହିଛି ଗରୁଭକ୍ତିର ନମୁନା । ସେଦିନ ବିଦ୍ୟାଳୟରେ ସମସ୍ତେ ମିସି ଯେମିତି ପ୍ରାର୍ଥନା ସଭାରେ ପ୍ରାର୍ଥନା କରୁଥିଲେ, ଯୋଡ ହସ୍ତରେ ଗୁରୁଙ୍କ ସମ୍ମୁଖରେ ଠିଆ ହେଉଥିଲେ, ଗୁରୁଙ୍କ ପାଦଛୁଇଁ ପ୍ରଣିପାତ ହେଉଥିଲେ । ଗୁରୁଙ୍କ ବେତ ପାହର କିପରି ସେମାନଙ୍କୁ ସମାଜରେ ଏକ ଭଲ ମଣିଷ ତିଆରି କରିବାରେ ସହାୟକ ହୋଇଥିଲା ସେଗୁଡିକ ଯେମିତି କାଲିପରି ଲାଗୁଛି ଏମାନଙ୍କୁ ।

ବୟସର ଅପରାହ୍ନରେ ପହଞ୍ଚିବାକୁ ଯାଉଥିବା ଏହି ଛାତ୍ରମାନେ ଏବେ ବି ସେମାନଙ୍କ ଗୁରୁଙ୍କୁ ଦେଖି ଶଙ୍କି ଯାଉଥିଲେ । ଭୟ ଓ ଭକ୍ତିରେ ମଥା ନୁଆଇଁ ଦେଇଥିଲେ । ଗୁରୁଙ୍କ ବେତ ପାହାର ଭୁଲି ନାହାନ୍ତି ଏମାନେ ବୋଲି କୁହନ୍ତି । ଜଣେ ଛାତ୍ରଙ୍କ କହିବା ଅନୁସାରେ ସେଦିନର ସାରେଙ୍କୁ ଦେଖିଲେ ଯେଉଁ ଛାତ୍ର ପ୍ୟାଣ୍ଟରେ ଝାଡା ପରିସ୍ରା କରିଦେଉଥିଲେ ସେମାନେ ଆଜି ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି । ହେଲେ ଆଜିର ଯୁଗରେ ସେମିତି ଗୁରୁ ମିଳୁନାହାନ୍ତି କି ଏମିତି ଛାତ୍ର ମିଳୁନାହାନ୍ତି । ସେଦିନ ଗୁରୁଙ୍କୁ ଦେଖି ଭୟକରୁଥିଲା ଛାତ୍ର ଆଉ ଭୟରୁ ସୃଷ୍ଟି ହେଉଥିଲା ଭକ୍ତି । ହେଲେ ଆଜି ତାହା ଓଲଟି ଯାଇଛି । ବିଦ୍ୟାଳୟ ଏବେ ଦଣ୍ଡମୁକ୍ତ ହୋଇଛି । ଛାତ୍ରଛାତ୍ରୀଙ୍କୁ ଭୟକରୁଛି ବିଚାରା ଗୁରୁ । ଆଉ କେତେବେଳେ ମଧ୍ୟ ଛାତ୍ରଛାତ୍ରୀଙ୍କ ମିଛ ମାମଲାରେ ଥାନା ହାଜତରେ ପଶୁଛି ଗୁରୁ । ଛାତ୍ରଛାତ୍ରୀଙ୍କ ପ୍ରତି ଗୁରୁଙ୍କର ସ୍ନେହ ମମତା କମିକମି ଯାଉଛି । ଫଳରେ ଗୁରୁ ଶିଷ୍ୟ ପରମ୍ପରା କଳଙ୍କିତ ହେଉଛି । ଛାତ୍ର ବତ୍ସଳ ଗୁରୁମାନେ ଆଶିର୍ବାଦରେ ପୋତି ପକାଉଥିଲେ ସେମାନଙ୍କର ପ୍ରିୟ ଛାତ୍ରଛାତ୍ରୀ ମାନଙ୍କୁ । ଗୁରୁ ଶିଷ୍ୟ ମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଏକ ଭାବ ବିହ୍ବଳ ପରିବେଶ । ଗୁରୁଶିଷ୍ୟଙ୍କ ମଧ୍ୟରେ ଏକ ଆବେଗମୟ ସମ୍ପର୍କ କିଛି ସମୟ ପାଇଁ ବାନ୍ଧି ରଖିଥିଲା ପରଷ୍ପରଙ୍କୁ ।

ଆଜିର ଏହି ଅଳପୁଆ ନୋଡ଼ାଲ  ଉଚ୍ଚବିଦ୍ୟାଳୟର  ସେଦିନର ପ୍ରଧାନ ଶିକ୍ଷକ ଭଗବାନ ରାଉତଙ୍କ, ଭଗବାନ ରାଉତ,ବିଷ୍ଣୁ ଚରଣ ଧଳ,ନୀଳମଣି ଶତପଥୀ, କାର୍ତିକ ରାଉତଙ୍କର ପ୍ରିୟ ଛାତ୍ର ଛାତ୍ରୀ ମାନେ ଗୁରୁ ପାଦତଳେ ଲୋଟି ଯାଇ ପୂଜା ର୍ଚନା କରିବା ସହିତ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ପରଲୋକ ଗମନ କରିଥିବା ୫ଜଣ ବନ୍ଧୁ ଏବଂ ୩ଜଣ ଶିକ୍ଷକଙ୍କ  ଆତ୍ମାର ସଦଗତୀ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲା। ପୁରାତନ ଛାତ୍ରଛାତ୍ରୀ ମାନେ ଏକ ମୁଗୁନି ପଥର ନିର୍ମିତ ଗଣେଶ ମୂର୍ତ୍ତି ବିଦ୍ୟାଳୟକୁ ପ୍ରଦାନ କରିଥିଲେ ।

ବର୍ତ୍ତମାନ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନଶିକ୍ଷକ, ଶିକ୍ଷୟୀତ୍ରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ପୁରାତନ ଛାତ୍ର  ପ୍ରତାପ ବିଶ୍ୱାଳ ,ବବୃବାହାନ ଧଳ, ରମେଶ ବେହେରା,ନିରଞ୍ଜନ ଧଳ, ନିରାକାର ସାହୁ,ବିଶ୍ୱମ୍ବର ନାୟକ,ଅନନ୍ତ ନାୟକ ,ପଞ୍ଚାନନ ସାହୁ, ଅଭୟ ବାରିକ, ନୃସିଂହ ନାଥ, ନୃସିଂହ ବାରିକ,ବିଚିତ୍ର ବରାଳ,ମନୋଜ ନାୟକ, ସୁବାସ ରାଉତ,ସୁନାକାର ଶର୍ମା,ଗଣେଶ ରାଉତ ,ହିମାଂଶୁ ଶର୍ମା,ଗୋକୁଳ ସେଠି, ବିପିନ ପ୍ରଧାନ, ଅଭିରାମ ଦାସ,ମଞ୍ଜୁଲତା ନାୟକ, ସୁଶୀଳା ଦାସ, ମଞ୍ଜୁଶ୍ରୀ ବିଶ୍ୱାଳ, ଅନ୍ନପୂର୍ଣ୍ଣା ବିଶ୍ୱାଳ, ସୁଲୋଚନା ସାମଲ ପ୍ରମୁଖ ସ୍କୁଲ ଜୀବନର ସ୍ମୃତି ଚାରଣ କରିବା ସହିତ ଏହି ମହାନ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ । ଶେଷରେ ଗଗନ ମହାଳିକ ଧନ୍ୟବାଦ ବାଦ ଦେଇଥିଲେ ।  


Next Post

ପଟ୍ଟାମୁଣ୍ଡାଇରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୨୫୭୮, କପି ରୋକିବାକୁ କଡା ପଦକ୍ଷେପ

Tue Feb 20 , 2024
ଆଜି ଠାରୁ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା ସୁପରିଚାଳନା ପାଇଁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ କଷଣଅଣ୍ଟା ହାଇସ୍କୁଲ ପ୍ରଶ୍ନପତ୍ର ହବ କେନ୍ଦ୍ର କରାଯାଇଛି ।  ସମୁଦାୟ ପରୀକ୍ଷା ପରିଚାଳନା ପାଇଁ ୧୩ ହବ କେନ୍ଦ୍ର କରାଯାଇଛି ।  ଚଳିତ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରିଥିବା ୨୬୩୩ ମଧ୍ୟରୁ ୨୫୭୮ ଜଣ ପିଲା ପରୀକ୍ଷା ଦେଉଛନ୍ତି ।  ଆଜି ମାଟ୍ରିକ ପରୀକ୍ଷା […]

KANIKA