ନୂଆଦିଲ୍ଲୀ ୧୫ା୩: ଆସନ୍ତାକାଲି ଅର୍ଥାତ୍ ଶନିବାର ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ । ନିର୍ବାଚନ ଆୟୋଗ ଶନିବାର ଅପରାହ୍ନ ୩ଟାରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବେ । ଏହା ସହିତ କେତେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯିବ । ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ନେଇ ନିର୍ବାଚନ ତାରିଖ ଘୋଷଣା ସହ ଆସନ୍ତାକାଲି ନିର୍ବାଚନ ଆଚରଣ ବିଧି ଲାଗୁ ହେବ ।
ସୂଚନାଯୋଗ୍ୟ, ପୂର୍ବ ୨୦୧୯ ନିର୍ବାଚନ ମାର୍ଚ୍ଚ ୧୦ରେ ଘୋଷଣା କରାଯାଇଥିଲା । ନିର୍ବାଚନ ଆୟୋଗ ରବିବାର ୨୦୧୯ରେ ଲୋକ ସଭା ନିର୍ବାଚନ ଘୋଷଣା କରିଥିଲେ, କିନ୍ତୁ ଏଥର ଶନିବାର ଘୋଷଣା କରାଯିବ । ଗତଥର ୭ଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେହି ନିର୍ବାଚନ ସମୟରେ ଦେଶରେ ୯୧କୋଟିରୁ ଅଧିକ ଭୋଟର ଥିଲେ, ଯେଉଁମାନଙ୍କ ମଧ୍ୟରୁ ୬୭ପ୍ରତିଶତ ମତଦାନ କରିଥିଲେ । ଏଥର ମଧ୍ୟ ୬ରୁ ୭ ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ ବୋଲି ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ହିଁ ସ୍ପଷ୍ଟ ସୂଚନା ମିଳିଯିବ ।