କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ବିଲିକଣା ଗ୍ରାମର ଶ୍ରୀଧର ବେହେରାଙ୍କ ଘରେ ଭୋଜି ଖାଇ ୪୦ ଜଣ ଅସୁସ୍ଥ ହୋଇପଡିଛନ୍ତି । ଏମାନଙ୍କ ମଧ୍ୟରୁ ୧୬ ଜଣ ମେଡିକାଲରେ ଭର୍ତି ହୋଇଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି ବୋଲି ମେଡିକାଲ ପକ୍ଷରୁ ସୁଚନା ଦିଆଯାଇଛି । ଗତକାଲି ଠାରୁ ପଟ୍ଟାମୁଣ୍ଡାଇ ମେଡିକାଲରୁ ଏକ ଟିମ ଗାଁକୁ ଯାଇ ଭୋଜି ଖାଇଥିବା ସବୁଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । କେନ୍ଦ୍ରାପଡା ଏଡିଏମଓ ନୃତେନ୍ଦ୍ର ଶତପଥୀ ଓ ପଟ୍ଟାମୁଣ୍ଡାଇ ମେଡିକାଲ ଅଫିସର ଡାକ୍ତର ନିରାକାର ପରିଡା ବିଲିକଣା ଗାଁରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ।
ଖବର ନେବାରେ ଜଣାପଡିଛି ଯେ ଗତ ଗୁରୁବାର ଦିନ ବିଲିକଣା ଗ୍ରାମର ଶ୍ରୀଧର ବେହେରାଙ୍କ ଘରେ ଗୀତ ବସିବା ଯୋଗୁ ଏକ ଭୋଜିର ଆୟୋଜନ କରାଯାଇଥିଲା । ଏହି ଉପଲକ୍ଷେ ମଧ୍ୟାନ୍ନରେ ଭାତ, ଡାଲମା ଖଟା ଓ ଖୀରି ଗ୍ରାମବାସୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା । ସଂନ୍ଧ୍ୟା ସମୟରେ ବଳିଥିବା ଖାଦ୍ୟକୁ ପାଖ ପଡିଶା ଓ ଘରକୁ ଆସିଥିବା ଅତିଥି ମାନଙ୍କୁ ଖାଇବାକୁ ଦିଆଯାଇଥିଲା । ଗତ ସଂନ୍ଧ୍ୟା ଓ ରାତିରେ ଖାଇଥିବା ଲୋକମାନେ ଝାଡାବାନ୍ତିର ଶିକାର ହୋଇ ପଟ୍ଟାମୁଣ୍ଡାଇ, ରାଜନଗର ଓ ବାବର ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ଜଣ, ରାଜନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ୮ଜଣ ଓ ବାବର ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଜଣ ଙ୍କୁ ଭର୍ତି କରାଯାଇଥିଲା । ରାଜନଗର ମେଡିକାଲ ଅଫିସର ଡାକ୍ତର ରଶ୍ମିରଂଜନ ମହାନ୍ତି କହିଛନ୍ତି ଯେ ରାଜନଗର ମେଡିକାଲରେ ଭର୍ତି ହୋଇଥିବା ୮ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ଖୁବଶିଘ୍ର ସେମାନଙ୍କୁ ଛାଡିଦିଆଯିବ । ସେହିପରି ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ଓ ବାବର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିବା ରୋଗୀ ମାନେ ଭଲ ଅଛନ୍ତି ବୋଲି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ବିଲିକଣା ଗ୍ରାମରେ ପଟ୍ଟାମୁଣ୍ଡାଇ ମେଡିକାଲରୁ ଡାକ୍ଟର ନିରକାର ସେଠୀ, ଡାକ୍ତର ଶ୍ରୀ ମଣ୍ଡଳ, ସ୍ୱାସ୍ଥ୍ୟ ପରିଦର୍ଶକ ନୃସିଂହ ଦାସ, ସିଏଚଓ ନିବେଦିତା ଜେନା, ପିଏଚଓ ସ୍ନେହଲତା ମହାନ୍ତି, ସ୍ୱାସ୍ଥ୍ୟ କର୍ମୀ ଶୁଭରତ୍ନ ଖୁଂଟିଆ ପ୍ରମୁଖ ଡାକ୍ତରୀ ଟିମ ଗାଁରେ ରହି ଘରକୁ ଘର ବୁଲି ଭୋଜି ଖାଇଥିବା ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ରାଜନଗର ମେଡିକାଲରେ ଭର୍ତି ହୋଇଥିବା ଲୋକ ମାନେ ହେଲେ ସେବତୀ ପରିଡା(୮୦), ମଂଜୁଲତା ପରିଡା(୫୦), ଲୋଚନା ପରିଡା(୫୦), ଗଣେଶ୍ୱର ପରିଡା(୫୦), ପ୍ରଫୁଲ୍ଲ ପରିଡା(୬୫), ଅନସାରୀ ପରିଡା(୨୫), ସ୍ୱର୍ଣଲତା ମାଝି(୩୦), ମୁରଲୀ ପରିଡା(୬୦), ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତି ହୋଇଥିବା ଆରୁଷି ନାୟକ(୫), ଭଗବତୀ ନାୟକ(୩୦), ସନ୍ତୋଷ ନାୟକ(୪୦), ଯଶୋଦା ସାହୁ, (୪୨) ବୋଲି ଜଣାପଡିଛି । ଏମାନଙ୍କୁ ଖୁବ ଶିଘ୍ର ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।