୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କିରାଣୀ

୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କିରାଣୀ


କେନ୍ଦ୍ରାପଡ଼ା, ୩ା୫: ଏକ ଜମି ପଟ୍ଟାରେ ନାମ ପରିବର୍ତ୍ତନ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ କେନ୍ଦ୍ରାପଡା ଅତିରିକ୍ତ ଚକବନ୍ଦୀ କମିଶନରଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଜୀତେନ୍ଦ୍ର କୁମାର ସେନାପତିକୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଅଭିଯୋଗ ଅନୁଯାୟୀ ଗାୟତ୍ରୀ ମିଶ୍ର ନାମକ ଜନୈକ ମହିଳା ଡେରାବିଶ ତହସିଲ ଅନ୍ତର୍ଗତ ଗୁଆଳସିଂ ମୈାଜାରେ ଏକ ଏ.୦୫ଡେସିମିଲ ପରିମିତ ସ୍ଥିତିବାନ ଜମି ଗତ ୧୯୯୧ମସିହାରେ କ୍ରୟ କରିଥିଲେ । କିନ୍ତୁ କାର୍ଯ୍ୟବ୍ୟସ୍ତତା ହେତୁ ସେହି ଜମିକୁ ନିଜ ନାମରେ ରେକର୍ଡ କରାଇ ପାରିନଥିଲେ । ଗତ ପ୍ରାୟ ଏକବର୍ଷ ହେବ ସେ ତହସିଲ କାର୍ଯ୍ୟାଳୟକୁ ଦୈାଡି ଦୈାଡି ଅସଫଳ ହେବା ପରେ ଏକ ଆର.ପି. କେଶ ଅତିରିକ୍ତ ଚକବନ୍ଦୀ କମିଶନରଙ୍କ କାର୍ଯ୍ୟାଳୟରେ ଦାୟର କରିଥିଲେ । ସେହି କେଶରେ ଅତିରିକ୍ତ ଚକବନ୍ଦୀ କମିଶନରଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଶ୍ରୀ ସେନାପତି ୧୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଗାୟତ୍ରୀ ଏସମ୍ପର୍କରେ କଟକସ୍ଥିତ ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ କଟକ ଭିଜିଲାନ୍ସ କେଶ ନମ୍ବର ୧୦/୨୦୨୪ରେ ଏକ ମାମଲା ରୁଜୁ କରାଯାୟୀ ଆଜି କଟକରୁ ଏକ ଭିଜିଲାନ୍ସ ଟିମ କେନ୍ଦ୍ରାପଡାକୁ ଆସି ଚକବନ୍ଦୀ କାର୍ଯ୍ୟାଳୟ ନିକଟରେ ଲୁଚି ରହିିଥିଲେ । ଜୀତେନ୍ଦ୍ର ଗାୟତ୍ରୀଙ୍କ ହାତରୁ ରାସାୟନିକ ଦ୍ରବ୍ୟ ବୋଳା ହୋଇଥିବା ୧୦ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଜୀତେନ୍ଦ୍ରଙ୍କୁ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ ଧରି ନେଇଥିଲା । ତାଙ୍କ ହାତ ପାଣିରେ ଧୋଇବା ପରେ ସେଥିରୁ ଲାଲ ରଙ୍ଗର ପାଣି ବାହାରିଥିଲା । ଏଥିସହିତ ୧୦ହଜାର ଲାଞ୍ଚ ଟଙ୍କା ଜୀତେନ୍ଦ୍ରଙ୍କ ଠାରୁ ଜବତ କରାଯିବା ସହ ଭିଜିଲାନ୍ସ ଟିମ ଜୀତେନ୍ଦ୍ରଙ୍କୁ ଗିରଫ କରି କଟକ ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟକୁ ନେଇଯାଇଥିବା ଜଣାପଡିଛି । ଏଥିସହିତ ରାଜେନ୍ଦ୍ରଙ୍କ ପୈତୃକ ଘର ମାର୍ଶାଘାଇ ଥାନା ଅନ୍ତର୍ଗତ ଖମଗାଁବିନ୍ଧାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରିରହିଛି ।