ବିଳମ୍ବିତ ରାତିରେ ବଜ୍ରପାତ, ଜଳିଗଲା ଘର ଗୁହାଳ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଦିହିଡୁପୁର ପଂଚାୟତ ଅଧୀନ ଖଦାଳସାହି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ବଜ୍ରପାତ ଘଟି ଗୋବିନ୍ଦ ମଲିକଙ୍କ ଚାଳଛପର ଘର ଓ ଗୁହାଳଘର ସଂପୂର୍ଣ୍ଣ ଭସ୍ମୀଭୂତ ହେବା ସହିତ ୫ ଟି ଗାଈଗୋରୁ ନାରାୟଣ ହୋଇ ଯାଇଛନ୍ତି । ଗାଈଗୁଡିଙ୍କୁ ବଂଚାଇବାକୁ ଯାଇ ଗୋବିନ୍ଦ ଗୁରୁତର ଆହତ ହୋଇ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଖବର ପାଇ ପଟ୍ଟାମୁଣ୍ଡାଇ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଛନ୍ତି ।
ସୁଚନାନୁଯାଇ ଶନିବାର ରାତି ପ୍ରାୟ ଦେଢଟା ବେଳେ ହଠାତ୍ କାଳବୈଶାଖୀ ବର୍ଷା ମାଡ଼ି ଆସିଥିଲା । ବର୍ଷା ହେବା ପୂର୍ବରୁ ପ୍ରବଳ ଘଡ଼ଘଡ଼ି ମାରିଥିଲା ଓ ବଜ୍ରପାତ ହୋଇଥିଲା । ଖଦାଳସାହି ଗାଁର ଗୋବିନ୍ଦ ମଳିକଙ୍କ ଚାଳଘରକୁ ଲାଗିଥିବା ଗୁହାଲ ଉପରେ ବଜ୍ରପାତ ହେବାରୁ ନିଆଁ ଲାଗି ଯାଇଥିଲା । ଅଧରାତିରେ ଲୋକେ ଶୋଇପଡିଥିବା ବେଳେ ବର୍ଷା ପବନ ଓ ଘଡ଼ଘଡ଼ି ଯୋଗୁଁ ଲୋକେ ଘରୁ ବାହାରିବାକୁ ଭୟ କରୁଥିବାବେଳେ ନିଆଁ ଲାଗିଥିବା କଥା କେହି ଜାଣିପାରି ନଥିଲେ । ତେବେ ଗାଇଗୋରୁଙ୍କ ରଡିଶୁଣି ଗୋବିନ୍ଦଙ୍କ ପରିବାର ଲୋକେ ଉଠି ଦେଖିଲା ବେଳକୁ ନିଆଁ ଗୁହାଳ ଘର ସମେତ ଚାଳଘରକୁ ପୂରା ବ୍ୟାପୀ ସାରିଥିଲା । ଗୋବିନ୍ଦ ଗାଈ ଗୁଡିଙ୍କୁ ବଂଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ନିଆଁଧାସ ପଡି ଆହତ ହୋଇପଡିଥିଲେ । ପରିବାର ଲୋକଙ୍କ ପାଟି ଶୁଣି ଗାଁ ଲୋକେ ଏକାଠି ହୋଇ ନିଆଁକୁ ଆୟତ କରିବାକୁ ବହୁ ଉଦ୍ୟମ କରିଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିବା ବେଳକୁ ଲୋକେ ପ୍ରାୟ ୮୦ ଭାଗ ନିଆଁ ଲିଭାଇ ସାରିଥିଲେ । ତେବେ ଏହି କାଳ ବୈଶାଖୀର ତାଣ୍ଡବରେ ଗୋବିନ୍ଦଙ୍କ ଚାଳ ଘରେ ଥିବା ଆସବାବପତ୍ର, ଲୁଗାପଟା ଓ ଧାନଚାଉଳ ପୋଡ଼ି ପାଉଁଶ ହୋଇ ଯିବା ସହ ଗୁହାଳରେ ଥିବା ୩ ଗାଈ ଓ ଦୁଇ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗୋପାଳନ କରି ନିଜର ଗୁଜୁରାଣ ମେଂଟାଉଥିବା ଗୋବିନ୍ଦଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି । କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଅଂଚଳବାସୀଙ୍କ ତରଫରୁ ଦାବି ହେଉଛି । ସେପଟେ ବିଧାୟକ ଧ୍ରୁବ ସାହୁ ଘଟଣା ସ୍ଥଳରେ ପହଁଚି ପରିବାର ଲୋକଙ୍କୁ ଭେଟିବା ସହିତ ଖୁବ ଶୀଘ୍ର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ସେହିଭଳି ବଜ୍ରପାତ ଯୋଗୁଁ ଗାଁର ବହୁ ଲୋକଙ୍କ ଘରେ ବିଦ୍ୟୁତ୍ ଉପକରଣ ନଷ୍ଟ ହୋଇଯାଇଛି ।

ଅପରପକ୍ଷେ ବଜ୍ରପାତରୁ ଘରକୁ କିପରି ସୁରକ୍ଷିତ ରଖାଯାଇପାରିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ବିଜ୍ଞାନ ଛାତ୍ରୀ । ସେ କହିଛନ୍ତି ବଜ୍ରପାତ ହେଲେ ହାଇ ଭୋଲଟେଜ କରେଂଟ କୋଠା ଘରର କାନ୍ଥ ମଧ୍ୟ ଭାଙ୍ଗି ଦେଇପାରେ । ହେଲେ ଏବେ ବଜ୍ରପାତରୁ ଘରକୁ ସୁରକ୍ଷିତ ରଖିବା ପାଇଁ ବଜାରରେ ଲାଇଟେନିଂ ପ୍ରୋଟେକ୍ସନ ସିଷ୍ଟମ ମିଳୁଛି । ଏହାକୁ ବ୍ୟବହାର କଲେ ଘର ଉପରେ ବଜ୍ରପାତ ହେଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ । ଘଡଘଡିର ହାଇଭୋଲଟେଜ କରେଂଟ ଘର ଉପରେ ପଡିବା ପୂର୍ବରୁ ଲାଇଟେନିଂ ପ୍ରୋଟେକ୍ସନ ସିଷ୍ଟମ ତାକୁ ଟାଣିନେଇ ଆର୍ôଥଂ ଜରିଆରେ ମାଟି ଭିତରେ ଛାଡିବ । ଏହି ଉପକରଣ ସହଜରେ ମିଳୁଥିବାରୁ ଘରକୁ ବଜ୍ରପାତରୁ ସୁରକ୍ଷିତ ରଖାଯାଇପାରିବ ବୋଲି ବିଜ୍ଞାନ ଛାତ୍ରୀ ନିର୍ଜରା ନାୟକ କହିଛନ୍ତି ।


Next Post

ଏସ୍ ଓ ଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନରେ ଅନ୍ତର୍ଜାତୀୟ ନର୍ସିଂ ଦିବସ ପାଳିତ

Sun May 12 , 2024
କେନ୍ଦ୍ରାପଡ଼ା, ୧୨ା୫: ଆଜି ଏସ୍ ଓ ଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସ ପ୍ରାଙ୍ଗଣରେ ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ଙ୍କ ୨୦୪ତମ ଜନ୍ମ ଜୟନ୍ତୀ ତଥା ଅନ୍ତର୍ଜାତୀୟ ନର୍ସିଂ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋତିମର‌୍ୟୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରାପଡ଼ା ମେଡ଼ିକାଲର ଶିଶୁ ବିଭାଗ ଏଚ୍‌ଓଡି ଡଃ. କେିଶାର ଚନ୍ଦ୍ର ମିଶ୍ର ଯୋଗଦେଇ କହିଥିଲେ ଯେ ନର୍ସିଂ ଛାତ୍ରୀଛାତ୍ରମାନେ […]

KANIKA