ମତାଧିକାର ସାବ୍ୟସ୍ତ କରିବାରୁ ବଂଚିତ ହେବେ ଦାଦନ ଶ୍ରମିକ



କେନ୍ଦ୍ରାପଡା ଲୋକସଭା ରାଜନଗର ବିଧାନସଭା କ୍ଷେତ୍ରରେ ଜୁନ ମାସ ୧ ରେ ହେବ ଶେଷ ପ୍ରର୍ଯ୍ୟାୟ ନିର୍ବାଚନ । ବୁଢ଼ାବୁଢ଼ୀଙ୍କଠାରୁ ନେଇ ବିଭିନ୍ନ ବର୍ଗର ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କିନ୍ତୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବହୁ ଯୁବତୀଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟ ଓ ବିଦେଶ ଯାଇଥିବା ବେଳେ କେମିତି ମତଦାନ କରିବେ ସେ ନେଇ ଏବେବି ଦ୍ୱନ୍ଦ୍ୱ ରହିଛି । ସାଧାରଣ ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିବା ଦେଶର ସାବାଳକ ନାଗରିକଙ୍କ କର୍ତବ୍ୟ ହୋଇଥିଲେ ସୁଦ୍ଧା ନିର୍ବାଚନ ସମୟରେ ଦାଦନ ଶ୍ରମିକମାନେ ଏହି ଅଧିକାରରୁ ବଂଚିତ ହେଉଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।
ବରିଷ୍ଠ ନାଗରିକ ପ୍ରେମାନନ୍ଦ ପଣ୍ଡା କୁହନ୍ତି ପୂର୍ବରୁ ଅଣଜଳସେଚିତ ଅଂଚଳରୁ ଦାଦନ ଖଟିବାକୁ ଯିବାର ଦେଖିବାକୁ ମିଳୁଥିଲା । ମାତ୍ର ଏବେ ଜଳସେଚିତ ଅଂଚଳ ପଟ୍ଟାମୁଣ୍ଡାଇ ଉପଖଣ୍ଡ ମଧ୍ୟ ବାଦ୍ ପଡ଼ିନାହିଁ । ରାଜ୍ୟ ତଥା ଦେଶ ବାହାରକୁ ଦାଦନ ଖଟିବାକୁ ଯାଇ ଶ୍ରମିକମାନେ ବାରମ୍ବାର ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି । ଏହାସତ୍ୱେ ଜିଲାର ଦାଦନ ସମସ୍ୟା ଉପରେ ପୂର୍ଣ୍ଣଛେଦ ପଡ଼ିପାରୁ ନାହିଁ । ବର୍ତମାନ ସାଧାରଣ ନିର୍ବାଚନକୁ ନେଇ ସାରା ଜିଲା ସରଗରମ ହୋଇ ପଡିଛି । କିନ୍ତୁ ରାଜ୍ୟ ବାହାର ଗୁଜରାଟ, କଣ୍ଣାଟକ, କେରଳ, ଓଷ୍ଟବେଙ୍ଗଲ, ଦିଲ୍ଲୀ ଓ ପଞାବକୁ ଛୁଆପିଲା ଧରି ଦାଦନ ଖଟିବାକୁ ଯାଇଥିବା ବେଳେ ଅନେକ ନଳପାଇପ ଶ୍ରମିକଭାବେ ଗଲ୍ଫ ଦେଶକୁ ମଧ୍ୟ ଯାଇଛନ୍ତି । କିନ୍ତୁ ସେମାନେ ମତଦାନ ପ୍ରକ୍ରିୟାରେ ସାମିଲ ହୋଇପାରୁ ନାହାନ୍ତି । ପଟ୍ଟାମୁଣ୍ଡାଇ ଅଂଚରୁ ଅଧିକାଂଶ ଯୁବତୀଯୁବକ ବାହାରକୁ କର୍ମ ଅନ୍ୱେଷଣରେ ଯାଇ ଥାଇ ପାରନ୍ତି । କିନ୍ତୁ ରେଜିଷ୍ଟେସନରେ ଏତେ ସଂଖ୍ୟକ ଉଲେଖ ନାହିଁ ବୋଲି ଜିଲା ଶ୍ରମ ଅଧିକାରୀ ଚନ୍ଦନ ମାଝି କହିଛନ୍ତି । ସରକାରୀ ତଥ୍ୟ ଠାରୁ ବେସରକାରୀ ଭାବେ ଏହା ଢ଼େର ଗୁଣରେ ଅଧିକ ହେବ ବୋଲି ଦାଦନ ସମସ୍ୟା ଉପରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀମାନେ କହିଛନ୍ତି ।
ଉତ୍କଳମଣୀ ଯୁବକସଂଘ ସଭାପତି ଗୌତମ ବେହେରା କହିଛନ୍ତି, କରୋନା ମହାମାରୀ ପରେ ୨୦୨୧-୨୨ରେ ଜିଲାରୁ ପ୍ରାୟ ୬୦ହଜାରୁ ଅଧିକ ଲୋକ ରାଜ୍ୟ ଓ ଦେଶ ବାହାକୁ ଯାଇଥିବା ସଙ୍ଗଠନର ଏକ ସର୍ଭେରୁ ଜଣାପଡ଼ିଥିଲା । ମାତ୍ର ୨ବର୍ଷ ହେଲା ସେହି ସର୍ଭେ ହୋଇ ନ ଥିବାରୁ ବର୍ତମାନର ସ୍ଥିତି ଠିକ୍ ଭାବେ ଆକଳନ କରାଯାଇ ପାରୁନାହିଁ । ତଥାପି ଏହା ଅଧିକ ୩୦/୪୦ହଜାର ହୋଇଥିବା ସେ କହିଛନ୍ତି । ସେଥିମଧ୍ୟରୁ କେବଳ ପଟ୍ଟାମୁଣ୍ଡାଇ-ରାଜନଗର ଅଂଚଳରୁ ଅଧିକାଂଶ ଲୋକ ରହିଥିବା ସେ ପ୍ରକାଶ କରିଛନ୍ତି ।
ସାମାଜିକ କର୍ମୀ ପ୍ରବିର ନାୟକ କହିବା ଅନୁଯାୟୀ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ରାଜନଗରରୁ ୨୫ଶହ କିମି ଦୂର କେରଳକୁ ଦାଦନ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ବସ୍ ଚାଲୁଛି । ଏଠାରେ ପରିବାର ସଂଖ୍ୟା ଠାରୁ ଦାଦନଙ୍କ ସଂଖ୍ୟା ଢେର ଅଧିକ । ପ୍ରାୟ ଅଧିକାଂଶ ପରିବାରର ଯୁବତୀଯୁବକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ବିଶେଷକରି କେରଳ, ହାଇଦ୍ରାବାଦ, ବାଙ୍ଗାଲୋର ଦିଲ୍ଲୀ ଗୁଜରାଟ ଯାଉଛନ୍ତି । ଓଡିଶାରେ କାମ ମିଳୁନି । ଯଦି କାମ ମିଳୁଛି, ସେ ତୁଳନାରେ ପାରିଶ୍ରମିକ ମିଳୁ ନଥିବାରୁ ନିଜ ପରିବାରର ଆର୍ଥିକ ଅନାଟନକୁ ଦୂରକରିବା ପାଇଁ ଏହି ଯୁବତୀଯୁବକ ମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା କହିଛନ୍ତି ।
ବୁଦ୍ଧିଜିବୀ କ୍ଷୀରୋଦ ମଲିକ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରୁ ଶହ ଶହ ଦାଦନ ବାହାର ରାଜ୍ୟକୁ ଟ୍ରେନ, ବସରେ ଯାଇଥିବା ବେଳେ ଏବେ ଗାଁ ଗାଁରେ ଦଲାଲ ସକ୍ରୀୟ ହୋଇଛନ୍ତି । ନିଜ ଅଂଚଳରେ କାମ ଧନ୍ଦା ନଥିବା ଯୋଗୁଁ ଦଲାଲ ଲୋକଙ୍କୁ ପ୍ରଲୋଭନ ଦେଖାଇ ଆକୃଷ୍ଟ କରି ବିଦେଶ ନେଇଯାଉଛନ୍ତି । ବିରୋଧୀ ଏହାକୁ ନାପସନ୍ଦ କରିବା ସହ ରାଜ୍ୟ ସରକାର ବିକାଶ ସ୍ଲୋଗାନକୁ ସମାଲୋଚନା କରୁଛନ୍ତି । ହେଲେ ଦାଦନ ଚାଲାଣ ଏକ ପ୍ରମୁଖ ସମସ୍ୟା ହୋଇଥିଲେ ସୁଦ୍ଧା ତାହା ରୋକିବା ଦିଗରେ ସରକାରୀସ୍ତରରେ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଉନାହିଁ । ସେଥିପାଇଁ ଏହି ସମସ୍ୟା ଜିଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବୋଲି ସେ କହିଥିଲେ ।
ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ମାଝି କହିଛନ୍ତି, ଅଧିକ ପ୍ରଲୋଭନରେ ପଡ଼ି ଶ୍ରମିକମାନେ ବାହାରକୁ ଯାଉଛନ୍ତି । ଏପରିକି ଗଲାବେଳେ ମଧ୍ୟ କୌଣସି ସୂଚନା ଦେଉ ନାହାନ୍ତି ।


Discover more from

Subscribe now to keep reading and get access to the full archive.

Continue reading