କେନ୍ଦ୍ରାପଡା ୧୨ା୬ – କେନ୍ଦ୍ରାପଡ଼ାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦ ତରଫରୁ ଶ୍ୟାମସୁନ୍ଦରପୁର୍ ସ୍ଥିତ ଚଣ୍ଡିଆ ପାଲେସ୍ ପରିସରରେ କବି ଲେଖକ ଓ କଳାକାର ସମ୍ମିଳନୀରେ ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ନାଟ୍ୟ ପୁସ୍ତକ ଶେଷ ଠିକଣା ଲୋକାର୍ପଣ ହୋଇ ଯାଇଛି । ପ୍ରଥମ ଅଧିବେଶନରେ ହୋଇଥିବା କବିତା ପାଠୋତ୍ସବରେ ବିଶିଷ୍ଟ ସ୍ତମ୍ବକାର ଡ. ସର୍ବେଶ୍ୱର ସେଣଙ୍କ ଅଧ୍ୟକ୍ଷତା କରିଥିଲେ । ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଭରତ ଚରଣ ସାହୁ, ପ୍ରକୃତି କବି ପ୍ରେମାନନ୍ଦ ଖଣ୍ଡୁଆଳ, ଯୋଗ ଦେଇଥିବା ବେଳେ କବୟତ୍ରୀ କବିତା ମୁଦୁଲି, ବନାନୀର ସମ୍ପାଦିକା ବିକକ୍ଷଶୀ ପ୍ରିୟଦର୍ଶିନୀ ରାଉତ କବିତା ଗୁଡ଼ିକର ସଂଯୋଜନା କରିଥିଲେ । ଦ୍ୱିତୀୟ ଅଧିବେଶନରେ କାର୍ଯ୍ୟକାରି ସଭାପତି ଟିଟିକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଧ୍ୟାପକ ନନ୍ଦ କିଶୋର ପରିଡା, ମୁଖ୍ୟବକ୍ତାଭାବେ ବିଶିଷ୍ଟ ନାଟ୍ୟକାର ଶିକ୍ଷାବିତ୍ ପ୍ରାଧ୍ୟାପକ ମୋହନ ଚରଣ ଜେନା, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପୂର୍ବତନ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ବିଶିଷ୍ଟ ନାଟ୍ୟକାର ହର ପ୍ରିୟା ଓଝା ଯୋଗ ଦେଇ ଉଚ୍ଚସ୍ତରୀୟ ହୃଦୟସ୍ପର୍ଶୀ ନାଟକ ଲେଖିବାକୁ ପରାମର୍ଶ ଦେଇଥିଲେ । ଆମ ଗାଁ ସାହିତ୍ୟ ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ନାଟ୍ୟ ପୁସ୍ତକ ଶେଷ ଠିକଣା ଲୋକାର୍ପଣ କରାଯାଇଥିଲା । ଉପଦେଷ୍ଟା ସୁରେନ୍ଦ୍ର କୁମାର ବେହେରା, ଏହାକୁ ସମୀକ୍ଷା କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଇଶ୍ୱର ଚନ୍ଦ୍ର ପୃଷ୍ଟି ପାରମ୍ଭିକ ସୂଚନା, ସହସମ୍ପାଦକ ଅଶୋକ କୁମାର ସାହୁ ଅତିଥି ପରିଚୟ, ସମ୍ପାଦକ ସ୍ୱପ୍ନାଂଶୁ କୁମାର ଦାସ ସ୍ୱାଗତ୍ ଭାଷଣ ଦେଇଥିଲେ । ଏସ୍ ସୁଚରିତା ନୃତ୍ୟାଭିନୟ ପରିବେଷଣ କରିଥିଲେ । ଜିଲ୍ଲା ଓ ଜିଲ୍ଲା ବାହାରୁ ମଞ୍ଚ ଅଭିନୟ କରିଥିବା ସତୁରି ଜଣ କଳାକାରଙ୍କୁ ଉପଢୌକନ, ଉତ୍ତରୀୟ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ମିଳନୀରେ ପ୍ରାୟ ଦୁଇଶହ କଳାକାର କବି, ଲେଖକ ଯୋଗ ଦେଇଥିଲେ । ସର୍ବ ଶେଷରେ ଶରତ କୁମାର ରାଉତ ଧନ୍ୟବାଦ୍ ପ୍ରଦାନ କରିଥିଲେ ।