କେନ୍ଦ୍ରାପଡ଼ା,୨୧ା୬:କେନ୍ଦ୍ରାପଡ଼ା କପାଳେଶ୍ୱର ଗ୍ରାମର କ୍ଷେତ୍ରବାସୀ ଜେନା ଇଣ୍ଡସଇଣ୍ଡ ବ୍ୟାଙ୍କ ଠାରୁ ଋଣ ଆକାରରେ ଏକ ଟ୍ରକ କିଣିଥିଲେ । ଇଣ୍ଡସଇଣ୍ଡ ବ୍ୟାଙ୍କ ଋଣ ପୈଠ ବାବଦରେ ମାନସିକ ନିର୍ଯାତନା ଦେବା ଓ ଋଣ ନ ଥାଇ ଟ୍ରକକୁ ଟାଣିନେବା ଉଦ୍ୟମ କରାଯାଇଥିଲା । ଏହି ମାମଲାର ବିଚାର କରି କେନ୍ଦ୍ରାପଡ଼ା ଖାଉଟି ଅଦାଲତ ଇଣ୍ଡସଇଣ୍ଡ ବ୍ୟାଙ୍କକୁ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏକ ଲକ୍ଷ ଟଙ୍କା ମାନସିକ ନିର୍ଯାତନା ପାଇଁ ଓ ୧୦ ହଜାର ଟଙ୍କା ଅଦାଲତରେ ମାଲିମକଦ୍ଦମା ଖର୍ଚ୍ଚ ପାଇଁ ପ୍ରଦାନ କରିବାକୁ ଅଦାଲତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁର ଗ୍ରାମର କ୍ଷେତ୍ରବାସୀ ଜେନା ୨୦୧୯ ଜୁଲାଇ ୧ ତାରିଖରେ ଇଣ୍ଡସଇଣ୍ଡ ଫାଇନାନ୍ସ ପାରାଦ୍ୱୀପ ଶାଖାରୁ ଋଣ କରି ଏକ ୧୪ ଚକିଆ ଟ୍ରକ କିଣିଥିଲେ । ଋଣ ଟଙ୍କା ଓ ସୁଧ ବାବଦ ୫୮ଟି କିସ୍ତି ଦେବାକୁ ବ୍ୟାଙ୍କ ନିର୍ଦ୍ଧାରଣ କରିଥିଲା । ୫୫ଟି କିସ୍ତି ୭୩ ହଜାର ୬୦ ଟଙ୍କା ଲେଖାଏଁ ଓ ବାକି ତିନୋଟି କିସ୍ତିରେ ମାତ୍ର ଏକ ଟଙ୍କା ଲେଖାଏଁ ୩ ଟଙ୍କା ନିର୍ଦ୍ଧାରିତ ହୋଇଥିଲା । ସେହି ଅନୁଯାୟୀ କ୍ଷେତ୍ରବାସୀ ଋଣ ଟଙ୍କା ବ୍ୟାଙ୍କରେ ପୈଠ କରି ଚାଲିଲେ । ସେ ୨୦୨୩ ମସିହା ଡିସେମ୍ବର ମାସ ସୁଦ୍ଧା ୫୩ ଟି କିସ୍ତି ପୈଠ କରିବା ପରେ ତାଙ୍କର ଦୁଇଟି କିସ୍ତି ୭୩ ହଜାର ଲେଖାଏଁ ଓ ତିନୋଟି କିସ୍ତି ମାତ୍ର ଟଙ୍କାଏ ଲେଖାଏଁ ପ୍ରଦାନ କରିବାକୁ ବାକିଥିଲା । ସମସ୍ତ କିସ୍ତି ପରିଶୋଧ କରିବା ପାଇଁ ସେ ବ୍ୟାଙ୍କକୁ ଯାଇଥିଲେ । ସମସ୍ତ ଋଣ ଏକା ସଙ୍ଗରେ ପୈଠ କରି ଏନ୍ଓସି ଆଣିବାକୁ ବ୍ୟାଙ୍କକୁ ଅନୁରୋଧ କରିଥିଲେ । କିନ୍ତୁ ତାଙ୍କୁ ଆଉ ୧୨ଟି କିସ୍ତି ଦେବାକୁ ପଡିବ ବୋଲି କୁହାଯାଇଥିଲା । ୯ଟି କିସ୍ତି ୭୩ ହଜାର ୬୦ ଟଙ୍କା ଲେଖାଏଁ ଓ ତିନୋଟି ଟଙ୍କିକିଆ କିସ୍ତ ଦେବାକୁ ପଡିବ ବୋଲି ବ୍ୟାଙ୍କ ପକ୍ଷରୁ କ୍ଷେତ୍ରବାସୀଙ୍କୁ କୂୁହାଯାଇଥିଲା । ଏହା ଶୁଣି ଶ୍ରୀ ଜେନା ପ୍ରତିବାଦ କରିବାରୁୁ ତାଙ୍କୁ ବ୍ୟାଙ୍କ କର୍ମଚାରୀ ଦୁର୍ବ୍ୟବହାର କରିଥିଲେ । ବ୍ୟାଙ୍କରୁ ନିରାଶ ହେବା ପରେ କ୍ଷେତ୍ରବାସୀ କେନ୍ଦ୍ରାପଡ଼ା ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ । ଖାଉଟି ଅଦାଲତରେ ସଂପୃକ୍ତ ବ୍ୟାଙ୍କ ବିରୋଧରେ କ୍ଷେତ୍ରବାସୀ ଏକ ମାମଲା ଦାୟର କରିଥିଲେ । ଏହାର କିଛି ଦିନ ପରେ ତାଙ୍କ ଗାଡି ଟାଣି ନେବା ପାଇଁ ବ୍ୟାଙ୍କ ଯୋଜନା କରିଥିଲା । ଫାଇନାନ୍ସ କମ୍ପାନୀର କର୍ମଚାରୀ ଗରାପୁରରେ କ୍ଷେତ୍ରବାସୀଙ୍କ ଘର ନିକଟରୁ ଗାଡି ଟାଣି ନେବା ପାଇଁ ଉଦ୍ୟମ କରିଥିଲେ । ହେଲେ କ୍ଷେତ୍ରବାସୀ ଏ ନେଇ କେନ୍ଦ୍ରାପଡ଼ା ଖାଉଟି ଅଦାଲତରେ ମାମଲା ଚାଲିଥିବା କାଗଜାତ ଦର୍ଶାଇବାରୁ କର୍ମଚାରୀମାନେ ପଳାଇଥିଲେ । ଏହାଦ୍ୱାରା କ୍ଷେତ୍ରବାସୀ ମାନସିକ ଭାବେ ନିର୍ଯାତିତ ହୋଇଥିଲେ । ଏହି ମାମଲାର ବିଚାର କରି ଅଦାଲତ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି । କ୍ଷେତ୍ରବାସୀଙ୍କ ପକ୍ଷରୁ ଆଇନ୍ଜୀବୀ ମନୋଜ ଶତପଥି ମାମଲା ପରିଚାଳନା କରୁଥିଲେ ।