କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତ୍ତୋକୋତ୍ତର ଛାତ୍ରଛାତ୍ରୀ ଭେଟିଲେ ଜିଲ୍ଲାପାଳଙ୍କୁ , ଶିକ୍ଷାଦାନ ଓ ପରିଚାଳନାରେ ଗୁରୁତ୍ତର ତୃଟି ଅଭିଯୋଗ


କେନ୍ଦ୍ରାପଡ଼ା, ୨୪ା୬: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରେ ବିଭିନ୍ନ ବିଷୟରେ ସ୍ନାତ୍ତୋକୋତ୍ତର(ପିଜି) ଶିକ୍ଷା ପାଇଁ କ୍ଲାସ ଖୋଲିଥିଲେ ମଧ୍ୟ ପାଠ୍ୟକ୍ରମ ଚୟନ, ଶିକ୍ଷାଦାନ ଓ ପରିଚାଳନାରେ ଗୁରୁତ୍ତର ବାଧା ସୃଷ୍ଟି ହୋଇଥିବା ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏହିସବୁ ସମସ୍ୟା ଗୁଡିକୁ ନେଇ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି । ଏନେଇ ଆଜି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତ୍ତୋକୋତ୍ତର(ପିଜି) ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ଏସବୁ ସମସ୍ୟାର ତୁରନ୍ତ ସମାଧାନ କରାଯିବାକୁ ଦାବି କରିଛନ୍ତି । ଗତ ୨୦୧୭ମସିହାରୁ କେନ୍ଦ୍ରାପଡା ମହାବିଦ୍ୟାଳୟରେ ସମାଜଶାସ୍ତ୍ରରେ ସ୍ନାତ୍ତୋକୋତ୍ତର(ପିଜି) ଶ୍ରେଣୀ ଖୋଲିଥିବା ବେଳେ ୨୦୨୨ମସିହାରେ ଅନ୍ୟ ୧୪ଟି ବିଷୟରେ ସ୍ନାତ୍ତୋକୋତ୍ତର(ପିଜି) ଶ୍ରେଣୀ ଖୋଲିଛି । ତେବେ ମହାବିଦ୍ୟାଳୟର ବିଭିନ୍ନ ସ୍ନାତ୍ତୋକୋତ୍ତର ଶ୍ରେଣୀ ଗୁଡିକରେ ତିନିଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମହାବିଦ୍ୟାଳୟର ପରିଚାଳନାଗତ ତୃଟି, ଶିକ୍ଷାଦାନରେ ତୃଟି ଓ ଅନ୍ୟାନ୍ୟ କାରଣ ନିମନ୍ତେ ସେମାନଙ୍କ ଭବିଷ୍ୟତ ଅନ୍ଧାର ହୋଇପଡିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏହି ସ୍ନାତ୍ତୋକୋତ୍ତର(ପିଜି) ଶ୍ରେଣୀରେ ଅଧ୍ୟୟନ ନିମନ୍ତେ ପ୍ରତ୍ୟେକ ଛାତ୍ର ୫୦ହଜାର ଟଙ୍କା ଫିସ କଲେଜକୁ ଦେଉଥିବା ବେଳେ ପ୍ରାୟ ୩ବର୍ଷ ହେବ ସଠିକ ଭାବରେ ପାଠପଢା ନହେବା, ଆଡମିଟ୍‌କାର୍ଡ ଠିକ ସମୟରେ ନମିଳିବା ଓ ପ୍ରମାଣପତ୍ର ଭବିଷ୍ୟତରେ ନମିଳିବାର ଆଶଙ୍କା ସୃଷ୍ଟି ହୋଇଥିବାରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡିଛନ୍ତି । ୧୪ଟି ବିଭାଗରେ ସ୍ନାତ୍ତୋକୋତ୍ତର(ପିଜି) ଶିକ୍ଷାଦାନ ପାଇଁ ମହାବିଦ୍ୟାଲୟକୁ ସଂପୂର୍ଣ୍ଣ ଅନୁମୋଦନ ମିଳିନଥିବା ବେଳେ ନିୟମିତ କ୍ଲାସ ନହେବା ଓ ପିଜି ଛାତ୍ରଛାତ୍ରୀଙ୍କ ଦ୍ୱାରା +୩ ଶ୍ରେଣୀର ଖାତା ଦେଖାଯିବା ଘଟଣାକୁ ନେଇ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି । ବିରୂପା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଭଳି ଏକ ବୃହତ ମହାବିଦ୍ୟାଳୟର ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିବାରୁ ସେ କେନ୍ଦ୍ରାପଡା ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମେତ ଛାତ୍ରଛାତ୍ରୀମାନଙ୍କ ସମସ୍ୟା ବୁଝିବାକୁ ସମୟ ଦେଉନଥିବା ଜିଲ୍ଲାପାଳଙ୍କ ନିକଟରେ ଈଶ୍ୱର ଦାସ, ବିକାଶ ମହାରଣା, ପ୍ରଜ୍ଞାପରମିତା ବଳ, ଶୁଭଶ୍ରୀ ଦାସ, ସୈାଭାଗ୍ୟ ଦାସ ଓ ଦେଶଦିପ ଦାସ ପ୍ରମୁଖ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଏସବୁ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ସେମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅଭିଜିତ ବୋଷଙ୍କୁ ଏସମ୍ପର୍କରେ ପଚରାଯିବାରେ ସେ କହିଥିଲେ ଯେ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।