ପଟ୍ଟାମୁଣ୍ଡାଇ ବ୍ଲକରେ ଦୁଇ ବିଧାୟକ ସମୀକ୍ଷା ବୈଠକ ପାନୀୟଜଳ ସୁଧାର ଓ ଜନକଲ୍ୟାଣ ପ୍ରକଳ୍ପ ତ୍ୱରାନ୍ୱିତ ପାଇଁ ତାଗିଦ



କେନ୍ଦ୍ରାପଡ଼ା  ଓ ରାଜନଗର ବିଧାନସଭା ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ଲକର ୩୧ (କେନ୍ଦ୍ରାପଡ଼ା -୧୨ ଓ ରାଜନଗର-୧୯) ପଂଚାୟତରେ ପାନୀୟଜଳ ସମସ୍ୟା ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ବ୍ଲକ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀ ଓ ପଂଚାୟତ ପ୍ରତିନିଧିଙ୍କୁ ନେଇ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବିଡ଼ିଓ ଶୁଭ୍ରାଂଶୁ ସାହୁ ଯୋଗ ଦେଇ ବ୍ଲକର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ପାନୀୟ ସମସ୍ୟା ଦୂର ପାଇଁ ନିର୍ମାଣଧୀନ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପାଇଁ ପ୍ରାୟ ଦେଢ଼ ବର୍ଷ ସମୟ ଲାଗିବା ଆଶଙ୍କା କରାଯାଉଥିବାରୁ ପ୍ରକଳ୍ପ ଶେଷ ପର୍ଯ୍ୟନ୍ତ ବିଭିନ୍ନ ପଂଚାୟତର ପାନୀୟଜଳ ସମସ୍ୟା ଦୂର ପାଇଁ ପଂଚାୟତ ଓ ବ୍ଲକ ପାଣ୍ଠିରୁ ଅତିରିକ୍ତ ନଳକୂପ ଖନନ ପାଇଁ ନିଷ୍ପତି ନିଆଯାଇ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ବିଧାୟକ ବେହେରା ଓ ବିଧାୟକ ସାହୁ ନିର୍ଦେଶ ଦେଇଥିଲେ । ତେବେ ସମୀକ୍ଷା ବେଳେ ପଟ୍ଟାମୁଣ୍ଡାଇ ବ୍ଲକର ୧୮୦୪ ନଳକୂପ ମଧ୍ୟରୁ ୧୯ ନଳକୂପ ଅଚଳ ଥିବା ଜଣାପଡିବାରୁ ଏ ଦିଗରେ ପଦକ୍ଷେପ ନେବାକୁ ବିଧାୟକ ଦ୍ୱୟ ପରାମର୍ଶ ଦେଇଥିଲେ । ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଥିଲେ । ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପଟ୍ଟାମୁଣ୍ଡାଇ ବ୍ଲକରେ କାର୍ଯ୍ୟକାରୀ ହୋଇଥିବା ୩୭୬ ପ୍ରକଳ୍ପ ମଧ୍ୟରୁ ୧୧୧ ସଂପୂର୍ଣ୍ଣ ହୋଇଥିବାବେଳେ ୨୬୫ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ବୋଲି ସୂଚନା ମିଳିବା ପରେ ବିଧାୟକ ଦ୍ୱୟ ତୁରନ୍ତ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରେ ସଂପୂର୍ଣ୍ଣ ଓ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ ସ୍ଥିତି ସମୀକ୍ଷା କରି ତୁରନ୍ତ ସଂପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଥିଲେ । ବିଗତ ବର୍ଷର କେନ୍ଦ୍ରାପଡ଼ା ବିଧାୟକ ପାଣ୍ଠି ପ୍ରାୟତଃ ବିନିଯୋଗ ହୋଇ ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବାବେଳେ ରାଜନଗର ବିଧାୟକ ପାଣ୍ଠିରେ ମଧ୍ୟ ଅଧିକାଂଶ ପ୍ରକଳ୍ପ ନିର୍ମାଣ ସଂପୂର୍ଣ୍ଣ ହୋଇଥିବାବେଳେ ବିନିଯୋଗ ହୋଇନଥିବା ପାଣ୍ଠିକୁ ତୁରନ୍ତ ବିନିଯୋଗ କରି ବିଭିନ୍ନ ପ୍ରକଳ୍ପ ନିର୍ମାଣ ସଂପୂର୍ଣ୍ଣ କରିବାକୁ ରାଜନଗର ବିଧାୟକ ସାହୁ ପରାମର୍ଶ ଦେଇଥିଲେ । କ୍ରିଟିକାଲ ଗ୍ୟାପ ଅନୁଦାନ ରାଶି ବିନିଯୋଗ କରି ନିର୍ମାଣାଧୀନ ପ୍ରକଳ୍ପ ଶେଷ କରିବାକୁ ନିର୍ଦେଶ ଦେବା ସହିତ ୫ଟି ରୂପାନ୍ତକରଣ କାର୍ଯ୍ୟକ୍ରମରେ ନିର୍ମାଣାଧୀନ ବିଭିନ୍ନ ସ୍କୁଲ ଓ କଲେଜ ରୂପାନ୍ତକରଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ଓ ପ୍ରିୟଦର୍ଶନୀ ତରାଇ, ବ୍ଲକ ସହନିର୍ବାହୀଯନ୍ତ୍ରୀ ଜଳଧର ବେହେରା ଓ ରୋଜାଲିନ ମହାଳିକ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହନିର୍ବାହୀ ଯନ୍ତ୍ରୀ ଇଂ ରଞ୍ଜନ ଲେଙ୍କା, ସହସହକାରୀ ଯନ୍ତ୍ରୀ ଇଂ ବିଶ୍ୱଜିତ ମିଶ୍ର, ବ୍ଲକ ସହସହକାରୀ ଯନ୍ତ୍ରୀ ଇଂ ଶ୍ରବଣ ବିଶ୍ୱାଳ, ଇଂ କାର୍ଟୁଶେଷ ବ୍ରହ୍ମା, ଇଂ ରାଉତ, ଇଂ ସ୍ନିଗ୍ଧା ସାହୁ,ଇଂ ସଂଘମିତ୍ରା ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସରପଂଚ ଓ ସମିତିସଭ୍ୟ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୂର୍ବତନ ପଂଚାୟତ ପ୍ରତିନିଧି ଯୋଗ ଦେଇ ବିଭିନ୍ନ ପଂଚାୟତର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ତୁରନ୍ତ ସମାଧାନ ପାଇଁ ଅନୁରୋଧ କରିଥିଲେ ।


Next Post

ଗ୍ରୀଷ୍ମକାଳୀନ ବ୍ୟାଡ୍‌ମିଣ୍ଟନ ଶିବିର ଉଦ୍‌ଯାପିତ

Tue Jun 25 , 2024
କେନ୍ଦ୍ରାପଡା,୨୫/୬: କେନ୍ଦ୍ରାପଡାସ୍ଥିତ ଶ୍ୟାମଗୁଡିଆ ନିକଟସ୍ଥ ବିଜୁ ପଟ୍ଟନାୟକ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମ ମଧ୍ୟରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଡ୍‌ମିଣ୍ଟନ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ(ପ୍ରଶିକ୍ଷାର୍ଥୀ)ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରେ […]

You May Like