ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ଦଣ୍ଡାଦେଶ


କେନ୍ଦ୍ରାପଡା, ୨୮ା୬: କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକ ନାବାଳିକାକୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ସଂପୃକ୍ତ ଅଭିଯୁକ୍ତକୁ କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ କୋର୍ଟର ଅତିରିକ୍ତ ଜିଲ୍ଲାଜଜ୍ ତ୍ରିବିକ୍ରମ କେଶରୀ ଚିନ୍ନାରା ୨୦ବର୍ଷ ଜେଲଦଣ୍ଡାଦେଶ ସହିତ ୫୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦ ମସିହା ସେପ୍ଟେମ୍ବର ମାସ ୧୫ତାରିଖ ସନ୍ଧ୍ୟା ୫ଟା ସମୟରେ ନାବାଳିକା ଜଣକ ତାଙ୍କ ଘରପାଖ ନଳକୂପରୁ ପାଣି ଆଣିବା ପାଇଁ ଯାଇଥିଲା । ସେଠାରେ ନାବାଳିକାକୁ ଏକୁଟିଆ ପାଇ ଆସାମୀ ସିକା ଓରଫ ଚନ୍ଦନ ମଳିକ(୨୫) ନିକଟରେ ଥିବା ତା’ର ଘର ଭିତରକୁ ଟେକିନେଇ ଅସଦାଚରଣ କରିଥିଲା । ଘଟଣା ସମ୍ପର୍କରେ କାହାକୁ କିଛି କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ନାବାଳିକା ଜଣକ ଘରକୁ ଆସିବାର କିଛି ସମୟ ପରେ ବାନ୍ତି କରିବାରୁ ଘଟଣା ସମ୍ପର୍କରେ ନାବାଳିକା ତାଙ୍କ ବୁଢିମାଆଙ୍କୁ କହିଥିଲା । ପରଦିନ ଏସମ୍ପର୍କରେ ଆଳି ଥାନାରେ ତାଙ୍କ ମାଆ ଓ ସମ୍ପର୍କୀୟଙ୍କ ସହିତ ଯାଇ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଆସାମୀକୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ଫାଷ୍ଟଟ୍ରାକ୍ ଆଡହକ କୋର୍ଟର ଅତିରିକ୍ତ ଜିଲ୍ଲାଜଜ୍ ଶ୍ରୀ ଚିନ୍ନାରା ଏହି ମାମଲାର ବିଚାର କରି ୧୬ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଚନ୍ଦନ ମଳିକଙ୍କୁ ୨୦ବର୍ଷ ଜେଲଦଣ୍ଡାଦେଶ ସହ ୫୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦାୟ ଆଉ ଅଧିକ ଏକବର୍ଷ କାରାଦଣ୍ଡାଦେଶ ସହିତ ଦୁଇଜହାର ଟଙ୍କା ଜରିମାନା ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି । ଏଥିସହିତ ଫାଷ୍ଟଟ୍ରାକ୍ ଆଡହକ କୋର୍ଟର ଅତିରିକ୍ତ ଜିଲ୍ଲାଜଜ୍ ଶ୍ରୀ ଚିନ୍ନାରା ନାବାଳିକାକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ ମନୋଜ କୁମାର ସାହୁ କୋର୍ଟରେ ମାମଲାର ପରିଚାଳନା କରୁଥିଲେ ।


Next Post

ନୟାକୋଟ ପ୍ରାଥମିକବିଦ୍ୟାଳୟରେ ବିଦାୟକାଳୀନ ସଭା

Fri Jun 28 , 2024
ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ସରକାରୀ ଉଚ୍ଚବିଦ୍ୟାଳୟ ଓ ସିଦ୍ଧ ପରମହଂସ ନୋଡାଲ ଉପ୍ରା ବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ନୟାକୋଟ ପ୍ରାଥମିକ ବିଦ୍ୟାଳୟ ଠାରେ ଅବସର ଗ୍ରହଣ କରିଥିବା ଶିକ୍ଷକ କଳାକର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ […]

You May Like