ଭୁବନେଶ୍ୱର, ୧/୭-ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଜୀବନ ଚାଲିଯାଉଛି । ଏଥିରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ବଜ୍ରପାତ ରୋକିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର । ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ବନ ବିଭାଗର ଅନୁମତି ନ ନେଇ ଲୋକେ ତାଳଗଛ କାଟିପାରିବେନି ।
ଗ୍ରାମାଞ୍ଚଳରେ ବହୁ ପରିମାଣରେ ତାଳଗଛ ଲଗାଇବାକୁ ୨୦୨୩ ସେପ୍ଟମ୍ବର ମାସରେ ନିଷ୍ପତ୍ତି ହୋଇଥିଲା । ଏବର୍ଷ ତାହାକୁ କାର୍ଯ୍ୟକାରୀ କରିବାକୁ ବନ ବିଭାଗ ଅଣ୍ଟା ଭିଡ଼ିଛି । ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୦୨୪-୨୫ ଆର୍ଥୀକ ବର୍ଷରେ ରାଜ୍ୟରେ ୧୯ ଲକ୍ଷ ତାଳଗଛ ଲଗାଯିବ । ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୦୨୪-୨୫ ଆର୍ଥୀକ ବର୍ଷରେ ରାଜ୍ୟରେ ୧୯ ଲକ୍ଷ ତାଳଗଛ ଲଗାଯିବ । ଭୁବନେଶ୍ୱର, କଟକ, କେନ୍ଦ୍ରାପଡା, ବାଲେଶ୍ୱର,ଭଦ୍ରକ ପରି ସହର ସମେତ ଉପକୂଳ ଓଡ଼ିଶାରେ ବ୍ୟାପକ ତାଳଗଛ ରୋପଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ପୂର୍ବରୁ ରାଜ୍ୟର ଗ୍ରାମାଞ୍ଚଳରେ ବହୁ ପରିମାଣର ତାଳଗଛ ଥିଲା । ଏହା ବଜ୍ରପାତଜନିତ ମୃତ୍ୟୁକୁ ରୋକିବାରେ ସହାୟକ ହେଉଥିଲା । ସହରୀକରଣ ଯୋଗୁ ସମୟ କ୍ରମେ ତାଳଗଛ ଲୋପ ପାଇଯିବାରୁ ବଜ୍ରପାତ ସିଧା ଭୂମିରେ ପଡୁଛି । ଯଦ୍ଦ୍ୱାରା ବିଲବାଡ଼ିରେ କାମ କରୁଥିବା କୃଷକ ଓ ଶ୍ରମିକମାନେ ଏହାର ଶିକାର ହେଉଛନ୍ତି । ବିଶେଷ କରି ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ବଜ୍ରପାତ ଯୋଗୁ ଅନେକ ଲୋକ ମୃତାହତ ହେଉଛନ୍ତି । ବଜ୍ରପାତ ମୁଖ୍ୟତଃ ଡେଙ୍ଗା ଗଛ ଯଥା ତାଳ ଓ ନଡିଆ ଗଛ ଉପରେ ହୋଇଥାଏ । ପୂର୍ବରୁ ତାଳଗଛ ଯେ କେବଳ ବଜ୍ରପାତରୁ ରକ୍ଷା କରୁ ନ ଥିଲା ବରଂ ଏହାର ଫଳକୁ ଖାଦ୍ୟ ଓ ପାନୀୟ ଆକାରରେ ବ୍ୟବହାର କରାଯାଉଥିଲା । ତାଳଗଛର ବାହୁଙ୍ଗାକୁ ଛପର ଓ ଟୋକେଇ ତିଆରିରେ ବ୍ୟବହୃତ କରାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ସୂଚନାଯୋଗ୍ୟ, ୨୦୧୮ରେ ସମସ୍ତ ରାଜ୍ୟ ଓ ଜାତୀୟ ରାଜପଥ, ଗ୍ରାମାଞ୍ଚଳ, ସଂରକ୍ଷିତ ଜଙ୍ଗଲ ଓ କ୍ଷେତରେ ତାଳଗଛ ଲଗାଇବାକୁ ଜଙ୍ଗଲ ବିଭାଗ ରାଜ୍ୟର ସମସ୍ତ ବନଖଣ୍ଡକୁ ଜଣାଇଥିଲା । ହେଲେ ତାହା ଫଳପ୍ରଦ ହୋଇପାରି ନାହିଁ । ତାଳଗଛ ବଜ୍ରପାତଜନିତ ମୃତ୍ୟୁକୁ ରୋକିବାରେ ଅନେକାଂଶରେ ସହାୟକ ହେବ ବୋଲି ପରିବେଶବିତ୍ ମତ ଦେଉଛନ୍ତି ।