ଓଡ଼ିଆ ଅସ୍ମିତା ପ୍ରବଂଚନା, ଦରଦାମ ବୃଦ୍ଧି ଓ ଦୁର୍ନୀତି ବିରୋଧରେ କଂଗ୍ରେସର ଆନ୍ଦୋଳନ ଧମକ



କେନ୍ଦ୍ରାପଡା,ପଟ୍ଟାମୁଣ୍ଡାଇ ୨/୬ -ଓଡ଼ିଆ ଅସ୍ମିତାର ସୁରକ୍ଷା ନାରା ଦେଇ ଓଡିଶାରେ କ୍ଷମତା ହାସଲ କରିଥିବା ଭାରତୀୟ ଜନତା ପାର୍ଟି ଓଡ଼ିଆ ଅସ୍ମିତାକୁ ପ୍ରବଂଚନାରେ ପରିଣତ କରିବା ସହିତ ଆକାଶ ଛୁଆଁ ଦରଦାମ ବୃଦ୍ଧି ଓ ବ୍ୟାପକ ଦୁର୍ନୀତି ରୋକିବାରେ ବିଫଳତା ପ୍ରତିବାଦରେ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆଜି ସ୍ଥାନୀୟ ମଙ୍ଗଳା ମଣ୍ଡପ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଭୁ ପ୍ରସାଦ ଜେନା, କଂଗ୍ରେସ ନେତା  ଧନେଶ୍ୱର ଦାସ, ରବି ନାରାୟଣ ମିଶ୍ର, ସୁନାମଣି ଦାଶ ଓ ଅଶ୍ୱିନୀ ପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଖବରଦାତା ମାନଙ୍କୁ ସବିଶେଷ ସୂଚନା ଦେଇ କଂଗ୍ରେସ ନେତାମାନେ କହିଛନ୍ତି ଯେ ଯେଉଁ ଭାରତୀୟ ଜନତା ପାର୍ଟି ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନ ଲଢୁଥିଲା ଆଜି ସେହି ଦଳର ସରକାର ମନୋଜ ଆହୁଜା ନାମକ ଜଣେ ଅଣ ଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତି ଦେଇ ଓଡ଼ିଶାବାସୀଙ୍କ ସହିତ ବିଶ୍ୱାସଘାତକତା କରିଛି । ମୁଖ୍ୟ ଶାସନ ସଚିବଙ୍କ ଦକ୍ଷତା ନେଇ କଂଗ୍ରେସ ପ୍ରଶ୍ନ ନକରି ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିଛି । ଓଡ଼ିଶାରେ ଅନେକ ଦକ୍ଷ ଆଇ ଏ ଏସ ଅଫିସର ଥାଇ ବି ଜଣେ ଅଣ ଓଡ଼ିଆ ଅଫିସରଙ୍କୁ ନିଯୁକ୍ତି ଦେବା ପ୍ରାୟ ସାଢେ ଚାରି କୋଟି ଓଡ଼ିଆଙ୍କ ସ୍ୱାଭିମାନକୁ କ୍ଷୁର୍ଣ୍ଣ କରିଛି । ୫ଟିକୁ ପାଂଚ ତାମିଲ ଓ ଓଡ଼ିଶାରେ ତାମିଲ ଶାସନ ଚାଲୁଛି ବୋଲି ଅଭିଯୋଗ କରିଥିବା ଭାଜପା ଦଳ ଆଉଜଣେ ଅଣଓଡ଼ିଆ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାରୁ ରାଜ୍ୟସଭାକୁ ପଠାଇ କେନ୍ଦ୍ରରେ ରେଳ ବିଭାଗର ମନ୍ତ୍ରୀତ୍ୱ ପ୍ରଦାନ କରିଥିଲେ ମଧ୍ୟ ବାସ୍ତବରେ ତାଙ୍କର ଓଡ଼ିଶା ପାଇଁ କୌଣସି ଅବଦାନ ନାହିଁ । ବରଂ ବାରମ୍ବାର ରେଳ ଦୁର୍ଘଟଣା ଯୋଗୁଁ ଧନଜୀବନ ନଷ୍ଟ ହେଉଥିଲେ ବି ସାଂସଦବୈଷ୍ଣବ ନିଜ ପଦରୁ ଇସ୍ତଫା ନଦେବା ଦୁର୍ଭାଗ୍ୟ ଜନକ ଘଟଣା । ନିର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ଗଠନ କରିବା ପରେ ବର୍ତମାନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ି ବଢ଼ି ଚାଲିଛି।। ଡାଲି, ଆଳୁ ଓ ପନିପରିବାର ଦର ବୃଦ୍ଧି ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକିଲେଣି ।୨୦୧୪ମସିହା ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୦ବର୍ଷ ମଧ୍ୟରେ ଭାଜପା ସରକାର ସମୟରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ପର୍ଯ୍ୟନ୍ତ ଏପରିକି ଔଷଧର ମୂଲ୍ୟ ଆକାଶ ଛୁଆଁ ହୋଇଛି । ପଟ୍ଟାମୁଣ୍ଡାଇ-ରାଜନଗର ବ୍ଲକ ଓ ତହସିଲରେ ପି ସି କାରବାର ଖୁଲମଖୁଲା ଚାଲିଛି । ।ବାର୍ଦ୍ଧକ୍ୟ ଭତା ଠାରୁ ପ୍ରଧାନମନ୍ତ୍ରୀ ଆବାସ ପର୍ଯ୍ୟନ୍ତ ଚାଲିଥିବା ପିସି କାରବାର ଓ ବ୍ୟାପକ ଦୁର୍ନୀତିର ପ୍ରମାଣ ହେଉଛି ପଟ୍ଟାମୁଣ୍ଡାଇ ତହସିଲର ମୁଖ୍ୟ କିରାଣୀ ଜନ ୱିଲିୟମ ବରାଳ ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡିବା । ଦୁର୍ନୀତି ଚରମ ସୀମାରେ ପହଁଂଚିଛି ପ୍ରତି ପଂଚୟତ ଠାରୁ ମ୍ୟୁନିସିପାଲିଟି ପର୍ଯ୍ୟନ୍ତ ଯେଉଁ କାମ ହୋଇଛି ସବୁଥିରେ ବ୍ୟାପକ ଦୁର୍ନୀତି ହେଉଥିବା ଜଳ ଜଳ କରି ଦେଖା ଯାଉଛି । ପଟ୍ଟାମୁଣ୍ଡାଇ ଓ ରାଜନଗରରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବିପର୍ଯ୍ୟସ୍ତ । ସ୍କୁଲରେ ଶିକ୍ଷକ ନାହାନ୍ତି କି ଡାକ୍ତରଖାନାରେ ଡାକ୍ତର ନାହାନ୍ତି ।ସାଧାରଣ ଚିକିତ୍ସା ସୁବିଧାରୁ ବଂଚିତ ରୋଗୀମାନଙ୍କୁ କଟକ ଯାଇ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଏହାଛଡା ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା, ଚାଷୀ ଶୋଷଣ ଓ ସାର ବିହନ ଆଦି ସମବାୟ ଦୁର୍ନୀତି ବିରୋଧରେ କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇ ବ୍ୟାପକ ଆନ୍ଦୋଳନ କରିବ ବୋଲି କଂଗ୍ରେସ ନେତାମାନେ ଚେତାବନୀ ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading