ପୁନର୍ବାସ ପକ୍ଷରୁ ‘ସବୁଜିମା: ଏକ ଜୀବନଧାରା’ ଆଲୋଚନା ଚକ୍ର



କେନ୍ଦ୍ରାପଡା,୨ା୭: ସମ୍ପ୍ରତି ପୃଥିବୀ ପାଇଁ ଅସହ୍ୟ ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନ ଓ ଜୁଲାଇ ମାସ ୧ ତାରିଖ ଠାରୁ ଆରମ୍ଭ ହେଉଥିବା ଜାତୀୟ ବନ ମହୋତ୍ସବ ପରିପ୍ରେକ୍ଷୀରେ ଭିନ୍ନକ୍ଷମଙ୍କ ସେବା ଓ ସାମାଜିକ ପୁନଃପ୍ରତିଷ୍ଠା ଦିଗରେ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ ସବୁଜ ହସ ସପ୍ତାହ ପାଳନ ଓ ଏକ ଆଲୋଚନା ଶୀର୍ଷକ “ସବୁଜିମା: ଏକ ଜୀବନଧାରା”ର ଆୟୋଜନ କରାଯାଇଥିଲା । ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ କଥାକାର ଡ. ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅଜୟ କୁମାର ସାମଲ, ବିଷୟ ବିଶେଷଜ୍ଞ ରୂପେ ପ୍ରାଧ୍ୟାପକ ଡ. ପ୍ରଭାତ ରଞ୍ଜନ ଲେଙ୍କା, ଆୟବା ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିନାୟକ ପ୍ରଧାନ ଓ ଅର୍ବାନ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ପ୍ରମୁଖ ଯୋଗଦେଇ ଆମ ଦୈନଦିନ ଜୀବନରେ ସବୁଜିମାର ଆବଶ୍ୟକତା ଓ ଏହା ନଷ୍ଟ ହେବା ଦ୍ୱାରା ସୃଷ୍ଟି ହେଉ ଥିବା ଭୟଙ୍କର ପରିସ୍ଥିତି ଯେପରି ଅନିୟମିତ ବର୍ଷା, ପ୍ରବଳ ଗ୍ରୀଷ୍ମ ପ୍ରବାହ, ଅକ୍ସିଜେନର ଅଭାବ, ଆଦି ବିଷୟ ସହ ବୈଜ୍ଞାନିକ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହାକୁ ସାମନା କରିବାକୁ ହେଲେ ବ୍ୟାପକ ବୃକ୍ଷ ରୋପଣ, ଏହାର ରକ୍ଷଣାବେକ୍ଷଣ, ଗୋଟିଏ ମଣିଷ, ଗୋଟିଏ ଗଛର ସଂକଳ୍ପ ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ମାତୃଦତ୍ତ ମହାନ୍ତି, ପ୍ରକୃତି ମିତ୍ର ନୃସିଂହ ଚରଣ ତ୍ରିପାଠୀ ଓ ଶୁଭ୍ରାଂଶୁ କୁମାର ଦାସ, କବି ନବ ଜ୍ୟୋତି ରାୟ, କରୁଣାକର ଦାସ, ସ୍ୱପ୍ନାଶୁ କୁମାର ଦାସ, ପରିବେଶବିତ୍ ଓ ଶିକ୍ଷାବିତ୍ ଦିଲ୍ଲୀପ କୁମାର ମିଶ୍ର, ପ୍ରଦୀପ କୁମାର ଜେନା, ସିନୁଲତା ଦାସ ଓ ୱାର୍ଡ଼ କାଉନସେଲର ରଶ୍ମିତା ସିଂହ ପ୍ରମୁଖ ବିଭନ୍ନ ସାମାଜିକ ବର୍ଗର ପ୍ରତିନିଧି ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ସୁଚିନ୍ତିତ ମତାମତ ରଖିଥିଲେ । ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଗୋଟିଏ ଗୋଟିଏ ଫଳ ଗଛ ସବୁଜ ଶୁଭେଚ୍ଛାର ପ୍ରତୀକ ସ୍ୱରୂପ ପ୍ରଦାନ କରାଯାଇଥିଲା । ଏହି ସବୁଜ ହସ ସପ୍ତାହରେ ସାତ ଦିନ ଯାଏ ପୁନର୍ବାସ ତରଫରୁ ବିଭିନ୍ନ ଶିକ୍ଷା ଅନୁଷ୍ଠାନକୁ ବୃକ୍ଷ ପ୍ରଦାନ କରାଯାଇ ସବୁଜ ସଚେତନତାର ବାର୍ତ୍ତା ପ୍ରସାର କରାଯିବା ବୋଲି ମୁଖ୍ୟ ଉପଦେଷ୍ଟା ସୂଚନା ପ୍ରଦାନ କରିଥିଲେ । ସଂଯୋଜକ ସଞ୍ଜୀବ କୁମାର ଜେନା, ଜ୍ୟୋତି ରଞ୍ଜନ ନାୟକ, ଥେରାପିଷ୍ଟ ରଚିତା ଜେନା, ରଂଜନ ସ୍ୱାଇଁ, ମିହିର ବାରିକ, ଦୀପକ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ସହସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading