ପଟ୍ଟାମୁଣ୍ଡାଇରେ ଉପଖଣ୍ଡ ସ୍ତରିୟ ସରକାରୀ ଦପ୍ତର ଅଛି କିନ୍ତୁ ସବ୍‌ଡିଭିଜନ ମାନ୍ୟତା ମିଳିନି


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇକୁ ଏକ ସ୍ୱତନ୍ତ୍ର ସବଡିଭିଜନ ମାନ୍ୟତା ଦେବା ପାଇଁ ଅଂଚଳବାସୀଙ୍କ ତରଫରୁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି ।ଏଥିନେଇ ରାଜ୍ୟ ସରକାର ସବ୍‌ଡିଭିଜନ ପ୍ରସ୍ତାବକୁ ବିଚାରଧୀନ ରଖିଥିବା ବେଳେ ପଟ୍ଟାମୁଣ୍ଡାଇରେ ବିଭିନ୍ନ ଉପଖଣ୍ଡ ସ୍ତରିୟ ସରକାରୀ ଦପ୍ତର ମାନ ଖୋଲିଛନ୍ତି । ହେଲେ ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ ମାନ୍ୟତା ଦେବା ବାକି ରହିଛିା ଫଳରେ ପଟ୍ଟାମୁଣ୍ଡାଇ ଉପରେ ନିର୍ଭର କରୁଥିବା ବିଭିନ୍ନ ବ୍ଲକ ଅଧିନରେ ଥିବା ଜନସାଧାରଣ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ଭାଜପା ନୂତନ ସରକାର ଗଢିଛି । ହେଲେ ଦୀର୍ଘ ବର୍ଷ ହେଲା ବିଚାରାଧୀନ ଥିବା ପଟ୍ଟାମୁଣ୍ଡାଇ ସବଡିଭିଜନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି ବିଧିବଦ୍ଧ ଭାବେ କେବେ ଘୋଷଣା କରିବେ ସେନେଇ ଅଂଳବାସୀ ତାଙ୍କ ଉପରେ ଅନେକ ଆଶା ଭରଷା ରଖିଛନ୍ତି ବୋଲି ବୁଦ୍ଧିଜିବୀ , ସାମାଜିକକର୍ମୀ, ଜନସାଧରଣ ମତପ୍ରକାଶ କରିଛନ୍ତି ।
ସାମାଜିକକର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି ରାଜ୍ୟରେ ସବଡିଭିଜନ ସ୍ଥାପନ ହୋଇଥିବା ଜିଲ୍ଲା ମାନଙ୍କ ତୁଳନାରେ କେନ୍ଦ୍ରାପଡାରେ ଢେର ଅଧିକ ଜନସଂଖ୍ୟା ରହିଥିବା ବେଳେ ପଟ୍ଟାମୁଣ୍ଡାଇ ରାଜ୍ୟର ସବୁ ଠାରୁ ବଡ ବ୍ଲକ ୩୧ଟି ପଂଚାୟତ ଓ ୨୦ ଟି ୱାର୍ଡକୁ ନେଇ ପୌରପରିଷଦ ରହିଛି । ଏହା ସହ ଏହି ବ୍ଲକକୁ ଲାଗିକି ରାଜନଗର, ଆଳି, ରାଜକନିକା, ମହାକାଳପଡା ତହସିଲ ରହିଛି । ଏହିସବୁ ତହସିଲର ବହୁ ଦୁର୍ଗମ ଗାଁର ଲୋକେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କୌଣସି କାମ ପାଇଁ ଆସିବାକୁ ପାଖାପାଖି ୬୦ ରୁ ୮୦ କିଲୋମିଟର ଦୂରତା ହେଉଥିବା ବେଳେ ଛୋଟ କାମ ପାଇଁ ବି ଦିନ ତମାମ ରହିବା ସହ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଲୋକଙ୍କ ନିକଟରେ ଏହି କାର୍ଯ୍ୟାଳୟ ରହିଲେ ସେମାନଙ୍କ ଜମିଜମା ଠାରୁ ଆରମ୍ଭ କରି ନିଜର ଏବଂ ନିଜ ଅଂଚଳର ବିଭିନ୍ନ ସମସ୍ୟା, ଆପତି ଅଭିଯୋଗ ଆଦି ବି ସହଜରେ କରିପାରିବେ ଏବଂ ସରକାର ବି ତ୍ୱରିତ ସେବା ଯୋଗାଇ ପାରିବେ ବୋଲି ମତ ପ୍ରକାଶ କରିଛନ୍ତି ।
ଆଇନଜିବୀ କ୍ଷୀରୋଦ ପ୍ରଧାନ କୁହନ୍ତି ପଟ୍ଟାମୁଣ୍ଡାଇରେ ରାଜସ୍ୱ ସବଡିଭିଜନ ପ୍ରତିଷ୍ଠା ପାଇଁ ଦୀର୍ଘ ୧୫ବର୍ଷ ହେଲା ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ, ସାଧାରଣ ଜନତା, ବିଭିନ୍ନ ଅଣରାଜନୈତିକ ଗଣସଙ୍ଗଠନ ମାନେ ଦଳଗତ ନିର୍ବିଶେଷରେ ଆନ୍ଦୋଳନ, ଧାରଣା, ଅନଶନ ଜାରି ରଖି ଆସୁଛନ୍ତି । ଏହି ସବ୍‌ଡିଭିଜନ ଦାବି ହାସଲ କରିବା ପାଇଁ ଆଇନଜିବୀ କ୍ଷୀରୋଦ ପ୍ରଧାନ ରାଜସ୍ୱ ଓ ପ୍ରକୃତିକ ବିପର୍ଯ୍ୟୟ ପରିଚାଳନାର ସଚିବ, ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ, କେନ୍ଦ୍ରାଂଚଳ ଆରଡିସି ଓ କେନ୍ଦ୍ରାପଡା ଜିଲାପାଳଙ୍କୁ ବାରମ୍ବାର ପତ୍ର ମାଧ୍ୟମରେ ସବ୍‌ଡିଭିଜନ ଦାବି ଉପସ୍ଥାପନ କରିଆସୁଥିଲେ । ତାଙ୍କ ଚିଠି ଉପରେ ରାଜସ୍ୱ ଅତିରିକ୍ତ ଶାସନ ସଚିବ ଚିଠି ନଂ- ଆରଡିଏମ-ଡିଆରସି-ଏଡିଏମଏନ-୦୦୨୦/୨୦୧୭/୩୫୭୮୩ / ଆରଆଣ୍ଡଡିଏମ ୨୮-୧୦-୨୦୧୭ରେ ଉତର ରଖି କହିଥିଲେ ସରକାର ଯେତେବେଳେ ନୂତନ ରାଜସ୍ୱ ସବ୍‌ଡିଭିଜନ ଘୋଷଣା କରିବେ ସେତେବେଳେ ପଟ୍ଟାମୁଣ୍ଡାକୁ ଆଗ୍ରଧିକାର ଦିଆଯିବ ବୋଲି ଉତରରେ ଉଲେଖ କରିଥିଲେ । ପରେ ସବଡିଭିଜନ ମାନ୍ୟତା ପ୍ରଦାନ ପାଇଁ ଆଇନଜିବୀ ପ୍ରଧାନ ଏକ ଜନସ୍ୱାର୍ଥ ସମ୍ବଳିତ ଡବ୍‌ୁ ପି ସି ୧୧୨୯୭/୨୦୧୮ ମାମଲା ଓଡିଶା ହାଇକୋର୍ଟରେ ରୁଜୁ କରିଥିଲେ । ଓଡିଶା ହାଇକୋର୍ଟ ବିଚାର କରି ପଟ୍ଟାମୁଣ୍ଡାଇକୁ ଅଗ୍ରାଧିକାର ଭିତିରେ ବିଚାରକୁ ନେବାପାଇଁ ସରକାରଙ୍କ ସ୍ୱତନ୍ତ୍ର ସଚିବ ରାଜସ୍ୱଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ତତକାଳିନ କଟକ କେନ୍ଦ୍ରାଂଚଳ ଆରଡିସି ଅନିଲ ସାମଲ ୨୦୨୦ ଡିସେମ୍ବର ୨୧ ତାରିଖରେ କେନ୍ଦ୍ରାପଡା ଗ୍ରସ୍ତରେ ଆସି ବିଚରାଧିନ ଥିବା ରାଜସ୍ୱ ସବଡିଭିଜନ ଭିତିଭୂମି ସମ୍ପର୍କରେ ରେକର୍ଡ ପ୍ରସ୍ତୁତ କରି ତାଙ୍କୁ ପ୍ରଦାନ କରିବା ପାଇଁ ତତ୍କାଳିନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ।


ବୁଦ୍ଧିଜିବୀ ପ୍ରବୀର ନାୟକ, ଅନନ୍ତ ଦାଶ,ରାଧେଶ୍ୟାମ ସାହୁ, ଆଇନଜିବୀ ସୌମ୍ୟରଞନ ଧଳ, ଶୁଶୀଳ ଦାଶ ପ୍ରମୁଖ କୁହନ୍ତି ପଟ୍ଟାମୁଣ୍ଡାଇର ସାମାଜିକ ଚଳଣୀ ସହିତ ପ୍ରଶାସନିକ ଓ ଭୌଗଳିକ ସ୍ଥିତିକୁ ଅନୁଧ୍ୟାନ କରାଗଲେ କ୍ରମବର୍ଦ୍ଧିଷ୍ଟ ଜନସଂଖ୍ୟା ବୃଦ୍ଧି ପଛରେ ମୌଳିକ ଓ ଆର୍ôଥକ ସମସ୍ୟା ପୂରଣ କରିବାରେ ଏଠାରେ ସବଡିଭିଜନ ହେବା ଜରୁରୀ ହୋଇପଡିଛି । ରାଜ୍ୟ ସରକାର ତୁରନ୍ତ ସବଡିଭିଜନ ଘୋଷଣା କଲେ ରାଜସ୍ୱ କ୍ଷେତ୍ରରେ ଲାଭବାନ ହେବା ସହ କୃଷିକ, ଶ୍ରମିକ, ଜନସାଧାରଣ ମଧ୍ୟ ଉପକୃତ ହୋଇପାରିବେ । ଏଠାରେ ଉପଖଣ୍ଡ ଘୋଷଣା ନେଇ ବିଭିନ୍ନ ଗଣସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବି କରିଆସୁଥିଲେ । ତଥାପି ବି ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣାରେ ବିଳମ୍ବ ହେଉଥିବାରୁ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଆଭାସ ମିଳିଲାନି ।ପ୍ରକାଶ ଥାଉ କି ପଟ୍ଟାମୁଣ୍ଡାଇ ସହର କେନ୍ଦ୍ରାପଡା ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଓ ଏଠାରେ ଉପଖଣ୍ଡ ସ୍ତରିୟ ବିଭିନ୍ନ ପ୍ରତିଷ୍ଠାନ ରହିଛି ।ଗମନାଗମନ କ୍ଷେତ୍ରର ସମସ୍ତ ବ୍ଲକରୁ ପଟ୍ଟାମୁଣ୍ଡାଇକୁ ଓ ଜିଲ୍ଲାକୁ ସିଧାସଳଖ ରାଜପଥ ସଂଯୋଗ କରୁଛି ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥିବାବେଳେ ଅନେକ ଜାତୀୟକରଣ ବ୍ୟାଙ୍କ ରହିଛି । ସେହିପରି ପର୍ଯ୍ୟଟନ ସ୍ଥଳୀ ଭିତରକନିକାକୁ ପଟ୍ଟାମୁଣ୍ଡାଇ ମୁଖ୍ୟରାସ୍ତା ରହିଥିବା ବେଳେ ଶିକ୍ଷା,ସ୍ୱାସ୍ଥ୍ୟ ସହିତ କୃଷି ଓ କୃଷକର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସବଡିଭିଜନ ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।


Discover more from

Subscribe now to keep reading and get access to the full archive.

Continue reading