
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଚଂଳ ପୋଖରୀଆପଡା ପତିତପାବନଜୀଉଙ୍କ ରଥ ସଂନ୍ଧ୍ୟା ୮ଟା ବେଳେ ବକ୍ତାରପୁର ମାଉସୀ ମା ମନ୍ଦିର ଚକଡା ଛୁଇଁଛି । ପବିତ୍ର ରଥଯାତ୍ରା ଉପଲକ୍ଷେ ପ୍ରତ୍ୟୁଷରୁ ମନ୍ଦିର ପୂଜକ ମାନେ ପହଡ ଖୋଲିଥିଲେ । ମଙ୍ଗଳ ଆରତି ସକାଳ ୭ଟା ବେଳେ ମହାସ୍ନାନ ଓ ବାଲ୍ୟଧୂପ ହୋଇଥିଲା । ସକାଳ ସାଢେ ୯ଟା ବେଳେ ବକ୍ତାରପୁର ମାଉସୀ ମା ମନ୍ଦିରରୁ ନିମନ୍ତ୍ରଣ ମାଳ ପହଚିଂଥିଲା । ସକାଳ ୧୦ଟା ବେଳେ ଶ୍ରୀଜୀଉମାନଙ୍କୁ ଦଇତାପତି ଗୋଟି ପହଣ୍ଡିରେ ରଥାରୂଢ କରିଥିଲେ । ରଥ ଉପରେ ମହାସ୍ନାନ ଓ ବେଶାଦିକ୍ରମ ହୋଇଥିଲା । ମନ୍ଦିର ପୂଜକ ପର୍ଶୁରାମ ଦାଶ, ସନ୍ତୋଷ ଦାଶ ଓ ତ୍ରୈଲୋକ୍ୟ ମିଶ୍ର ପ୍ରମୁଖ ବିଶେଷ ପୂଜା ନୀତି ସମ୍ପନ୍ନ କରିଥିଲେ । ପୂର୍ବାହ୍ନ ସାଢେ ୧୧ରେ ହରପାର୍ବତୀ ମନ୍ଦିର ପାଇଁ ଆଜ୍ଞାମାଳ ନୀତି ସମ୍ପର୍ଣ୍ଣ ହୋଇଥିଲା । ଅପରାହ୍ନ ୩ଟାରେ ହରପାର୍ବତୀ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ସାଢେ ୩ଟା ବେଳେ ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ଦାଶ ରଥରେ ଛେରା ପହଁରା କରିଥିଲେ । ଅପରାହ୍ନ ସାଢେ ୪ଟା ବେଳେ ହଜାର ହଜାର ଶ୍ରଦ୍ଧାଳୁ ହରିବୋଲ ହୂଳହୁଳି ଦେଇ ଭେରିତୁରୀ କାହାଳୀ ଓ ଶଙ୍ଖ ଧ୍ୱନି କରି ଆନନ୍ଦ ଉଲ୍ଲାଶର ସହିତ ରଥ ଟାଣିଥିଲେ । ଶ୍ରଦ୍ଧାଳୁ ମାନେ ରଥ ଟାଣି ନେଇ ସଂନ୍ଧ୍ୟା ସାଢେ ୭ଟା ବେଳେ ବକ୍ତାରପୁର ସ୍ଥିତ ମାଉସୀ ମା ମନ୍ଦିର ଚକଡାରେ ପହଚିଂଥିଲେ । ଏହି ରଥଯାତ୍ରାରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ନରହରି ଲେଙ୍କା, ତ୍ରିଲୋଚନ ମିଶ୍ର ସମେତ ସମସ୍ତ ସଦସ୍ୟ ରଥଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ । ସ୍ଥାନୀୟ ପୋଲିସ୍ ବାହିନୀ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିବା ବେଳେ ସ୍ୱାସ୍ଥ୍ୟସେବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ବହୁ ଦୁର ଦୁରାନ୍ତରୁ ରଥ ଟାଣିବା ପାଇଁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ । ମାଉସୀ ମା ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୂଜକ ମାନେ ଶ୍ରୀ ବଳଦେବ, ଶ୍ରୀ ଜଗନ୍ନାଥ, ମାତା ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କୁ ଗୋଟି ପହଣ୍ଡି କରାଯାଉଛି ।
ସେହିପରି ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ, ତନୁପୁର, ଜଗନ୍ନାଥପୁର ଓ କଖାରୁଣୀ, ବାଲିପାଟଣା ପ୍ରଭୁତି ଗ୍ରାମରେ ଆନନ୍ଦ ଉଲ୍ଲାସର ସହିତ ମହାପ୍ରଭୁଙ୍କ ରଥଯାତ୍ରା ସମ୍ପର୍ଣ୍ଣ କରାଯାଇଛି । ସମସ୍ତ ସ୍ଥାନରେ ସ୍ଥାନୀୟ ପୋଲିସ୍ ବାହିନୀ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିବା ବେଳେ ସ୍ୱାସ୍ଥ୍ୟସେବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ବିଦ୍ୟୁତ କର୍ମଚାରିମାନେ ଉପସ୍ଥିତ ରହିଥିବା ବେଳେ ବିଭିନ୍ନ ସ୍ୱଛାସେବୀ ସଙ୍ଗଠନ ପକ୍ଷରୁ ଜଳଛତ୍ର ଖୋଲାଯାଇଥିଲା । ବହୁ ଦୁର ଦୁରାନ୍ତରୁ ରଥ ଟାଣିବା ପାଇଁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ ।











