
କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କୋରୋ ସ୍ଥିତ ପାବନ କ୍ଷେତ୍ରରେ ବିରାଜିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅଗ୍ରଣୀ ସ୍ୱେଚ୍ଛସେବୀ ସଂଗଠନ ରୁରଲ୍ ଡେଭ୍ଲପ୍ମେଂଟ୍ କଲ୍ଚରାଲ୍ ୟୁଥ୍ ଅର୍ଗାନାଇଜେନ୍ ଆନୁକୂଲ୍ୟରେ ଶ୍ରୀଗୁଣ୍ଡିଚା ମହୋତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସ୍ଥୟୀ ସଭାପତି ବିଶିଷ୍ଟ ସଂଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଜିଲ୍ଲା ଅଗ୍ନି ନିର୍ବାପକ ଅଧିକାରୀ ତଥା ମନ୍ଦିର ଟ୍ରଷ୍ଟର ସଭାପତି ବଳରାମ ମହାନ୍ତି ଯୋଗଦେଇ ଏହାକୁ ଉଦ୍ଘାଟନ କରିବା ସହିତ ଶ୍ରୀଗୁଣ୍ଡିଚା ଯାତ୍ରାର ମହତ୍ୱ ସଂପର୍କରେ ଆଲୋଚନା କରିଥିଲେ । ଯୁବା ସଂଗଠନର ସଂପାଦକ ଚିତରଂଜନ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ମନ୍ଦିରର ସଂପାଦକ ସୀତାକାନ୍ତ ଜେନା ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ଘୋଷଯାତ୍ରା ବା ପତିତପା ବନ ଯାତ୍ରାର ବୈଶିଷ୍ଠ୍ୟ ସଂପର୍କରେ ସୂଚନା ଦେଇଥିଲେ । ଗୀତିକାର ବିମଳ ପରିଡା ଓଡିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଏହି ଘୋଷଯାତ୍ରାର ମାହାତ୍ମ୍ୟ ଏହି ରଥାରୁଢ ତଥା ଆଡପ ଦର୍ଶନ କିପରି ଭକ୍ତମାନଙ୍କୁ ସାଯୁ୍ଯ୍ୟ ମୁକ୍ତି ପ୍ରଦାନ କରିଥାଏ ସେ ବିଷୟରେ ବିଭିନ୍ନ ଉଦାହରଣ ଦେଇ ଆଲୋଚନା କରିଥିଲେ । ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରୁ ବାରୋ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନର ଛାତ୍ରୀ ରଶ୍ମୀତା ସୂତାର, ଭାଗ୍ୟଲକ୍ଷ୍ମୀ ପରିଡା, ରାଜଲକ୍ଷ୍ମୀ ପରିଡା, ରଶ୍ମୀରେଖା ବିଶ୍ୱାଳ, ପ୍ରତୀକ୍ଷା ନାୟକ, ସୁଇଟି ସାହୁ, ମାମାଲି ସାହୁ, ପାପାଲି ସାହୁ ଏବଂ ଅଙ୍କିତା ପରିଡା ଶାସ୍ତ୍ରୀୟ ଓଡିଶୀ ଏବଂ ଭାବପୂର୍ଣ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରି ସମବେତ ଦର୍ଶକମାନଙ୍କୁ ବିମୋହିତ କରିଥିଲେ । ମନ୍ଦିର ତରଫରୁ ସମସ୍ତ ଶିଳ୍ପୀଙ୍କୁ ସଂବର୍ଦ୍ଧିତ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଶ୍ରୀମତୀ ଧୀରାମଣି ପରିଡା, ଇଂ ଦିବ୍ୟଜ୍ୟୋତି ପରିଡା, ରାଜକିଶୋର ବିଶ୍ୱାଳ, ଇଂ ବିଶ୍ୱଜିତ ପରିଡା, ସୁଶ୍ରୀ ସଂଗୀତା ଜେନା ପ୍ରମୁଖ ଉପସ୍ଥିତ ଥିଲେ । କଳା ନିକେତନର ପ୍ରତିଷ୍ଠାତା ବିମଳ ପରିଡା କାର୍ଯ୍ୟକ୍ରମ ସଂଚାଳନ କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।











