ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିରରେ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ



କେନ୍ଦ୍ରାପଡା, ୧୩/୭: କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ବାଗ୍‌ଦେବୀ କଳା ମନ୍ଦିର” ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଅନୁଷ୍ଠାନର ସଂଯୋଜକ ସଙ୍ଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡିଶାର ସଂସ୍କୃତି ଓ ପାରମ୍ପରିକ କଳାର ଅଭିବୃଦ୍ଧି ପାଇଁ ବାଗ୍‌ଦେବୀ କଳା ମନ୍ଦିରର ଉଦ୍ୟମ ତଥା ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଆଲୋକ ମହାନ୍ତି, ଗୀତିକାର ସୁବାଷ ପାତ୍ର, ସ୍ୱେଚ୍ଛାସେବୀ ଟିଲି ଦାସ ସମ୍ମାନୀୟ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀମାନେ ଏଥିରେ ଅଂଶଗ୍ରହଣ କରି ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସତ୍ୟପ୍ରିୟ ଦାସଙ୍କ ନିର୍ଦ୍ଦେଶନାରେ ଏମ୍‌.ପି. କ୍ରିଏସନ୍ ଦ୍ୱାରା ପ୍ରସ୍ତୁତି ରଥଯାତ୍ରା ଉପରେ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠଦାନରେ ବହୁଳ ଭାବେ ଲୋକପ୍ରିୟତା ଅର୍ଜନ କରିଥିବା ଭଜନ “ଝୁଲି ଝୁଲି ଆସେ କାଳିଆ ସାଆନ୍ତ”ର ଉନ୍ମୋଚନ କରାଯାଇଥିଲା । ଜିଲ୍ଲାର ପ୍ରତିଷ୍ଠିତ କଳାକାର, ସମାଜସେବୀ ଓ ଗୀତିକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ କର୍ମବୀର ଉପାଧି, ଆୟବା ଗ୍ରାମର ବିଶିଷ୍ଟ ସମାଜସେବୀ ଶରତ ପଟ୍ଟନାୟକଙ୍କୁ ବଳଦେବ ସମ୍ମାନ ଓ ବିଶିଷ୍ଟ କି ବୋର୍ଡ ବାଦକ ହିମାଂଶୁ ଶେଖର କରଙ୍କୁ ବାଗ୍‌ଦେବୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ରାଜ୍ୟ, ସଂସ୍କୃତି, ଓଡିଆ ଭାଷା ଓ ଓଡିଆ ସାହିତ୍ୟ ବିଭାଗର ପ୍ରୋଗ୍ରାମ ଅଫିସର ତ୍ରିଲୋଚନ ବରାଳଙ୍କୁ “କେନ୍ଦ୍ରାପଡା ରତ୍ନ” ସମ୍ମାନରେ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ବାଗ୍‌ଦେବୀ କଳା ମନ୍ଦିରର ଶାଖା, କଟକର “ସୁର ଝଙ୍କାର”ର ଶିଳ୍ପୀମାନଙ୍କ ଦ୍ୱାରା ବଳଦେବଜୀଉଙ୍କ ଲୋକପ୍ରିୟ ଭଜନ “ବନ୍ଦଇ ଶ୍ରୀ ବଳଦେବ’ “ରୋହିଣୀ ନନ୍ଦନ” ଭଜନ ସମ୍ରାଟ ଭିକାରୀ ବଳଙ୍କ ଆହେ ନୀଳଗିରି ପ୍ରମୁଖ ଗୀତଗୁଡିକ ମଞ୍ଚରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । ରାଜ୍ୟ ସଂସ୍କୃତି, ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ୱାରା କାର୍ଯ୍ୟକ୍ରମଟି ପ୍ରଯୋଜିତ ହୋଇଥିଲା । ଅନୁଷ୍ଠାନର ମିଡିଆ ସଂଯୋଜକ ସୁବାଷ ମଲ୍ଲିକ, ପୂର୍ଣ୍ଣିମା ରଣା, ଚିନ୍ମୟୀ ସାହୁ, ବାବୁଲି ଜେନା ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ହେରାପଞ୍ଚମୀ ସନ୍ଧ୍ୟାରେ ଉକ୍ତ କାର୍ଯ୍ୟକ୍ରମଟିକୁ ଶହସ୍ରାଧିକ ଶ୍ରଦ୍ଧାଳୁ ଉପଭୋଗ କରିଥିଲେ ।


Next Post

ଜିଲ୍ଲାରେ ମେଡିକାଲ ପ୍ରତିଷ୍ଠା ପାଇଁ କ୍ରିୟାନୁଷ୍ଠାନ କମିଟିର ସାନି ଉଦ୍ୟମ

Sat Jul 13 , 2024
କେନ୍ଦ୍ରାପଡ଼ା, ୧୩ା୭: ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦୀର୍ଘ ତିନି ବର୍ଷ ଧରି କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଧାରାବାହିକ ଭାବରେ ଚାଲିଥିବା ଆନ୍ଦୋଳନକୁ ପୂର୍ବତନ ସରକାର ଉପେକ୍ଷା କରି ଚାଲିଥିଲା ବେଳେ ଏବେ ସରକାର ପରିବର୍ତ୍ତନ ହେବା ପରେ ଜିଲ୍ଲାବାସୀଙ୍କର ଏହି ଦାବି ପୁରଣ ହେବାର ଆଶା ପୋଷଣ କରିଛି । ଏହି ଉଦ୍ଦେଶ୍ୟରେ ପବ୍ଲିକ୍ ରିଡିଂ ରୁମ୍ ପରିସରରେ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ […]

KANIKA