୧୫ନମ୍ବର ଶାଖା କେନାଲ ସଫେଇ ଓ ଗାର୍ଡୱାଲ ନିର୍ମାଣରେ ଅନିୟମିତତା ଅଭିଯୋଗ



କେନ୍ଦ୍ରାପଡ଼ା, ୨୨ା୭: କେନ୍ଦ୍ରାପଡା-ବସପୁର ପୂର୍ତ୍ତ ବିଭାଗ ରାସ୍ତାର ମାହାରାକୂଳ ନିକଟରୁ ବାମପାଶ୍ୱର୍ରେ ମାର୍ଶାଘାଇ ଯାଇଥିବା ୧୫ ନମ୍ବର ଶାଖା କେନାଲର ସଫେଇ ଓ ଗାର୍ଡୱାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟ ନିମନ୍ତେ ୧୦ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଥିବା ବସପୁର ସେକ୍ସନର କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ମହାନ୍ତି କହିଛନ୍ତି । ଚାଷୀଙ୍କ ଜମିକୁ ଜଳ ଯୋଗାଣ ନିମନ୍ତେ ଏହି କାର୍ଯ୍ୟ ଜଳସେଚନ ବିଭାଗ ପକ୍ଷରୁ କରାଯାଉଛି । କିନ୍ତୁ ଏହି ଶାଖା କେନାଲର ବାମ ପାଶ୍ୱର୍ ବନ୍ଧକୁ ମେସିନ ସାହାଯ୍ୟରେ ସଫା କରାଯାଉଥିବା ବେଳେ କେନାଲ ବନ୍ଧ ଉପରେ ଗଛ ଲଟା ପ୍ରଭୃତି ମାଡି ରହିଥିବା ଦେଖାଯାଇଛି । ବର୍ଷାରେ ସେହି ଗଛ ଓ ଲଟା ପୁନର୍ବାର କେନାଲ ବନ୍ଧ ଉପରେ ମାଡିଯିବା ସହ କେନାଲ ଭିତରକୁ ମଧ୍ୟ ମାଡି ଯାଇ ଜଳ ଯୋଗାଣରେ ବାଧା ସୃଷ୍ଟି କରିବାର ସମ୍ଭାବନା ରହିଛି । ଦ୍ୱିତୀୟରେ ଜବକାର୍ଡଧାରୀଙ୍କୁ ଶ୍ରମ ଯୋଗାଇ ଦେବା ବଦଳରେ ମେସିନରେ କାର୍ଯ୍ୟ କରାଯିବା ଫଳରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ସେହି ଶାଖା କେନାଲ ଭିତରେ ବନ୍ଧରୁ ମାଟି ଖସି କେନାଲ ପୋତି ହୋଇପଡିବା ଦୃଷ୍ଟିରୁ କେନାଲର ଭିତରପଟ ବାମପାଶ୍ୱର୍ରେ ଗାର୍ଡୱାଲ ମଧ୍ୟ ନିର୍ମାଣ କରାଯାଉଛି । କିନ୍ତୁ ଅନେକ ସ୍ଥାନରେ ସେହି ଗାର୍ଡୱାଲ ଭୁଷୁଡି ପଡିଥିବା ବେଳେ ଠିକାଦାରଙ୍କ ଏଭଳି ନିମ୍ନମାନର କାର୍ଯ୍ୟକୁ ଲୋକଙ୍କ ଦୃଷ୍ଟିରୁ ଲୁଚାଇବା ପାଇଁ ଭୁହୁଡି ପଡିଥିବା ସେହି ଅଂଶକୁ ମେସିନ ସାହାଯ୍ୟରେ ଉଠାଇ ନେଇ ଅନ୍ୟତ୍ର ପକାଇ ଦିଆଯାଇଛି । ଚାଷକ୍ଷେତକୁ ଜଳ ଯୋଗାଣ ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଦେଉଥିବା ବେଳେ ସେହି ଅନୁଦାନ ଅର୍ଥରେ ବିଭାଗୀୟ ଅଧିକାରୀଙ୍କ ଅଲିଖିତ ନିର୍ଦେଶରେ ଠିକାଦାର ଏଭଳି କାର୍ଯ୍ୟ କରୁଥିବା ସ୍ଥାନୀୟ ଅଧିବାସୀ ରାଜକିଶୋର ମହାନ୍ତି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ବସପୁର ସେକ୍ସନର କନିଷ୍ଠ ଯନ୍ତ୍ରୀ ଶ୍ରୀ ମହାନ୍ତିଙ୍କୁ ପଚରାଯିବାରେ ସେ କହିଛନ୍ତି ଯେ ଠିକାଦାର ପୁଣି ଭୁଷୁଡି ପଡିଥିବା ଗାର୍ଡୱାଲର ନିର୍ମାଣ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି ଏବଂ ଲୋକ ମିଳୁନଥିବାରୁ ମେସିନରେ ସଫେଇ କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି ।


Next Post

ଗୁରୁ ପୂର୍ଣ୍ଣିମାରେ ଧର୍ମଶାଳା ସରୋଜିନୀଙ୍କ ଜୟନ୍ତୀ ପାଳିତ

Mon Jul 22 , 2024
କେନ୍ଦ୍ରାପଡା, ୨୨ା୭: ଆଷାଢ ପୂର୍ଣିମାରେ କୃଷ୍ଣ-ଦ୍ୱେପାୟନ ଭଗବାନ ଶ୍ରୀବ୍ୟାସଦେବ ଜନ୍ମଲାଭ କରିଥିବାରୁ ଏହାକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଭାବରେ ଅଭିହିତ କରାଯାଏ । ସର୍ବଭାରତୀୟ ସାଂସ୍କୃତିକ ପରମ୍ପରା ଅନୁସାରେ ଏହିଦିନ ବିଭିନ୍ନ ମଠ, ମନ୍ଦିର, ଗୁରୁଧାମ ଏବଂ ଆଧ୍ୟାତ୍ମିକ ସାଂସ୍କୃତିକ ଅନୁଷ୍ଠାନମାନଙ୍କରେ ଗୁରୁପୂର୍ଣ୍ଣିମା ଉତ୍ସବ ଯଥାବିଧି ପାଳନ କରାଯାଏ । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ବାରୁଅସ୍ଥିତ ରେଡିଓ ଭାବଗ୍ରାହୀ ଏବଂ […]

KANIKA