
ଭୁବନେଶ୍ୱର,୨୫ା୭ : ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି । ଏଥରର ବଜେଟ୍ ପରିମାଣ ୨୦୨୩-୨୪ ତୁଳନାରେ ୧୫% ଅଧିକ । ଗତବର୍ଷ ବଜେଟ୍ ପରିମାଣ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଥିଲା । ସେହିପରି ଗତବର୍ଷ କୃଷି ବଜେଟ ୨୪, ୮୨୯ କୋଟି ଟଙ୍କା ରହିଥିଲା ବେଳେ ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟିକୁ ବୃଦ୍ଧି କରାଯାଇଛି । ଏହା ମଧ୍ୟରେ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୧ ଲକ୍ଷ ୫୫ ହଜାର କୋଟି ଟଙ୍କା ରହିଛି ଯାହାକି ୨୦୨୪-୨୫ ଆର୍ଥିକ ବର୍ଷର ବଜେଟର ୫୮ ପ୍ରତିଶତ । ସେହିପରି ପୁଂଜି ବ୍ୟୟ ବାବଦକୁ ୫୮ ହଜାର ୧୯୫ କୋଟି ଟଙ୍କା ପ୍ରସ୍ତାବିତ ଅଛି । ପ୍ରଶାସନିକ ବ୍ୟୟ ପାଇଁ ୯୭ ହଜାର ୭୨୫ କୋଟି ଟଙ୍କା ବରାଦ କରାଯାଇଛି । ତାହା ମଧ୍ୟରେ ଦରମା ପାଇଁ ୩୨ ହଜାର ୫୭୧ କୋଟି ଟଙ୍କା , ପେନସନ୍ ପାଇଁ ୨୨ ହଜାର ୫୯୧ କୋଟି ଟଙ୍କା , ସୁଧ ଦେୟ ବାବଦକୁ ୫,୫୦୦ କୋଟି ଟଙ୍କା ଏବ ପୁଂଜି ସମ୍ପତିର ରକ୍ଷଣା ବେକ୍ଷଣା ପାଇଁ ୬,୮୨୨ କୋଟି ଟଙ୍କା ରହିଛି । ଏହା ବ୍ୟତୀତ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଣ୍ଠି ପାଇଁ ବ୍ୟୟ ବରାଦ ର ପରିମାଣ ୩,୯୦୦ କୋଟି ଟଙ୍କା ରଖାଯାଇଛି । ରାଜ୍ୟର ଗ୍ରାମୀଣ ଓ ସହରାଂଚଳର ସ୍ଥାନୀୟ ନିକାୟ ସଂସ୍ଥାମାନଙ୍କ ପାଇଁ ୩,୮୦୪ କୋଟି ଟଙ୍କା ଏବଂ ପଂଚମ ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିଶ କ୍ରମେ ପ୍ରାୟ ୪,୪୪୯ କୋଟି ଟଙ୍କା ହସ୍ତାନ୍ତର କରିବାକୁ ପ୍ରସ୍ତାବ ରହିଛି । ମୋଟ ବ୍ୟୟ ଅଟକଳକୁ ରାଜସ୍ୱ ପ୍ରାପ୍ତିରୁ ୨ ଲକ୍ଷ ୧୧ ହଜାର କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ବାବଦରୁ ମିଳିବାକୁ ଥିବା ୫୪ ହଜାର କୋଟି ଟଙ୍କାରୁ ଭରଣା କରିଯିବାକୁ ପ୍ରସ୍ତାବ ରହିଛି । ୨୦୨୪-୨୫ ଆର୍ଥିକ ବର୍ଷର ବିତୀୟ ନିଅଂଟର ପରିମାଣ ସାମଗ୍ରିକ ରାଜ୍ୟର ଘରୋଇ ଉତ୍ପାଦର ୩.୫ % ହେବା ନେଇ ଆକଳନ କରାଯାଇଛି ।ଚଳିତ ଆର୍ଥିକ ବର୍ଷ ପାଇଁ ଆକଳନ କରାଯାଇଥିବା ମୋଟ ରାଜସ୍ୱ ପ୍ରାପ୍ତି ମଧ୍ୟରେ ରାଜ୍ୟର ନିଜସ୍ୱ ଟିକସ ୬୦ ହଜାର କୋଟି ଟଙ୍କା , ନିଜସ୍ୱ ଅଣ ଟିକସ ରାଜସ୍ୱ ୫୮ ହଜାର କୋଟି ଟଙ୍କା , କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଭାବରେ ୫୫ ହଜାର୨୩୨ କୋଟି ଟଙ୍କା ଏବଂ କେନ୍ଦ୍ରୀୟଅନୁଦାନ ବାବଦକୁ ମିଳିବାକୁ ଥିବା ୩୭, ୭୬୮ କୋଟି ଟଙ୍କା ଅନ୍ତର୍ଭୁକ୍ତ ।
କେଉଁ ବିଭାଗକୁ କେତେ

ବଜେଟ୍ରେ ସ୍ୱରାଷ୍ଟ୍ର ବିଭାଗକୁ ସର୍ବମୋଟ ୮,୯୯୪କୋଟି ଟଙ୍କା ବ୍ୟୟବରାଦ ରହିଥିବାବେଳେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ୭୩୨ କୋଟି ଦିଆଯାଇଛି । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ୧,୭୬୯ କୋଟି, ଆଇନ୍ ବିଭାଗକୁ ୧,୫୯୦ କୋଟି, ଅର୍ଥ ବିଭାଗକୁ ୫୯,୩୧୨ କୋଟି, ବାଣିଜ୍ୟ ବିଭାଗକୁ ୨୦୩କୋଟି, ନିର୍ମାଣ ବିଭାଗକୁ୧୦,୭୫୦କୋଟି ବ୍ୟୟବରାଦ କରାଯାଇଛି । ସେହିପରି ଓଡ଼ିଶା ବିଧାନସଭା ପାଇଁ ୮୬କୋଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ୧,୩୦୮କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୨୬,୩୯୧ କୋଟି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗକୁ ୫,୭୫୦କୋଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୨୦,୮୩୭କୋଟି, ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗକୁ ୯,୬୦୩ କୋଟି, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗକୁ ୩୧୮ କୋଟି, କ୍ରୀଡ଼ା ଓ ଯୁବସେବା ବିଭାଗ ପାଇଁ ୧,୩୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଯୋଜନା ଓ ସଂଯୋଜନା ବିଭାଗକୁ ୨,୦୧୮ କୋଟି, ପଂଚାୟତିରାଜ ଓ ପାନିୟଜଳ ବିଭାଗକୁ ୨୬,୪୬୬ କୋଟି, ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସନ ବିଭାଗକୁ ୩ କୋଟି, ଶିଳ୍ପ ବିଭାଗକୁ ୮୦୮ କୋଟି, ଜଳ ସମ୍ପଦ ବିଭାଗକୁ ୧୩,୨୭୨ କୋଟି, ପରିବହନ ବିଭାଗକୁ ୩,୭୪୨ କୋଟି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗକୁ ୧,୪୧୮ କୋଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୧୨,୯୨୯କୋଟି, ଇସ୍ପାତ ଓ ଖଣି ବିଭାଗକୁ ୪୫୬ କୋଟି, ସୂଚନା ଓ ଲୋକସମ୍ପର୍କ ବିଭାଗକୁ ୧୫୬ କୋଟି, ଅବକାରୀ ବିଭାଗକୁ ୨୪୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଅପରପକ୍ଷରେ ବିଜ୍ଞାନ ଓ ବୈଷୟିକ ବିଭାଗ ପାଇଁ ୧୨୨ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୯,୪୫୬ କୋଟି, ସଂସଦୀୟ ବ୍ୟାପାର ବିଭାଗକୁ ୮୫କୋଟି, ଶକ୍ତି ବିଭାଗୁ ୩,୩୫୫ କୋଟି, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗକୁ ୨୬୨ କୋଟି, ପର୍ଯ୍ୟଟନ ବିଭାଗକୁ ୮୧୮ କୋଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉନ୍ନୟନ ବିଭାଗକୁ ୧,୮୯୬, ସମବାୟ ବିଭାଗ ପାଇଁ ୨,୧୧୬, ସାଧାରଣ ଉଦ୍ୟୋଗ ବିଭାଗ ପାଇଁ ୧୨, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ୧୫,୧୮୧, ଇଲେକ୍ଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତିବିଦ୍ୟା ପାଇଁ ୫୦୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ଉଚ୍ଚଶିକ୍ଷା ବିଭାଗ ପାଇଁ ୩,୪୭୮ କୋଟି, ଦକ୍ଷତା ବୃଦ୍ଧି ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ ୧,୫୮୩ କୋଟି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପାଇଁ ୭୪୭ କୋଟି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ୭,୭୧ କୋଟି, ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ୪,୦୨୩ କୋଟି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଇଁ ୪୨୦ କୋଟି ଏବଂ ମିଶନ ଶକ୍ତି ବିଭାଗ ପାଇଁ ୨,୭୬୨ ଟଙ୍କାର ବ୍ୟୟବରାଦ କରାଯାଇଛି ।
ଡବଲ ଇଂଜିନ ଡବଲ ନିରାଶ : ନବୀନ

ଡବଲ ଇଂଜିନ ସରକାର ଡବଲ ନିରାଶ କରିଛି । ଆମେ ଏହି ବଜେଟ୍ ନେଇ ଖୁସି ନାହୁଁ । ରାଜ୍ୟ ବଜେଟ ଉପରେ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହା କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ମୋ ସରକାରରେ ହୋଇଥିବା ୪୦ଟି ଯୋଜନାର ନାମ ବଦଳାଯାଇଛି । କେଉଁ କେଉଁ ଯୋଜନାର ନାମ ବଦଳାଯାଇଛି ପରେ କହିବି ।
ବଜେଟ୍ରେ ଚାଷୀ ଓ ମହିଳାଙ୍କ ପାଇଁ କିଛି ନାହିଁ : ତାର

ରାଜ୍ୟ ବଜେଟ ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି ବଜେଟ୍ ରେ ଚାଷୀ ଓ ମହିଳାଙ୍କ ପାଇଁ କିଛି ନାହିଁ । ଯାହା ଆଗରୁ ଥିଲା, ସେଥିରେ ୧୦ରୁ ୧୫ ପ୍ରତିଶତ ଟଙ୍କା ବଢ଼ିଛି । ଏହା ଏକ ହାୱା । ମୋହନ ସରକାରଙ୍କ ବଜେଟ୍ ରେ କେବଳ ନାମ ପରିବର୍ତନ ହୋଇଛି । ଲୋକଙ୍କୁ ଭୁଲାଇବା ପାଇଁ ଏହି ବଜେଟ୍ । ଗରିବମାନଙ୍କୁ ମାରିବା ପାଇଁ ଏହି ବଜେଟ୍ ପ୍ରସ୍ତୁତ ହୋଇଛି ।

