କର୍ମକ୍ଷେତ୍ରରେ ଯୈାନ ଉତ୍ପୀଡ଼ନର ନିରାକରଣ ପାଇଁ ଦିନିକିଆ ପ୍ରଶିକ୍ଷଣ



କେନ୍ଦ୍ରାପଡ଼ା,୨ା୮: କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନର ପୂର୍ଣ୍ଣ ଉପଯୋଗ ଏବଂ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନର ନିରାକରଣ ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ଦିନିକିଆ ପ୍ରଶିକ୍ଷଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଦିନିକିଆ ପ୍ରଶିକ୍ଷଣ ଶିବିରକୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଉଦ୍‌ଘାଟନ କରି କହିଛନ୍ତି, “ମାନବିକ ଅଧିକାରର ସୁରକ୍ଷା ସହ ଲିଙ୍ଗଭିତିକ ହିଂସାମୁକ୍ତ ପ୍ରଶାସନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଯଦି ଯୌନ ଶୋଷଣ ଭଳି ସମ୍ବେଦନଶୀଳ, ଅମାନବୀୟ, ବର୍ବର ଓ ଲଜ୍ଜାଜନକ ଅଭିଯୋଗ ଆସେ ସେହି କର୍ମଚାରୀ ଅଥବା ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ” । ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳାମାନେ କିପରି ଯୌନ ଉତ୍ପୀଡ଼ନ, ଲିଙ୍ଗଭିତିକ ହିଂସା, ଲିଙ୍ଗଗତ ଭେଦଭାବ ବିରୁଦ୍ଧରେ ସ୍ୱର ଉତୋଳନ କରିପାରିବେ, ସେ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ପ୍ରଶିକ୍ଷକଭାବେ ଯୋଗ ଦେଇଥିଲେ ଭୀମସେନ ଭୂୟାଁ ଏବଂ ବିବେକାନନ୍ଦ ଅତବୁଦ୍ଧି । ଏଥିରେ ସ୍ଥାନୀୟ ଅଭିଯୋଗ କମିଟି ଓ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସମସ୍ତ ସଦସ୍ୟା, ନୋଡାଲ ଅଫିସର, ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ଅଧିକାରୀ ଓ କର୍ମଚାରୀ ପ୍ରମୂଖ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନରୁ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ୨୦୧୩ ମସିହାରୁ ଏକ ଆଇନ କାର୍ଯ୍ୟକାରୀ ହୋଇଆସୁଛି । ଏହା ସହ ୱାନ୍ ଷ୍ଟପ୍ ସେଣ୍ଟର୍ (ସଖୀ), ଜାଗୃତି, ଉଜ୍ଜ୍ୱଳା ଘର, ପରିବାର ପରାମର୍ଶ କେନ୍ଦ୍ର, ମହିଳା ହେଲପ୍ ଲାଇନ୍ ଆଦି ବିଭିନ୍ନ ପଦକ୍ଷେପ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଉପ-ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ଡେରାବିଶ ତହସିଲଦାର ପ୍ରଜ୍ଞା ପାରମିତା ପୃଷ୍ଟି, ଡେପୁଟି କଲେକ୍ଟର ଡ. ପଲ୍ଲବୀ ପ୍ରିୟଦର୍ଶିନୀ, ଡିଏସ୍‌ଏସ୍‌ଓ ରୁପାଲି ପ୍ରିୟଦର୍ଶିନୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ନିରାପତା ଅଧିକାରୀ ତଥା ପୋଗ୍ରାମ୍ ଅଫିସର୍ ସ୍ମିତା ପଣ୍ଡା, ଡିପିସି (ମମତା) ମନୋରଞ୍ଜନ ଦାସ, ସମସ୍ତ ବ୍ଲକ୍‌ର ସିଡିପିଓ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଅମିତା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading