
କେନ୍ଦ୍ରାପଡା,୧୪ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଞ୍ଚାୟତର ମହିଳା ମହାସଙ୍ଘର ଦୁଇଟି ଜମାଖାତାକୁ ବିଡିଓ ଅଚଳ କରିଦେବା ପ୍ରତିବାଦରେ ବୁଧବାର ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ନିକଟରେ ଅଭିଯୋଗ ହୋଇଛି। ମହାସଙ୍ଘର ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ (ସି.ଆର.ପି.) କମ୍ୟୁନିଟି ରିସୋର୍ସ ପର୍ସନ ଚୟନକୁ ନେଇ କେନ୍ଦ୍ରାପଡା ବିଡିଓ ପତ୍ରସଂଖ୍ୟା- ୩୪୯/୨୦୨୪ ଜରିଆରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଗୋଗୁଆ ଶାଖା ପରିଚାଳକଙ୍କୁ ଜମାଖାତା ଅଚଳ କରିବାକୁ ନିର୍ଦେଶ ଦେଇଛନ୍ତି। ଏ ନେଇ ମହାସଙ୍ଘର ସଭାନେତ୍ରୀ ବିଡିଓଙ୍କୁ ଭେଟି ଏହାର କାରଣ ପଚାରିଥିଲେ ମଧ୍ୟ ସେ କୈାଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। ଫଳରେ ମହାସଙ୍ଘ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବାକୁ ବାଧ୍ୟ ହେଲା ବୋଲି ମହାସଙ୍ଘ ପକ୍ଷରୁ କୁହାଯାଇଛି। ମହିଳାମାନେ କହିଛନ୍ତି ୨୦୧୨ମସିହାରୁ ତୃପ୍ତି ପ୍ରକଳ୍ପ ଅଧିନରେ ସେମାନେ କାର୍ଯ୍ୟ କରୁଛନ୍ତି। ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତେଣୁ ଏହାର ତଦନ୍ତ କରାଯାଇ ଜମାଖାତାକୁ ସଚଳ କରିବା ଓ ଦାୟି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା ମହାସଙ୍ଘର କର୍ମକର୍ତ୍ତାମାନେ ଦାବିକରିଛନ୍ତି।










