ବଜ୍ରାଘାତରେ ମନ୍ଦିରରୁ ଖସିଲା ପଥର , ବିପଦଶଙ୍କୁଳ ସ୍ଥିତିରେ ମନ୍ଦିର



କେନ୍ଦ୍ରାପଡା,୧୯/୮: ବଜ୍ରାଘାତରେ କେନ୍ଦ୍ରାପଡା ସହରସ୍ଥ ଏକ ପ୍ରାଚୀନ ମନ୍ଦିର ଶ୍ରୀ ଗୋପୀନାଥଜୀଉ ବିନୋଦବିହାରୀ ମନ୍ଦିରରୁ ୧୨ଟି ପଥର ଖସିପଡି ବିପଦ ସୃଷ୍ଟି କରିଛି । ସୋମବାର  ପ୍ରାୟ ସନ୍ଧ୍ୟା ୬ଟା ୪୫ମିନିଟ ସମୟରେ ବଜ୍ରପାତ ଘଟିଥିଲା । ବଜ୍ରପାତର ପ୍ରଚଣ୍ଡ ଶବ୍ଦରେ କେନ୍ଦ୍ରାପଡା ସହର ଥରି ଉଠିଥିଲା । ଏହାର ପ୍ରଭାବରେ ଲୋକମାନେ ଭୟଭୀତ ହୋଇ ପଡିଥିଲେ । କେନ୍ଦ୍ରାପଡା ସହର କାକଟସ୍ଥିତ ଶ୍ରୀ ଗୋପୀନାଥଜୀଉ ବିନୋଦବିହାରୀ ମନ୍ଦିର ପଛପାଶ୍ୱର୍ ଦଧିନଉତି ତଳୁ ଏକ କ୍ୱିଣ୍ଟାଲରୁ ଅଧିକ ଓଜନର ଏକ ପଥର ଖସି ପଡିଥିଲା । ଏହି ପଥର ଖସିବା ସମୟରେ ମନ୍ଦିରର ବିଭିନ୍ନ ସ୍ଥାନରେ ଧକ୍କା ଖାଇବା ଦ୍ୱାରା ଆଉ ୧୧ଟି ପଥର ମନ୍ଦିରରୁ ଖସିଛି । ସମୁଦାୟ ୧୨ଟି ପଥର ଏହି ପ୍ରାଚୀନ ମନ୍ଦିରରୁ ଖସିବା ଦ୍ୱାରା ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି । ଦଧିନଉତି ବାଙ୍କି ଯାଇଛି । ଏଥି ସହିତ ମନ୍ଦିର ଭିତରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ବଜ୍ରପାତରୁ ରକ୍ଷା ପାଇବା ପାଇଁ ଆର୍ଥିଂର ବ୍ୟବସ୍ଥା ଠିକ ନଥିବାରୁ ଏପରି ଅଘଟଣ ଘଟିଲା ବୋଲି ଆଲୋଚନା ହେଉଛି ।

ଏହି ମନ୍ଦିର ୧୮୬୭ ମସିହାରେ ଆରମ୍ଭ ହୋଇଥିବା ବେଳେ ୧୯୦୫ ମସିହାରେ ଶେଷ ହୋଇଥିଲା । ପୁରା ପଥରରେ କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିର ଭକ୍ତମାନଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ଏହି ଦୁର୍ଘଟଣା ପରେ ମନ୍ଦିରର ଭବିଷ୍ୟତ କଣ ହେବ ସେ ନେଇ ସ୍ଥାନୀୟ ଲୋକମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହି ଘଟଣା ଘଟିବା ପରେ ହଜାର ହଜାର ଲୋକ ସମବେତ ହୋଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading