ବିଦ୍ୟୁତ ଉପଭୋକ୍ତା ଶୋଷଣ ବିରୋଧରେ ଜନଶକ୍ତି ପାର୍ଟିର ଟାଟା ହଟାଓ ଅଭିଯାନ



ପଟ୍ଟାମୁଣ୍ଡାଇ ୨୯/ -ଓଡିଶାର ଜନସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟୁତ ସଂସ୍କାର ନାଁ ରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ବହୁ ଚର୍ଚିତ ବିଦ୍ୟୁତ ସଂସ୍କାର ପ୍ରହସନରେ ପରିଣତ ହୋଇଥିବାରୁ ଜନସାଧାରଣ ଓ ଉପଭୋକ୍ତା ଏହାର ସୁଫଳ ପାଇନାହାନ୍ତି । ବରଂ ସେବା ନାଁ ରେ ଶୋଷଣ ବର୍ଷ ବର୍ଷ ଧରି ଚାଲିଛି । ବିଦ୍ୟୁତ ବିଭାଗ ପକ୍ଷରୁ ସତର୍କତା ପାଇଁ ପ୍ରତ୍ୟକ ସ୍ଥାନରେ ବିପଦ ବୋଲି ଲେଖାଯାଉଛି । ମାତ୍ର ଜନସଚେତନତା କାଗଜକଲମରେ ଚାଲିଥିବା ପୁରୁଣା ଖୁଂଟ ଓ ତାରରେ କୌଣସି ମତେ ଚାଲୁରହିଛି । ବିଦ୍ୟୁତ ଯୋଗାଣ ନାଁ କୁ ମାତ୍ର ଚାଲିଥିବାବେଳେ ଅଘୋଷିତ ବିଦ୍ୟୁତକାଟ, ଲୋ ଭୋଲତେଜ ଓ ରୀତିମତ ଗ୍ରାହକ ଶୋଷଣ ଚାଲୁ ରହିଛି ବୋଲି ରାଜ୍ୟ ଜନଶକ୍ତି ପାର୍ଟି ସଭାପତି ଆଇନଜିବୀ ପ୍ରଦୀପ ଦାଶ ପଟ୍ଟାମୁଣ୍ଡାଇ ଠାରେ ଖବରଦାତାମାନଙ୍କୁ ସୂଚନା ଦେଇ ଏକ ପ୍ରେସ ବିବୃତିରେ ଗୁରୁତର ଅଭିଯୋଗ କରିଛନ୍ତି ।
ଆଇନଜିବୀ ଦାଶ କହିଛନ୍ତି ଯେ ବିଦ୍ୟୁତ ଉପଭୋକ୍ତା ଶୋଷଣ ଚରମ ସୀମାରେ ପହଂଚି ଥିବାବେଳେ ଲୋ ଭୋଲଟେଜ ଓ ଅଘୋଷିତ ବିଦ୍ୟୁତକାଟଯୋଗୁଁ ପାନୀୟ ଜଳ ପାଇଁ ସାଧାରଣଜନତା, ରୋଗୀ ସେବା ପାଇଁ ହନ୍ତସନ୍ତ ହେଉଛନ୍ତି । ସ୍କୁଲ କଲେଜ ଛାତ୍ରୀଛାତ୍ରମାନେ ପାଠ ପଢି ନପାରି ନିଜ ନିଜର ଭବିଷ୍ୟତ ପାଇଁ ଚିନ୍ତାରେ ଅଛନ୍ତି । ଓଡିଶାର ଜନସାଧାରଣଙ୍କୁ ଶୋଷଣମୁକ୍ତ କରିବା ପାଇଁ ବିଦ୍ୟୁତ ଯୋଗାଣ ଦାୟିତ୍ୱରେ ଥିବା ଟାଟା କମ୍ପାନୀକୁ ଓଡିଶାରୁ ହଟାଇବା ପାଇଁ ଜନଶକ୍ତି ପାର୍ଟି ଜୋରଦାର ଅଭିଯାନ ଆରମ୍ଭ କରିଛି । ପୁରୁଣା ତାର ଓ ଖୁଂଟ ଦ୍ୱାରା ବିଦ୍ୟୁତ ଯୋଗାଣ କରି ସାଧାରଣ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଥିବା ଟାଟା ପାୱାର ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଟାଟା କମ୍ପାନୀକୁ ଓଡିଶାରୁ ହଟାଇବା ପାଇଁ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି । ନୂତନ ବିଦ୍ୟୁତ ସଂଯୋଗ ପାଇଁ ଆବଶ୍ୟକ କାଗଜପତ୍ର ସହ ୩୯୦୦ ଟଙ୍କା ନିଆଯାଉଛି । ଆବଶ୍ୟକ ସରଞ୍ଜାମର ବଜାର ଦର ଓ ମିଟର ଭଡା ମିଶାଇ ୨, ୦୦୦ ଟଙ୍କା ହେଉଥିବାବେଳେ କମ୍ପାନୀ ୧୯୦୦ ଟଙ୍କା ଅଧିକ ନେଉଛି । ସେହିପରି ପୁରୁଣା ସର୍ଭିସ ତାର ବଦଳାଇବା ପାଇଁ ଉପଭୋକ୍ତା ଆବଶ୍ୟକ ସରଞ୍ଜାମ ୭୦୦ ଟଙ୍କାରେ କିଣୁଥିବା ବେଳେ ମିଟର ସିଲ ଖୋଲିବା ପାଇଁ ଟାଟା କମ୍ପାନୀ ଗରିବ ରାଜ୍ୟ ଓଡିଶାର ଜନସାଧାରଣଙ୍କ ଠାରୁ ୧, ୦୦୦ ଟଙ୍କା ଅନୁମତି ଫିସ ଭାବେ ନେଉଥିବା ଜଣାଯାଇଛି । ଯାହାକି ସୁଚିନ୍ତିତ ଭାବେ ଉପଭୋକ୍ତା ଶୋଷଣ ର ନଗ୍ନ ଉଦାହରଣ ଭାବେ ଦେଖାଦେଇଛି । ଏଥି ସହିତ ଜନଗହଳି ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିଜରେ ପୁରୁଣା ବିଦ୍ୟୁତ ତାର ଖୋଲାମେଲା ପଡିରହିଛି । ଅନେକ ସମୟରେ ବିଦ୍ୟୁତ ତାର ଛିଣ୍ଡି ଖୁଂଟ ଉପଡି ଧନଜୀବନ ହାନୀ ହେଉଛି । ଜନଗହଳି ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ବିଦ୍ୟୁତ ତାର କଭର ଲଗାଇବା ପାଇଁ କଡାକଡ଼ି ନିର୍ଦେଶ ଥିଲେ ମଧ୍ୟ ଏହା ପାଳନ କରାନଯାଇ ଖୋଲା ମେଲା ଛାଡି ଦିଆଯାଉଛି । ଓଡିଶାର ଜନସାଧାରଣଙ୍କୁ ତ୍ରୁଟିପୂର୍ଣ୍ଣ ବିଲ ଦିଆଯାଇ ବକେୟା ବାବଦରେ ମନଇଚ୍ଛା ହଜାର ହଜାର ଟଙ୍କା ଯୋଡି ଦିଆଯାଇ ବଳପୂର୍ବକ ଆଦାୟ କରାଯାଉଥିବା ଓ ତ୍ରୁଟିପୂର୍ଣ୍ଣ ବିଲ ସଂଶୋଧନ କରାଯାଉନଥିବା ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ଆଇନଜିବୀ ପ୍ରଦୀପ ଦାଶ ଅଭିଯୋଗ କରିବା ସହିତ ଏହା ଉପଭୋକ୍ତା ଶୋଷଣର ଅନ୍ୟତମ ଶ୍ରେଷ୍ଠ ଉଦାହରଣ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଗଠିତ ନୂତନ ଭାଜପା ସରକାର ଓଡିଶାର ଗରିବ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶୋଷଣକାରୀ ଟାଟା ପାୱାର କମ୍ପାନୀକୁ ଓଡିଶାରୁ ବିଦା କରିବା ଦିଗରେ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି । ଅନ୍ୟଥା ଜନଶକ୍ତି ପାର୍ଟି ଟାଟା ପାୱାର ଶୋଷଣ ବନ୍ଦ ଓ କମ୍ପାନୀକୁ ଓଡିଶାରୁ ବିଦା କରିବା ଦିଗରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।


Next Post

କୃଷକନେତାଙ୍କ ସ୍ମୃତି ସଭା ଓ ଭଜନ ସମାରୋହ

Fri Aug 30 , 2024
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡଗରା ଗ୍ରାମର ବିଶିଷ୍ଟ କୃଷକନେତା ରାଜକିଶୋର ପ୍ରଧାନଙ୍କ ବଜ୍ରାଘାତରେ ଅକାଳ ବିୟୋଗ ପରେ ତାଙ୍କ ଏକାଦଶାହରେ ସ୍ମୃତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଯୁବସମାଜସେବୀ ନଳିନୀକାନ୍ତ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ସ୍ମୃତି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା, ସମାଜସେବା ଓ ସ୍ଥାନୀୟ ଲୋକପ୍ରତିନିଧି ଯୋଗ ଦେଇ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଧୃବ ଅନ୍ନପୂର୍ଣ୍ଣା […]

You May Like