ବେଆଇନ୍ ଭୃଣହତ୍ୟା ଘଟଣା : ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ୯ ଗିରଫ


କେନ୍ଦ୍ରାପଡ଼ା,୬ା୯: ବେଆଇନ୍ ଭୃଣହତ୍ୟା ଘଟଣାରେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ୩ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଏହି ମହିଳାଙ୍କ ମଧ୍ୟରୁ ଜଣେ ନର୍ସ ହୋଇଥିବା ବେଳେ ଜଣେ ନର୍ସିଂହୋମର ମାଲିକାଣୀ ଓ ଅନ୍ୟ ଜଣେ ନର୍ସିଂହୋମର କର୍ମଚାରୀ ଅଟନ୍ତି। ସେହିପରି ଗିରଫ ପୁରୁଷ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଘର ମାଲିକ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ଏବଂ ଅନ୍ୟମାନେ ଦଲାଲ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ମଠସାହି ଗ୍ରାମର ପରେଶ ବାରିକ। ଏ ନେଇ ଆଜି କେନ୍ଦ୍ରାପଡ଼ା ସଦର ଥାନାରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଆରକ୍ଷୀ ଅଧୀକ୍ଷକ ଶ୍ରୀ କଟ୍ଟାରିଆ ସୂଚନା ଦେଇ କହିଥିଲେ ଯେ ଏହି ବେଆଇନ୍ ଭୃଣହତ୍ୟାର ଶିକାର ହୋଇଛନ୍ତି କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଛାତ୍ରୀ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମଠସାହି ଗ୍ରାମର ପ୍ରଦୀପ ବାରିକଙ୍କ ପୁଅ ପପୁ ଓରଫ ପରେଶ ବାରିକ, କଟକ ଜିଲ୍ଲାର କମିଶନରେଟ ପୋଲିସ ଅଧିନ ଷ୍ଟେଶନ ବଜାର ମଠସାହିର ଘର ମାଲିକ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ଦାସଙ୍କ ପୁଅ ଦୀଲୁ ଓରଫ ଭବାନୀ ଶଙ୍କର ଦାସ, କଟକ ଜିଲ୍ଲାର ମାନସୀ ରାଉତ(ନର୍ସ), କଟକ ହେଲଥ ହୋମ ନର୍ସିଂହୋମରେ କାର୍ଯ୍ୟରତ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ନାରାୟଣ ମହାପାତ୍ରଙ୍କ ପୁଅ ନିଜିତ ମହାପାତ୍ର, କଟକ ଏସ୍‌ଏନ୍‌ଏସ୍ ହେଲଥ କେୟାରରେ କାର୍ଯ୍ୟରତ ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ରନଗରର ସ୍ୱର୍ଗତ ଶତୃଘନ ଦତ୍ତଙ୍କ ପୁଅ ବିଶ୍ୱଜିତ ଦତ୍ତ, କଟକ ଅର୍ବାନ ହସ୍‌ପିଟାଲରେ କାର୍ଯ୍ୟରତ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧିନ ରାହାମ୍ବା ଗ୍ରାମର ପ୍ରକାଶ ଚନ୍ଦ୍ର ସେନାପତିଙ୍କ ପୁଅ ପପୁ ଓରଫ ପ୍ରିୟବ୍ରତ ସେନାପତି, କଟକ ଅର୍ବାନ ହସ୍‌ପିଟାଲରେ କାର୍ଯ୍ୟରତ ବାରଙ୍ଗ ଥାନା ଅଧିନ ବେଲଗଛିଆ ଗ୍ରାମର ସ୍ୱର୍ଗତ ଲକ୍ଷ୍ମୀନାରାୟଣ ଦାସଙ୍କ ପୁଅ ନିଲୁ ଓରଫ ନିର୍ଲିପ୍ତ ରଞ୍ଜନ ଦାସ, ୨୦୨୨ ରେ ସିଲ ହୋଇଥିବା ହେଲଥ ହୋମ ନର୍ସିଂହୋମର ମାଲିକ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ନିଜିତ ମହାପାତ୍ରଙ୍କ ପତ୍ନୀ ମାମିନୀ ଓରଫ ମାମିନା ମହାପାତ୍ର ଓ ହେଲଥ ହୋମ ନର୍ସିଂହୋମରେ କାର୍ଯ୍ୟରତ ନିଆଳି ଥାନା ଅଧିନ ମଧୁସ୍ମିତା ସ୍ୱାଇଁ।

ଆରକ୍ଷୀ ଅଧୀକ୍ଷକ ଶ୍ରୀ କଟ୍ଟାରିଆଙ୍କ ସୂଚନା ଅନୁଯାୟୀ ଛାତ୍ରୀ ଜଣକ ଫେସବୁକ୍‌ରୁ ପରେଶଙ୍କ ସହ ବନ୍ଧୁତା ହୋଇଥିଲା। ବନ୍ଧୁତା ନିବିଡ଼ ହେବାପରେ ପରେଶ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିଲେ। ଏହି ସମ୍ପର୍କରୁ ଛାତ୍ରୀ ଜଣକ ୫ ମାସର ଗର୍ଭବତୀ ହୋଇଥିଲେ। ପରେ ପରେଶ ଛାତ୍ରୀଙ୍କୁ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମରେ ଏକ ଭଡ଼ା ଘରେ ନେଇ ରଖିଥିଲେ। କିନ୍ତୁ ଦିନ ଗଡି ଚାଲିଥିଲେ ମଧ୍ୟ ସେ ବିବାହ କଥା ଏଡାଇ ଯାଉଥିଲେ। ପିଡିତାଙ୍କୁ ପରେଶ ଗତ ଜୁଲାଇ ୨୭ ତାରିଖରେ ପଟ୍ଟାମୁଣ୍ଡାଇ ସ୍ଥିତ ଆହନ ହସ୍‌ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଛୀତ୍ରୀଙ୍କ ହିମୋଗ୍ଲୋବିନ କମ ଥିବାରୁ ତାଙ୍କୁ ୩ଟି ରକ୍ତ ଦିଆଯାଇଥିଲା। ପରେ ଗର୍ଭପାତ କରାଇବା ପାଇଁ ପରେଶ ଓ ତାଙ୍କ ଭାଇ ରାକେଶ ଅଗଷ୍ଟ ୬ ତାରିଖରେ ଛାତ୍ରୀଙ୍କୁ କଟକ ନେଇ ଯାଇଥିଲେ। କଟକରେ ବିଶ୍ୱଜିତ ଦତ୍ତ ନାମକ ଜଣେ ଦଲାଲ ଗର୍ଭପାତ କରାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଶ୍ୱଜିତ ଷ୍ଟେଶନ ବଜାର ମଠସାହି ଅଞ୍ଚଳର ଅନ୍ୟ ଜଣେ ଦଲାଲ ଭବାନୀଶଙ୍କର ଦାଶଙ୍କ ସହ ଯୋଗାଯୋଗ କରିଥିଲେ ଯିଏକି ଏହି କାମ ପାଇଁ ବେଶ ଜଣାଶୁଣା। ଭବାନୀ ହେଲ୍‌ଥ ହୋମ ନାମକ ଏକ ନର୍ସିଂହୋମରେ କାର୍ଯ୍ୟ କରୁଥିବା ମାନସୀ ରାଉତ ନାମ୍ନୀ ଜଣେ ନର୍ସଙ୍କ ସହ ଯୋଗାଯୋଗ କରି ପିଡିତାଙ୍କର ଗର୍ଭପାତ କରାଇଥିଲେ। ଏ ନେଇ ମୋଟା ଅଙ୍କର ଟଙ୍କା ନେଇଥିଲେ। ଏହାପରେ ମୁଖ୍ୟ ଅଭିଯୁକ୍ତ ପରେଶ ପିଡିତାଙ୍କୁ ନେଇ ଏକ ଛାତ୍ରୀ ନିବାସରେ ରଖାଇଥିଲେ। ହେଲେ ପରେଶ ତାଙ୍କୁ ବିବାହ କରିବା ପାଇଁ ଦିନ ଗଡାଇ ଚାଲିଥିବାରୁ ପିଡିତା ନିଶ୍ଚିତ ହୋଇଥିଲେ ଯେ, ପରେଶ ତାଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ତେଣୁ ସେ ସଦର ଥାନାରେ ଲିଖିତ ଅଭିଯୋଗ କରି ସହାୟତା ମାଗିିଥିଲେ। କିନ୍ତୁ ପିଡିତା ଜଣକ ଥାନାରୁ ନିରାଶ ହେବା ପରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କୁ ଭେଟି ଅଭିଯୋଗ କରିଥିଲେ। ତେଣୁ ଆରକ୍ଷୀ ଅଧୀକ୍ଷକ ଘଟଣାର ତଦନ୍ତ କରିବାକୁ ଜିଲ୍ଲା ପୋଲିସ ମୁଖ୍ୟାଳୟର ଡିଏସପି ସରିତା ମହାପାତ୍ରଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ। ଏଥିସହ ଥାନାରେ ମାମଲା ରୁଜୁ କରିବାକୁ ସଦରଥାନାର ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ପରେ ସଦର ଥାନାଧିକାରୀ ବାଧ୍ୟ ହୋଇଥିଲେ ମାମଲା ରୁଜୁ କରି ମାମଲାର ତଦନ୍ତକାରୀ ଅଧିକାରୀ ଶ୍ରୀମତୀ ମହାପାତ୍ର ଏହାର ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ ପିଡିତାଙ୍କ ଅଭିଯୋଗ ସତ। ଶ୍ରୀମତୀ ମହାପାତ୍ର ପିଡିତାଙ୍କୁ ନେଇ କଟକର ଯେଉଁଠାରେ ଗର୍ଭପାତ କରାଯାଇଥିଲା ସେଠାକୁ ଯାଇଥିଲେ। ତଦନ୍ତ ପରେ ସେ ଜାଣିବାକୁ ପାଇଥିଲେ ଯେ ସେଠାରେ କେବଳ ପିଡିତା ନୁହନ୍ତି ପୂର୍ବରୁ ବହୁ ଯୁବତୀଙ୍କର ବେଆଇନ୍ ଗର୍ଭପାତ କରାଯାଇଛି। ସମସ୍ତ ତଥ୍ୟ ପ୍ରମାଣ ହାସଲ କରିବା ପରେ ଡିଏସପି ଶ୍ରୀମତୀ ମହାପାତ୍ର ସେଠାରୁ ଗର୍ଭପାତରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ହ୍ୟାଣ୍ଡଗ୍ଲୋବ୍ସ, ଷ୍ଟେରିଲାଇଜଡ୍ ଗଜ, କଳା ପଲିଥିନ, ଲୁଣ, ସାଲାଇନ୍ ଷ୍ଟାଣ୍ଡ, ସାବୁନ, ମୋବାଇଲ ଫୋନ, କମ୍ପ୍ୟୁଟରର ସିପିୟୁ ପ୍ରଭୃତି ଜବତ କରିଥିଲେ। ଏଥିସହିତ ଏହି ବେଆଇନ କାର୍ଯ୍ୟରେ ସଂପୃକ୍ତ ଥିବା ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ତଦନ୍ତକାରୀ ଅଧିକାରୀ ତଥା ଡିଏସ୍‌ପି ସରିତା ସାହୁ, କେନ୍ଦ୍ରାପଡ଼ା ଏସ୍‌ଡିପିଓ ଦାୟିତ୍ୱରେ ଥିବା ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ କ୍ଷମାସାଗର ପଣ୍ଡା, ସଦର ଥାନାଧିକାରୀ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଘଟଣାର ଆରକ୍ଷୀ ଅଧୀକ୍ଷକ ଶ୍ରୀ କଟ୍ଟାରିଆ ନିଜେ ମନିଟରିଂ କରୁଥିଲେ ବୋଲି ସୂଚନା ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading