ସ୍ୱଚ୍ଛ ନିର୍ବାଚନ ପାଇଁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ଆବଶ୍ୟକ- ଜିଲ୍ଲାପାଳ



କେନ୍ଦ୍ରାପଡ଼ା,୧୧ା୯: ଭୋଟର ତାଲିକାରେ ରହିଥିବା ତ୍ରୁଟିର ସଂଶୋଧନ ପାଇଁ ଆଜି ଜିଲ୍ଲା ସଂସ୍କୃତି ଭବନରେ ତିନିଦିନିଆ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ – ୨୦୨୫ ନିମନ୍ତେ ବୁଥସ୍ତରୀୟ ଅଧିକାରୀମାନଙ୍କ କର୍ମଶାଳା ତଥା ତାଲିମ୍ ଶିବିର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅବାଧ, ନିରପେକ୍ଷ ତଥା ସ୍ୱଚ୍ଛ ନିର୍ବାଚନ ପାଇଁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକାର ଆବଶ୍ୟକତା ରହିଛି। ଏହି କାର୍ଯ୍ୟ ପାଇଁ ବୁଥସ୍ତରୀୟ ଅଧିକାରୀ ଓ ସୁପରଭାଇଜରମାନଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆମ ଜିଲ୍ଲାରେ ଘରକୁ ଘର ସର୍ଭେ କରାଯାଇ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଆସନ୍ତା ୨୦ତାରିଖ ଠାରୁ ଆରମ୍ଭ ହୋଇ ୩୦ତାରିଖରେ ଶେଷ ହେବ। ସମୀକ୍ଷାରୁ ଜଣାଯାଇଛି ଯେ ଆମ ଜିଲ୍ଲାରେ ଏହି କାର୍ଯ୍ୟ ମାତ୍ର ୧୭ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି ଯାହା ଫଳରେ ଆମ ଜିଲ୍ଲାର ସ୍ଥାନ ଓଡ଼ିଶାରେ ୨୯ ନମ୍ବର ସ୍ଥାନିତ ହୋଇଛି। ଆମ ଜିଲ୍ଲାରେ ୨୦୨୪ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାପନ ହେବା ସହ କୌଣସି ବୁଥରେ ପୁନଃ ଭୋଟିଂ ହୋଇନଥିବାରୁ ଜିଲ୍ଲାପାଳ ସମସ୍ତ ବୁଥସ୍ତରୀୟ ଅଧିକାରୀ ଓ ନିର୍ବାଚନ କାର୍ଯ୍ୟରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ଘରକୁ ଘର ସର୍ଭେ କରି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ୯୦ ପ୍ରତିଶତ ହାସଲ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଚାଲୁଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ- ୨୦୨୫କୁ ସୁଗମ ତଥା ପ୍ରଭାବଶାଳୀ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପାଞ୍ଚ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିୟୋଜିତ ହୋଇଥିବା ସମସ୍ତ ବୁଥସ୍ତରୀୟ ଅଧିକାରୀ ମାନଙ୍କୁ ଆଜି ଠାରୁ ସେପ୍େଟମ୍ବର ୧୩ ତାରିଖ ପର୍ଯ୍ୟନ୍ତ ତାଲିମ୍ ପ୍ରଦାନ କରାଯାଉଛି। ଏହି କ୍ରମରେ ଆଜି ୯୯- ରାଜନଗର ଓ ୯୭- କେନ୍ଦ୍ରାପଡା (ସଂରକ୍ଷିତ) ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ବୁଥସ୍ତରୀୟ ଅଧିକାରୀଙ୍କୁ ତାଲିମ୍ ପ୍ରଦାନ କରାଯାଇଥିବା ବେଳେ ୧୨ ତାରିଖରେ ୯୮- ଆଳି ଓ ୯୬- ପାଟକୁରା ଏବଂ ୧୩ତାରିଖରେ ୧୦୦- ମହାକାଳପଡା ବିଧାନସଭା ନିର୍ବାଚନମଣ୍ଡଳୀର ବୁଥସ୍ତରୀୟ ଅଧିକାରୀଙ୍କୁ ତାଲିମ୍ ପ୍ରଦାନ କରାଯିବ। ଘରକୁ ଘର ସର୍ଭେ କରିବା ସମୟରେ ଫର୍ମ-୬ ରେ ପଞ୍ଜୀକରଣ, ଫର୍ମ-୭ ରେ ନାମ ବାଦ୍ ଦେବା ଓ ଫର୍ମ-୮ ରେ ନାମ, ତଥ୍ୟ, ଫଟୋ ସଂଶୋଧନ କରିବାକୁ ଉପ-ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ ବୁଥ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହ ଏହାକୁ ବି.ଏଲ.ଓ. ଆପରେ ଅପ୍ଲୋଡ କରିବା ଆବଶ୍ୟକ ବୋଲି କହିଥିଲେ। ନୂତନ ଭାବେ ନିର୍ମାଣ କରାଯାଇଥିବା ଘର ଓ ପ୍ରତ୍ୟେକ ଘରର ମୋଟ ପୁରୁଷ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ତୃତୀୟ ଲିଙ୍ଗ ସଂଖ୍ୟାକୁ ସର୍ଭେ କରି ବିଏଲଓ ଆପରେ ଅପ୍ଲୋଡ କରିବା ଦରକାର। ୧୭ ବର୍ଷରୁ ଅଧିକ ଓ ୧୮ ବର୍ଷରୁ କମ୍ ଥିବା ସଦସ୍ୟଙ୍କ ସଂଖ୍ୟା ଘରେ କେତେ ଅଛି ତାହାକୁ ଗୁରୁତ୍ୱ ଦେବା ଦରକାର। ପ୍ରତ୍ୟେକ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ବୁଥସ୍ତରୀୟ ଅଧିକାରୀମାନଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେବାକୁ ଡେପୁଟି କଲେକ୍ଟର (ନିର୍ବାଚନ) ରମେଶ ଚନ୍ଦ୍ର ପଣ୍ଡା ଅନୁରୋଧ କରିଥିଲେ। ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ତାଲିମ୍ ଶିବିର ପ୍ରାରମ୍ଭ ହୋଇଥିଲା। ଏହି ତାଲିମ୍ ଶିବିରରେ ବି.ଡି.ଓ, ଡେପୁଟି କଲେକ୍ଟର, କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ରାଜନଗର ଓ କେନ୍ଦ୍ରାପଡା ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ବୁଥସ୍ତରୀୟ ଅଧିକାରୀ, ସୁପରଭାଇଜର, ଶିକ୍ଷକ/ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading