କେନ୍ଦ୍ରାପଡ଼ା, ୧୭ା୯: ପବିତ୍ର ବିଶ୍ୱକର୍ମାଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଶ୍ରମ ଦିବସ ଉପଲକ୍ଷେ କେନ୍ଦ୍ରାପଡା ଭାରତୀୟ ମଜଦୁର ସଂଘ ଜିଲ୍ଲା ସମିତି ଏକ ବୈଠକର ଆୟୋଜନ କରିଥିଲା । ପରମ ପୂଜ୍ୟ ଭାରତ ମାତା, ଦେବ ଶିଳ୍ପୀ ଭଗବାନ ବିଶ୍ୱକର୍ମା ଓ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ସ୍ୱର୍ଗତ ଦନ୍ତୋପନ୍ଥ ଠେଙ୍ଗିଣୀଙ୍କୁ ଧୂପ, ଦୀପ, ପୁଷ୍ପ ଅର୍ପଣ କରାଯାଇ ବୈଠକ ଆରମ୍ଭ କରାଯାଇଥିଲା । ଜିଲ୍ଲା ସଭାପତି ପ୍ରଭାତ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଭାରତୀୟ ମଜଦୁର ସଂଘ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆଲୋଚନା କରାଯିବା ସହିତ, କେନ୍ଦ୍ରାପଡା ଶ୍ରମ କାର୍ଯ୍ୟାଳୟର ନିର୍ମାଣ ଶ୍ରମିକମାନଙ୍କ ହୀତାଧିକାରୀ ପାଣ୍ଠି ପ୍ରଦାନରେ ଅବହେଳା ତଥା ମନମୁଖୀ କାର୍ଯ୍ୟକଳାପ ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା । ନିର୍ମାଣ ଶ୍ରମିକଙ୍କ ହିତାଧିକାରୀ ପାଣ୍ଠି ତୁରନ୍ତ ପ୍ରଦାନ କରାନଗଲେ ଭାରତୀୟ ମଜଦୁର ସଂଘ ଆନ୍ଦୋଳନ କରିବ ବୋଲି ନିଷ୍ପତ୍ତି ନିଆଗଲା । ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ କେନ୍ଦ୍ରାପଡା ଅଙ୍ଗନୱାଡି ସଂଘର ସମ୍ପାଦିକା ପୁଷ୍ପଲତା ରଥ, ନିଖିଳ ଓଡିଶା ବିଦ୍ୟୁତ ମହାସଂଘର କେନ୍ଦ୍ରାପଡା ପ୍ରମୁଖ ଶାନ୍ତନୁ ମଲ୍ଲିକ, ହଟକେଶ୍ୱର ମଜଦୁର ସଂଙ୍ଘର ଦୀପୁଭାଇ, ଭାରତୀୟ ମଜଦୁର ସଂଘର ଉପ ସଭାପତି କିଶୋରଚନ୍ଦ୍ର ରାଉତ ଓ କାହ୍ନୁ ଚରଣ ବେହେରା, ସହସମ୍ପାଦକ ପ୍ରଦୀପ୍ତ ରାଉତ, ମାର୍ଶାଘାଇ ବ୍ଲକ ସଭାପତି ଫକିର ଚରଣ ବାରିକ, କେନ୍ଦ୍ରାପଡା ବ୍ଲକ ସଭାପତି ଅରୁଣ କୁମାର ଜେନା, ଡେରାବିଶ ସଭାପତି ପ୍ରସନ୍ନ କୁମାର ଦାଶ, ସମ୍ପାଦକ ଗିରିଶ ଚନ୍ଦ୍ର ସାହୁ, ମହାକାଳପଡା ସଭାନେତ୍ରୀ ମଧୁସ୍ମିତା ନାୟକ, ଗରଦପୁର ସଭାପତି ଅକ୍ଷୟ କୁମାର ଜେନା ପ୍ରମୁଖଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।